ଚିଲିକା : ଆଜି ସକାଳେ ଚିଲିକା ବ୍ଲକ ଅଧିନ କାଳୁପଡା ସ୍ଥିତ କାଳୁପଡାଘାଟ ଷ୍ଟେସନରେ ରହିଥିବା ଏକ କୋଇଲା ବୋଝେଇ ଟ୍ରେନ ବଗି ଉପରକୁ ଅଚାନକ ଜଣେ ଯୁବକ ଚଢିଯାଇଥିଲେ । ଏହି ଅଣ ଓଡିଆ ଯୁବକଜଣକ ବଗି ଉପର ଦେଇ ଯାଇଥିବା ୩୩ ହଜାର ଭୋଲ୍ଟ ବିଦ୍ୟୁତ ତାରକୁ ଛୁଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ଜଣାପଡିବାରୁ ଉପସ୍ଥିତ ଆଖପାଖ ବ୍ୟକ୍ତିବିଶେଷ ତାଙ୍କୁ ଏଥିରୁ ନିବୃତ୍ତ ହେବାକୁ ବହୁ ବୁଝାଶୁଝା କରିଥିଲେ। ମାତ୍ର ଆଖ ପାଖରେ କୌଣସି ରେଳ ସୁରକ୍ଷା କର୍ମଚାରୀ ନଥିବାରୁ ପରିସ୍ଥିତି ଅଣାୟତ୍ତ ହୋଇଥିଲା ।
ଖବର ପାଇ ସ୍ଥାନୀୟ ଷ୍ଟେସନ ମାଷ୍ଟର, ରେଳ କର୍ମଚାରୀ ଘଟଣାସ୍ଥଳକୁ ଦୌଡିଆସି ଉକ୍ତ ଯୁବକଙ୍କୁ ବଗି ଉପରୁ ତଳକୁ ଆଣିବାକୁ ପ୍ରୟାସ କରିଥିଲେ। ହେଲେ କାହାର କଥା ସେ ନ ଶୁଣିବାରୁ ରେଳ ସୁପରିଟେଣ୍ଡେଣ୍ଟ ଓ ପିଡବ୍ଲିୟୁଆଇଙ୍କ ମାଧ୍ୟମରେ କାଳୁପଡା ଷ୍ଟେସନ ଅଂଚଳ ରେଳ ବିଦ୍ୟୁତ ସଂଯୋଗ କଟାଯାଇଥିଲା । ଟାଙ୍ଗୀ ଅଗ୍ନିଶମ ବାହିନୀ ସହାୟତାରେ ଏହି ଯୁବକଙ୍କୁ ବଗି ଉପରୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର କରାଯାଉଥିବା ବେଳେ ଉନ୍ମତ୍ତ ଯୁବକ ଜଣକ ଏପଟ ସେପଟ ଡେଇଁବା କାରଣରୁ ଆପେ ଆହତ ହୋଇ ରକ୍ତାକ୍ତ ହୋଇଯାଇଥିଲା। ଫଳରେ ଉଦ୍ଧାର ପରେ ଉକ୍ତ ଯୁବକଙ୍କୁ ଆବଶ୍ୟକ ଚିକିତ୍ସା ନିମନ୍ତେ ଟାଙ୍ଗୀ ସରକାରୀ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏହି ଘଟଣା ଚାଲିଥିବା ବେଳେ ଘଟଣା ସ୍ଥଳରେ ରେଳଳବାଇର ବାଲୁଗାଁ ଷ୍ଟେସନର ପଦାଧିକାରୀ ମହେଶ୍ବର ଚନ୍ଦ୍ର ରାୟ, ଷ୍ଟେସନ ସୁପରିଟେଣ୍ଡେଣ୍ଟ ଦିବାକର ବିଶ୍ବାଳ, ଟାଂଗୀ ଅଗ୍ନିଶମ ଅଧିକାରୀ ଅବିନାଶ ପୃଷ୍ଟି ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିଥିଲେ ।ଏଥିରେ ସ୍ଥାନୀୟ ଯୁବକମାନେ ମଧ୍ୟ ସହଯୋଗ କରିଥିଲେ । ଆତ୍ମହତ୍ୟା ଉଦ୍ୟମ କରି ଉଦ୍ଧାର ପାଇଥିବା ଏହି ଅଣ ଓଡିଆ ଯୁବକ ସୁଦୂର ଆସାମ ଅଂଚଳର ଓ ତାଙ୍କ ନାମ ଭୂମିଜ ବୋଲି ପ୍ରାକ୍ ସୂଚନାରୁ ପ୍ରକାଶ। ପୋଲିସ ପକ୍ଷରୁ ତାଙ୍କ ପରିବାର ସହ ଯୋଗାଯୋଗ ଚାଲିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/IMG-20211013-WA0031.jpg)