ମାନସ ଦାସ ଗିରଫ ଘଟଣା : କୋର୍ଟ ଓ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମର୍ଥକଙ୍କ ଭିଡ଼

ଖୋର୍ଦ୍ଧା : ନିରୀହ ସଅର ଓ ଆଦିବାସୀଙ୍କୁ ଶୋଷଣ କରୁଥିବା ତଥା ଏକାଧିକ ହତ୍ୟା, ଆକ୍ରମଣ ଓ ଅପହରଣ ମାମଲାରେ ସମ୍ପୃକ୍ତ ମାନବବାଦୀ ସଂଗଠନ ଓ ଏହାର ମୁଖିଆ ମାନସ ଦାସ ଏବଂ ପୁଅ ମନୋରଂଜନ ଦାସଙ୍କୁ ଗିରଫ କରାଯାଇ ଖୋର୍ଦ୍ଧା ଅଣାଯାଇଥିଲା । ଏହି ଖବର ପାଇଁ ସଂଗଠନର ଶତାଧିକ ସଦସ୍ୟ ଓ ସମର୍ଥକମାନେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ, କୋର୍ଟ ସମ୍ମୁଖରେ ଭିଡ଼ ଲଗାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଆଜି ମାନସ ଓ ମନୋରଂଜନଙ୍କୁ ଗିରଫ କରି ଖୋର୍ଦ୍ଧା ଅଣାଯାଇଥିବା ଓ ସେମାନଙ୍କୁ ଏସ୍ପି କାର୍ଯ୍ୟାଳୟରେ ରଖାଯାଇଥିବା ନେଇ ପ୍ରଚାର ହୋଇଥିଲା । ଏହାପରେ ସଂଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ ତରାବୋଇ, ବାଜପୁର, ତାପଙ୍ଗ, ଖୋର୍ଦ୍ଧା ଉପକଣ୍ଠରେ ରହୁଥିବା ମାନବବାଦୀ ସଂଗଠନର ପ୍ରାୟ ଦେଢ଼ ଶହ ସଦସ୍ୟ, ସମର୍ଥକ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭିଡ଼ ଲଗାଇଥିଲେ । ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖି ମାନସ ଦାସର ଜୟ ଜୟକାର କରିବା ସହ ଆମ ଗରୁଜୀଙ୍କୁ ଅନ୍ୟାୟରେ ପର କଥାରେ ପଡ଼ି ଗିରଫ କରାଯାଇଛି ବୋଲି କହିଥିଲେ । ସେମାନେ ନିର୍ଯାତିତ ହୋଇ ରହିଥିବା ବେଳେ ଗୁରୁଜୀ ମାନସ ଦାସ ତାଙ୍କୁ ବାଟ ଦେଖାଇଛନ୍ତି ବୋଲି କହି ତାଙ୍କୁ ମୁକ୍ତ କରିବାକୁ ଦାବି କରିଥିଲେ । ଧୀରେ ଧୀରେ ପରିସ୍ଥିତି ଉତ୍ତେଜନାମୂଳକ ହେବାକୁ ଲାଗିଥିଲା । ପରେ ସମ୍ଭାବ୍ୟ ଉତ୍ତେଜନାକୁ ଦୃଷ୍ଟିରେ ରଖି ଅତିରିକ୍ତ ପୁଲିସ ବଳ ଅଣାଯାଇଥିଲା । ରାତି ପ୍ରାୟ ୯ଟା ଯାଏଁ ସେଠାରେ ଅପେକ୍ଷା କରିବା ପରେ ସେମାନେ ଫେରିଯାଇଥିଲେ । ସେହିଭଳି କୋର୍ଟ ସମ୍ମୁଖରେ ମଧ୍ୟ ମାନସ ଦାସର ସମର୍ଥକଙ୍କ ଭିଡ଼ ଜମିଥିଲା । ତେବେ ଭିଡ଼ ଓ ସମ୍ଭାବ୍ୟ ଉତ୍ତେଜନାକୁ ଦୃଷ୍ଟିରେ ରଖି ଭାର୍ଚୁଆଲ୍ ମାଧ୍ୟମରେ ଉଭୟ ମାନଓ ଓ ମନୋରଂଜନଙ୍କୁ କୋର୍ଟରେ ଉପସ୍ଥିତ କରାଯାଇଥିଲା ।

ସମ୍ବନ୍ଧିତ ଖବର