ହତ୍ୟା ଅଭିଯୁକ୍ତଙ୍କ ସହ ମାନସ ଦାସଙ୍କ ଘନିଷ୍ଠ ସମ୍ପର୍କ ଥିଲା

ଖୋର୍ଦ୍ଧା : ସତ୍ୟବ୍ରତ ନାୟକଙ୍କ ହତ୍ୟା ଏବଂ ମାଗୁଣି ନାୟକ ଓ ତାଙ୍କ ପୁଅ ଆନନ୍ଦଙ୍କ ଅପହରଣ ଓ ହତ୍ୟା ଉଦ୍ୟମ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ସହ ମାନବବାଦୀ ସଂଗଠନର ମୁଖିଆ ମାନସ ଦାସ ଓ ତାଙ୍କ ପରିବାରର ଘନିଷ୍ଠ ସମ୍ପର୍କ ଥିଲା । ସେମାନେ ଅଭିଯୁକ୍ତଙ୍କ ସହ ମିଶି ଜନ୍ମ ଦିନ ପାଳନ କରୁଥିଲେ, ପାର୍ଟି କରୁଥିଲେ ।

ଚଳିତ ବର୍ଷ ଅଗଷ୍ଟ ୨ ତାରିଖରେ ବେଗୁନିଆ ବ୍ଲକ ଅଭିମାନପୁର ଗାଁର ସତ୍ୟବ୍ରତ ନାୟକଙ୍କ ହତ୍ୟା ଓ ୨୭ ତାରିଖରେ କଡ଼ବ ଗାଁର ମାଗୁଣି ନାୟକ ଓ ତାଙ୍କ ପୁଅ ଆନନ୍ଦଙ୍କୁ ଅପହରଣ ଓ ହତ୍ୟା ଉଦ୍ୟମ ମାମଲାରେ ତାଙ୍କର କୌଣସି ସମ୍ପର୍କ ନାହିଁ କିମ୍ବା ଅଭିଯୁକ୍ତମାନେ ସଂଗଠନର ସଦସ୍ୟ ଥିଲେ ମଧ୍ୟ ସେମାନଙ୍କୁ ସେ ଭଲଭାବେ ଜାଣନ୍ତି ନାହିଁ ବୋଲି ମାନସ ଦାସ କହୁଥିଲେ । କିନ୍ତୁ ଅଭିଯୁକ୍ତଙ୍କ ସହ ତାଙ୍କର ଓ ତାଙ୍କ ପରିବାରର ଘନିଷ୍ଠ ସମ୍ପର୍କ ଥିଲା । ସେମାନଙ୍କ ସହ ମାନସ ଦାସ ଜନ୍ମଦିନ ପାଳନ କରିବା ସହ ନୂଆବର୍ଷ ପାର୍ଟି ମଧ୍ୟ କରୁଥିଲେ । ଏନେଇ ପ୍ରମାଣ ଉଭୟ ପୁଲିସ ଓ ଗଣମାଧ୍ୟମ ନିକଟରେ ପହଂଚିଛି ।
୨୦୧୮ରେ ଭୁବନେଶ୍ୱରରେ ଅନୁଷ୍ଠିତ ମାନସ ଦାସ ଓ ରାଷ୍ଟ୍ରୀୟ ସାମାଜିକ ନ୍ୟାୟମଂଚର ଜନ୍ମ ଦିବସରେ ମାନସ ଦାସଙ୍କ ଭୁବନେଶ୍ୱରସ୍ଥ ବାସଭବନରେ କ୍ୟାକ୍ କଟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମାନସ ଦାସ, ତାଙ୍କ ପତ୍ନୀ ଓ ପୁଅ ମନୋରଂଜନଙ୍କ ସହ ସଂଗଠନର ଘନିଷ୍ଠ ୬-୭ ଜଣ ସଦସ୍ୟ କେବଳ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରେ ଅଭିଯୁକ୍ତ ମୀନକେତନ, ଟୁଲୁ ବେହେରା, ବିଜୟ ନାୟକ, ସ୍ୱପ୍ନେଶ୍ୱର ନାୟକ ଉପସ୍ଥିତ ଥିଲେ । ସେହିଭଳି ୨୦୧୯ ନୂଆ ବର୍ଷ ପାଳନରେ ମଧ୍ୟ ଉପରୋକ୍ତ ଅଭିଯୁକ୍ତଙ୍କ ସହ ଅନ୍ୟତମ ଅଭିଯୁକ୍ତ ଶ୍ୟାମଘନ ନାୟକ ଉପସ୍ଥିତ ଥିଲା । ଏହି ତଥ୍ୟ ପରେ ଅଭିଯୁକ୍ତଙ୍କ ସହ ମାନସ ଦାସ ଓ ମନୋରଂଜନଙ୍କ ଘନିଷ୍ଠ ସମ୍ପର୍କ ସ୍ପଷ୍ଟ ହୋଇଯାଇଛି ।
ତେବେ ଏନେଇ କେନ୍ଦ୍ରାଂଚଳ ଆଇଜି ନରସିଂହ ଭୋଳ କହିଛନ୍ତି ଯେ ଯଦିଓ ଅଭିଯୁକ୍ତଙ୍କ ସହ ମାନସ ଓ ମନୋରଂଜନଙ୍କ ସମ୍ପର୍କର ଏହି ଚିତ୍ର ଓ ଭିଡ଼ିଓ ପୁଲିସ ନିକଟରେ ପହଂଚିଛି ଓ ଏହିଗୁଡ଼ିକୁ ତଦନ୍ତର ପରିସରଭୁକ୍ତ କରିଛି ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର