ହକି ସ୍ବପ୍ନ ପୂରଣ ପାଇଁ ପଳାଶ ଫୁଲ ବିକୁଥିଲେ ମାନସ, ‘ଆଦିମ ସଂସ୍କୃତି ବିଚାର ଧାରା’ ବଢ଼ାଇଲା ହାତ

ସୁନ୍ଦରଗଡ଼: ରାଜଗାଙ୍ଗପୁର ରାଇକାକଛାରର ମାନସ ଟପ୍ପୋ, ୧୦ ବର୍ଷର ଆଦିବାସୀ ବାଳକ। ଗାଁ ପଡ଼ିଆରେ ହକି ଖେଳୁଥିବା ତାଙ୍କ ବୟସର ପିଲାମାନଙ୍କୁ ଦେଖି ସେ କୁରୁଳି ଉଠୁଥିଲେ। ସିଏ ବି ହକି ଖେଳିବ, ପଦ୍ମଶ୍ରୀ ଦିଲୀପ ତିର୍କୀଙ୍କ ପରି ତାରକା ହେବ। କୁନି ମନରେ ଜାଗିଥିଲା ସ୍ବପ୍ନ। କିନ୍ତୁ ଘରର ଅଭାବ ମାନସଙ୍କ ବାଟ ଓଗାଳିଥିଲା। ବାପା ସୁରେନ୍ଦ୍ର ଟପ୍ପୋଙ୍କ ଅତି ଛୋଟ ଦୋକାନରୁ ଯାହା ମିଳୁଥିଲା, ତାହା ପେଟକୁ ନିଅଣ୍ଟ ଥିଲା। ଅଭାବୀ ମଣିଷର ପେଟ ପୂରିଲେ ତ ଖେଳ କଥା ଭାବିବ, ତେଣୁ ବାପାଙ୍କୁ ହକି ବାଡ଼ି ପାଇଁ କେବେ କହି ନଥିଲେ ସେ। ହାତରେ ହକି ବାଡ଼ି ଥିଲେ ସିନା ପଡ଼ିଆକୁ ଓହ୍ଲାଇ ପାରିବ।

ହକି ବାଡ଼ି କିଣିବାକୁ କିଏ ଦେବ ଟଙ୍କା, କଅଁଳ ମନ ଘାରି ହେଲା। ଶେଷକୁ ପଳାଶ ଫୁଲ ସଂଗ୍ରହ କରି ତାକୁ ବଜାରରେ ବିକି ହକି ବାଡ଼ି କିଣିବାକୁ ନିଷ୍ପତ୍ତି ନେଲେ ମାନସ। ଖରାତରା ନମାନି ପଳାଶ ଫୁଲ ଗୋଟାଇବା ରେ ଲାଗିଗଲେ ସେ। ତାକୁ ଆଣି ଶୁଖାଇ ସାଇକଲରେ ବୋଝେଇ କରି ରାଜଗାଙ୍ଗପୁର ହାଟକୁ ନେଇ କେଜି ପ୍ରତି ୨୦ ଟଙ୍କାରେ ବିକିଲେ ମାନସ। ପ୍ରଥମ ପାଳିରେ ମାତ୍ର ୬୦ ଟଙ୍କା ହାତକୁ ଆସିଥିଲା।

ସଂଯୋଗକ୍ରମେ ସେଦିନ ହାଟରେ ପଳାଶ ଫୁଲ ଧରି ବସିଥିବା ମାନସଙ୍କ ଉପରେ ‘ଆଦିମ ସଂସ୍କୃତି ବିଚାରଧାରା’ ଓଡ଼ିଶାର ସଂଯୋଜକ ଦେବେନ୍ଦ୍ର ପ୍ରସାଦ ମାଝୀଙ୍କ ନଜର ପଡ଼ିଥିଲା। ଶ୍ରୀ ମାଝୀ ପଚାରି ବୁଝିବା ପରେ ଜାଣିଥିଲେ ମାନସଙ୍କ କୁନି ମନରେ କଅଁଳିଥିବା ସ୍ବପ୍ନକୁ। ଆଉ ବଢ଼ାଇଥିଲେ ହାତ। ‘ଆଦିମ ସଂସ୍କୃତି ବିଚାରଧାରା’ ପକ୍ଷରୁ ହକି ବାଡ଼ି, ବଲ୍, ଜୋତା, ଜର୍ସି, ଗାର୍ଡ ଆଦି ସମସ୍ତ ହକି ଉପକରଣ କିଣି ଶ୍ରୀ ମାଝୀ ତାଙ୍କ ଘରକୁ ଯାଇ ମାନସ ହାତରେ ଦେଇଥିଲେ। ଚାନ୍ଦ ପାଇଲା ପରି ଖୁସି ହୋଇ ଯାଇଥିଲେ ସେ । ଚଟାପଟ ଜର୍ସି,ଜୋତା ପିନ୍ଧି ହକି ବାଡ଼ି ଧରି ପଡ଼ିଆକୁ ଧାଇଁଥିଲେ। ସ୍ବପ୍ନଭୁକ୍ ମାନସଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ‘ଆଦିମ ସଂସ୍କୃତି ବିଚାରଧାରା’ର ଏ ଛୋଟ ସହାୟତା ଏବେ ସାଧାରଣରେ ବେଶ ପ୍ରଶଂସା ସାଉଁଟିଛି।

ସମ୍ବନ୍ଧିତ ଖବର