ଖମ୍ବେଶ୍ୱରୀଙ୍କ ମଣ୍ଡେଇ ଯାତ୍ରାରେ ଦେବୀ ପୀଠ ରକ୍ତ ରଞ୍ଜିତ

ଚନ୍ଦାହାଣ୍ଡି: ପାନାବେଡାର ଅଧିଷ୍ଠାତ୍ରୀ ଦେବୀ ମା’ ଖମ୍ବେଶ୍ବରୀଙ୍କ ମଣ୍ଡେଇ ଯାତ୍ରାର ପ୍ରଥମ ଦିନ ଦେବୀଙ୍କ ଆସ୍ଥାନ ନିକଟରେ ଶହଶହ ମନସ୍କାମନା ଧାରି ଛାଗ କୁକୁଡ଼ା ଆଦି ବଳି ଦେଇ ଥିବାରୁ ମାଁଙ୍କ ପୀଠ ରକ୍ତ ରଞ୍ଜିତ ହୋଇଛି। ପାନାବେଡା ଅଞ୍ଚଳ ପୂର୍ବରୁ ଖଡ଼ିଆଳ ରାଜାଙ୍କ ଶାସନାଧୀନ ରହିଥିଲା ଏବଂ କାଳକ୍ରମେ ଜୟପୁର ରାଜାଙ୍କ ସହ ଖଡ଼ିଆଳ ରାଜାଙ୍କ ବନ୍ଧୁତା ହେବାରୁ ଏହି ଅଞ୍ଚଳକୁ ଜୟପୁରର ରାଜାଙ୍କୁ ପାନ ବିଡ଼ି ଖର୍ଚ୍ଚ ନିମନ୍ତେ ଭେଟି ଦିଆ ହୋଇଥିଲା ଓ ଭାଷାର ଅପଭ୍ରଂଶ ହୋଇ ଏହା ସମୟକ୍ରମେ ପାନାବେଡ଼ା ବୋଲି ଅଭିହିତ କରାଗଲା।

କିମ୍ବଦନ୍ତୀ ଅଛି ଖଡ଼ିଆଳର ସାମନ୍ତ ରାଜା ଆର୍ତ୍ତତ୍ରାଣ ସିଂହଦେଓଙ୍କ ବଂଶଧର ମାନେ ଏହି ଅଞ୍ଚଳକୁ ଗସ୍ତ କରିଥିଲେ। ଯାହାର ପ୍ରମାଣ ପଲସାପଡ଼ାର ରାଜାପଡ଼ା ବୋଲି କୁହାଯାଏ। ତେବେ ଏହି ଅଞ୍ଚଳର ମୁଖ୍ୟ ଦେବାଦେବୀଙ୍କ ମଧ୍ୟରେ ମୋତିଗାଁର ଖମ୍ବେଶ୍ୱରୀ, ମଣ୍ଡଳ ଭିମା, ଖଲିଗଡେନ୍, ପାହାଡ ଦି, ପାଟରାଣୀ ପ୍ରମୁଖ ଦେବାଦେବୀ କେଉଁ ଏକ ଅଜଣା କାଳରୁ ପୂଜା ପାଇ ଆସୁଛନ୍ତି। ମଣ୍ଡଳ ଭୀମାଙ୍କୁ ଚଇତା ଗାଉଟିଆଙ୍କ ବଂଶଧର ପୂଜା କରୁଥିବା ବେଳେ ଖମ୍ବେଶ୍ୱରୀଙ୍କୁ ଫଡକୁ ନେଙ୍ଗିଙ୍କ ବଂଶଧର, ପାହାଡ ଦିଙ୍କୁ ଉଦ୍ଧମ ପାତରଙ୍କ ବଂଶଧର, ପାଟରାଣୀଙ୍କୁ ଖୁଟି କନିଆର୍ ଓ ବୁଟି କନିଆରଙ୍କ ବଂଶଧର ସେବା କରି ଆସୁଛନ୍ତି। କଥିତ କିମ୍ବଦନ୍ତୀ ଅନୁସାରେ ମାଁ ଖମ୍ବେଶ୍ୱରୀଙ୍କ ଉତ୍ପତ୍ତି ଓ ପୂଜାବିଧି ଅତି ନିଆରା ଅଟେ। ମାଁ ଖମ୍ବେଶ୍ୱରୀଙ୍କ ପୀଠସ୍ଥଳକୁ ପାନାବେଡା ବୋଲି ବୋଲି କୁହାଯାଉଥିବା ବେଳେ ମାଁଙ୍କ ପୀଠସ୍ଥଳୀ ଅନୁସାରେ ଏହି ଅଞ୍ଚଳ ନାମିତ ରହିଥିବା ମଧ୍ୟ କିମ୍ବଦନ୍ତୀ ରହିଛି। କଥିତ ଅଛି ପୂର୍ବରୁ ମୋତିଗାଁ ଅଞ୍ଚଳରେ ଗଣ୍ଡ ଜାତିର ନେଙ୍ଗୀ ସଂଜ୍ଞା ଧାରୀ ଯଦୁବଂଶୀ ଓ ଭୁଞ୍ଜିଆ ଜାତିର ଉଦ୍ଧମ ପାତରଙ୍କ ବଂଶଧର ମାନେ ରହି ଆସୁଥିଲେ। ଦିନେ ଏହି ଦୁଇ ଆଦିବାସୀ ସମ୍ପ୍ରଦାୟର କିଛି ଲୋକ ପାଖ ଜମିକୁ କନ୍ଦମୂଳ ଖୋଳିବାକୁ ଯାଇଥିଲେ। କନ୍ଦମୂଳ ଖୋଳିବା ସମୟରେ ଶାବଳ ଦ୍ଵାରା ଏକ ଲିଙ୍ଗ ସଦୃଶ୍ୟ ଖମ୍ବ ଉପରେ ପ୍ରହାର ହୋଇଥିଲେ। ଏହି ସମୟରେ ଉକ୍ତ ଲିଙ୍ଗରୁ ରକ୍ତ ପ୍ରବାହ ଛୁଟି ବାରେ ଲାଗିଲା।

ଘଟଣା ସମ୍ପର୍କରେ କହିବାରୁ ଦୁଇ ଆଦିବାସୀ ଜାତି ଗଣ୍ଡ ଓ ଭୂଞ୍ଜିଆ ଏହାର କାରଣ ଜାଣିବାକୁ ଦିସାରିଙ୍କୁ ଡାକି ଦେବୀଙ୍କୁ ଆହ୍ବାନ କରିବା ପରେ ଦେବୀ ପ୍ରସନ୍ନ ହୋଇ ସେ ଖମ୍ବେଶ୍ୱରୀ ଦେବୀ ଓ ତାଙ୍କ ଖମ୍ବ ଉପରେ ଆଘାତ ହୋଇଥିବାରୁ ରକ୍ତ ପ୍ରବାହ ହେଉଛି ବୋଲି କହିଥିଲେ। ଯଦି ତାଙ୍କୁ ପୂଜାବିଧି ପ୍ରକାରେ ଉପାସନା କରାଯାଏ ତେବେ ଶାନ୍ତ ହେବେ ବୋଲି ଦିସାରୀ ଓ ଶୀରା ପ୍ରକାଶ କରିଥିଲେ। ଦେବୀଙ୍କୁ ପୂଜା କରିବାକୁ ହେଲେ ଶ୍ରାବଣ ପୂର୍ଣ୍ଣିମା ଦିନ ବୋହଲେନ ଯାତ୍ରାରେ ଓ ବୈଶାଖ ପୂର୍ଣ୍ଣିମାରେ ମଣ୍ଡେଇ ଯାତ୍ରାରେ ବାର ପୁଟି ଚାଉଳ ଓ ଷୋହଳଟି ବୋଦା ବଳି ଦେଇ ପର୍ବ ପାଳନ କରିବାକୁ ଦେବୀ ନିର୍ଦ୍ଦେଶ ଦେଇଥିଲେ। ପରମ୍ପରା ଅନୁସାରେ ବର୍ତ୍ତମାନ ମଧ୍ୟ ବାର ପୁଟି ଚାଉଳ ଅର୍ଥାତ୍ ବାରଟି ଦୋନାରେ ଚାଉଳ ଓ ଷୋହଳଟି ବୋଦା ବଳି ଦେଇ ମାଁ ଖମ୍ବେଶ୍ୱରୀଙ୍କ ପୂଜା କରାଯାଇଥାଏ। ପରମ୍ପରା ଅନୁଯାୟୀ ଗଣ୍ଡ ନେଂଗୀ ବଂଶାବଳୀ ଓ ଭୂଞ୍ଜିଆ ପାତର ବଂଶାବଳୀ ଜଣେ ପତ୍ର ରଖିଲେ ଆଉ ଜଣେ ଚାଉଳ ପୁଞ୍ଜି କରି ତାପରେ ଦ୍ଵୀପ ଦେଇ ପୂଜା କରିବାର ବିଧି ରହିଛି। ତେବେ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ପ୍ରତାପ ପୂଜାରୀଙ୍କ ଅନ୍ତେ ଚେନ୍ ସିଂହ ପୂଜାରୀ ମାଁ ଖମ୍ବେଶ୍ୱରୀଙ୍କ ପୂଜନ କାର୍ଯ୍ୟ କରି ଆସୁଛନ୍ତି। ପୂଜା କାର୍ଯ୍ୟରେ କରୁଣା ପୁଜାରୀ, ଦୁଲ୍ଲଭ ପୁଜାରୀ, ମହେଶ୍ବର ଦାସ, ବଂଶୀ ନାୟକ, ହୁସିଆର ବିଶି, ନରେଶ୍ବର ବେଶ୍ରା, ନିଲାମ ବାଘ, ମୁକେଶ ନାୟକ, ଅପୂର୍ବ ବାଘ, ଅରଖିତ କାଣ୍ଡ, ଚନ୍ଦ୍ର ମାଝୀ, କେଦାର ମାଝୀଙ୍କ ସମେତ ମୋତିଗାଁ, ଫୁଣ୍ଡେଲପଡା, ପଲସାପଡା, ଖୈରଭାଡି ଅଞ୍ଚଳର ଶତାଧିକ ଚାଷୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର