କାଣ୍ଡେଲ ପ୍ୟାକ୍ସର ବାଲସି ମଣ୍ଡିକୁ ବନ୍ଦ କରିବା ପାଇଁ ମସୁଧା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ୨୬ ଗୋଟି ପଞ୍ଚାୟତର ୭ ଗୋଟି ସେବା ସମବାୟ ସମିତି ଅଧିନରେ ଚଳିତ ଖରିଫ ଋତୁ ଚାଷର ଉତ୍ପାଦିତ ଧାନ କ୍ରୟ କରିବା ପାଇଁ ୧୪ ଗୋଟି ଧାନକ୍ରୟ କେନ୍ଦ୍ର ଖୋଲିବା ନେଇ ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଇଛି । ଯାହାକି ଗୋକୁଳେଶ୍ୱର,କଶୃପଡା,କାଣ୍ଡେଲ,କେସିଙ୍ଗା,ପାଷ୍ଟିକୁଡି,ଟୁଣ୍ଡଲା ଓ ଉତ୍କେଲା ସେବା ସମବାୟ ଜରିଆରେ ୨୬ ପଞ୍ଚାୟତର ଚାଷୀମାନଙ୍କ ଠାରୁ ଧାନକ୍ରୟ କରାଯିବ । ତେବେ କାଣ୍ଡେଲ ସେବା ସମବାୟ ସମିତି ଅଧିନରେ କାଣ୍ଡେଲ, ସିରୋଲ, ବାଲସି ଓ ପରଲସିଙ୍ଗା ପଞ୍ଚାୟତ ଯାଉଥିବା ବେଳେ ୩ ଗୋଟି ଧାନ କ୍ରୟ କେନ୍ଦ୍ର ଚୟନ ହୋଇଛି ।

କାଣ୍ଡେଲ ଧାନ କ୍ରୟ କେନ୍ଦ୍ରରେ କାଣ୍ଡେଲ ପଞ୍ଚାୟତର ଚାଷୀମାନେ ଧାନ ବିକ୍ରି କରିବା ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ସିରୋଲ ଉପକେନ୍ଦ୍ରରେ ସିରୋଲ ଓ ପରଲସିଙ୍ଗା ପଞ୍ଚାୟତର ଚାଷୀମାନେ ଧାନ ବିକ୍ରୟ କରିବେ । ସେହିପରି ବାଲସି ଉପକେନ୍ଦ୍ରରେ ବାଲସି ପଞ୍ଚାୟତର ବାଲସି, ରେଙ୍ଗାଲି, ମଶାଣିବନ୍ଧ ଓ କୋକୋଡମାଲ ଗ୍ରାମର ପଞ୍ଜିକୃତ ଚାଷୀମାନେ ଧାନ ବିକ୍ରି କରିବେ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି । ଯାହାକି ପୂର୍ବବର୍ଷରୁ ଏହା ନିଷ୍ପତ୍ତି କରାଯାଇଥିଲା ଏବଂ ଚାଷୀମାନଙ୍କ ସୁବିଧା ଓ ଭିତ୍ତିଭୂମି ଥିବା ଦୃଷ୍ଟିରୁ ବାଲସି ଉପକେନ୍ଦ୍ର ପଞ୍ଚାୟତ ଅଫିସ୍ ନିକଟରେ ଧାନକ୍ରୟ କେନ୍ଦ୍ର ଖୋଲାଯାଇଥିଲା । ହେଲେ ଚଳିତ ବର୍ଷ ବାଲସି ଗ୍ରାମରେ ହେବାକୁ ଥିବା ଧାନକ୍ରୟ କେନ୍ଦ୍ରରେ କାଣ୍ଡେଲ ସମବାୟ ସମିତିର କତ୍ତୃପକ୍ଷ ଧାନ କିଣିବା ପାଇଁ କୈାଣସି କାରଣ ନଥାଇ ମନା କରିବା ଓ ବାଲସି ପଞ୍ଚାୟତର ଅନ୍ୟ ଏକ ସ୍ଥାନରେ ଧାନକ୍ରୟ କେନ୍ଦ୍ର କରିବା ବିଷୟକୁ ନେଇ ବାଲସି ଗ୍ରାମର ଚାଷୀ ମହଳରେ ଅସନ୍ତୋଷ ପ୍ରକାଶ ପାଇଛି । କାହା ସ୍ୱାର୍ଥନେଇ ବାଲସି ଗ୍ରାମରେ ହେବାକୁ ଥିବା ଧାନ କ୍ରୟ କେନ୍ଦ୍ରକୁ ପ୍ୟାକ୍ସ କତ୍ତୃପକ୍ଷ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଉଛନ୍ତି ବୋଲି ଚାଷୀ ମାନଙ୍କ ଠାରେ ପ୍ରଶ୍ନ ହେବା ସହ ଧାନମଣ୍ଡି ସମୟରେ ମିଲର ପ୍ରତିନିଧିଙ୍କ ସହିତ କାଣ୍ଡେଲ ସେବା ସମବାୟ କର୍ତୃପକ୍ଷଙ୍କ ସଲାସୁତୁରା ଓ ଲାଭଖୋର ମନୋଭାବ ଯୋଗୁଁ ଚାଷୀ ଧାନ ବିକ୍ରି କରିବାରେ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି ଓ କଟନି ଛଟନିକୁ ଗ୍ରାମର ଚାଷୀମାନେ ବିରୋଧ କରିଥାନ୍ତି ।

ସେହି ଦୃଷ୍ଟିରୁ ପ୍ୟାକ୍ସ କତ୍ତୃପକ୍ଷ ନିଜର ଦୋଷ ଲୁଚାଇବା ପାଇଁ ବାଲସି ଗ୍ରାମରେ ଧାନ କ୍ରୟ କରିବା ପାଇଁ ଅନିଚ୍ଛା ପ୍ରକାଶ କରୁଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରୁଛନ୍ତି । ବାଲସି ଗ୍ରାମର ପଞ୍ଚାୟତ ନିକଟରେ ପୂର୍ବବର୍ଷ ଭଳି ଧାନ କ୍ରୟ କେନ୍ଦ୍ର ଖୋଳିବାକୁ ଚାଷୀମହଳରେ ଦାବି ହେଉଛି । ଯଦି ବାଲସି ଗ୍ରାମର ଧାନକ୍ରୟ କେନ୍ଦ୍ର ପଞ୍ଚାୟତ ନିକଟରେ ନଖୋଳିଳେ ବାଲସି ଗ୍ରାମର ଚାଷୀମାନେ ଅନେକ ଅସୁବିଧାର ସମ୍ମୁଖିନ ହେବେ । ତେଣୁ ଏଥିପ୍ରତି ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବା ପାଇଁ ପଞ୍ଜିକୃତ ହୋଇଥିବା ବାଲସି ଗ୍ରାମର ଚାଷୀଙ୍କ ଠାରୁ ଯଥାଶୀଘ୍ର ଧାନ କ୍ରୟ କରିବା ପାଇଁ ଚାଷୀ ମହଳରେ ଦାବି ହେଉଛି ।

ସମ୍ବନ୍ଧିତ ଖବର