ଜୟପୁର: ମଣ୍ଡିରେ ଧାନ କିଣିବା ଟାର୍ଗେଟ ରାଜ୍ୟ ସରକାର ଠିକଣା ସମୟରେ ଦେଉ ନାହାନ୍ତି। ସବୁକୁ ଅନ୍ନ ଦେଉଥିବା ଚାଷୀଙ୍କ ସହ ସଂପ୍ରତି ଖେଳ ଚାଳିଛି। ଗତ ଦୁଇ ଦିନ ହେବ ପ୍ରବଳ ଶୀତ କାକରରେ ଆମେ ମଣ୍ଡିକୁ ଧାନ ନେଇ ଜଗି ରହିଛୁ। ରହିବା ପାଇଁ ବ୍ୟବସ୍ଥା ନାହିଁ। ଧାନ ଘୋଡାଇ ରଖିବାକୁ ପଲିଥିନ୍ ଖଣ୍ଡିକ ବି ମିଳିନି।ଚାଷୀ ନିଜେ ନିଜ ବ୍ୟବସ୍ଥାରେ ଧାନ ମଣ୍ଡିରେ ରଖି ଜଗି ବସିଛି। ଆମ ମଧ୍ୟରୁ କେହି ମାନସିକ ଚାପରେ ଆତ୍ମହତ୍ୟା କଲେ ଯାଇ ସରକାର ଜାଗିବ କି ବୋଲି ପ୍ରଶ୍ନ କରିଛନ୍ତି ଚାଷୀ ଶୀତଳ କୁମାର ରଥ, କୃତିବାସ ନାୟକ, ଲବ ପରଜା, ସୁରେନ୍ଦ୍ର ସାହୁ, ଯୋଗିରାମ କୃଷ୍ଣ ସାହୁ, ଶିବ ମାଝୀ, ରଘୁ ସାହୁ, ବନପତି ହରିଜନ, ସିଙ୍ଗି ନାୟକ, ନାରାୟଣ ମୁଦିଲି, ଟି. ମହାଲକ୍ଷ୍ମୀ ରାଓ, ଖଗପତି ଗୌଡ, ନାରାୟଣ ମୁଦୁଲି, ବୁଦ୍ରା ଜାନୀ, ଲକ୍ଷ୍ମଣ ଜାନୀ।
ଗତକାଲିରୁ ଆଜି ପର୍ଯ୍ୟନ୍ତ ମଣ୍ଡିକୁ ଧାନ ନେଇ ହଟହଟା ହେବା ପରେ ଚାଷୀମାନେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ନିଜ ଆପତ୍ତି ଅଭିଯୋଗ ଜଣାଇବାକୁ ଆସିଥିଲେ। ମଣ୍ଡି ପାଇଁ ଟାର୍ଗେଟ ସରକାର ଦେଉନଥିବା ଏବଂ ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଉଠିଥିବା ପ୍ରତିକ୍ରିୟାକୁ ନେଇ ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହେଉଥିବା ବୈଠକରେ ଯୋଗ ଦେବାକୁ ଜିଲ୍ଲା ଯୋଗାଣ ଅଧିକାରୀ ଯାଇଥିବାରୁ ଚାଷୀ ମାନେ ଭେଟି ପାରିନଥିଲେ। ଯଦି କ୍ରୟକାରୀ ସଂସ୍ଥାକୁ ଟାର୍ଗେଟ ନଥିଲା ତେବେ କାହିଁକି ଓ କେଉଁ ପରିସ୍ଥିତିରେ ଚାଷୀଙ୍କୁ ଟୋକେନ୍ ଇସ୍ୟୁ କରାଯାଇ ମୋବାଇଲ୍ ମେସଜ୍ ଦିଆଗଲା ବୋଲି ଚାଷୀ ମାନେ ପ୍ରଶ୍ନ କରିଛନ୍ତି। ଚାଷୀଙ୍କୁ ଏଭଳି ହଟହଟା କରି ହଇରାଣ ହରକତ କରିବା କେତେ ଦୁର ଯୁକ୍ତିଯୁକ୍ତ ବୋଲି ଚାଷୀ ମାନେ ପ୍ରଶ୍ନ କରିଛନ୍ତି।
/sambad/media/post_attachments/wp-content/uploads/2021/01/jpr-mandiee-bondh-3-badajiuna-3-1024x768.jpg)
ଆମେ କେଉଁ ଦୃଷ୍ଟିରୁ ଦେଶର ମେରୁଦଣ୍ଡ, ଖରା, ବର୍ଷା, ଶୀତ କାକର ସହି ଚାଷ କରୁଛୁ। କେତେ ବେଳେ ଧାନ ବିହନ ଆଉ କେତେବେଳେ ସାର, କୀଟନାଶକ ଔଷଧ ପାଇଁ ଧାଁ ଧପଡ ହେବାକୁ ପଡ଼ୁଛି ବୋଲି କହିଛନ୍ତି ଉପରୋକ୍ତ ଚାଷୀ। ଅନ୍ୟ ପକ୍ଷରେ ଗତ ଦୁଇ ଥର ହେବ ସ୍ବଳ୍ପ ଟାର୍ଗେଟ ଆସିଥିବାରୁ ଏବେ ଚାଷୀ, ଧାନକ୍ରୟକାରୀ, ପରିଚାଳନା କରୁଥିବା ସରକାରୀ ସଂସ୍ଥା ଅଯଥାରେ ହୀନସ୍ତା ହେଉଛନ୍ତି। ଜିଲ୍ଲାସ୍ତରୀୟ ଧାନ କିଣା ବୈଠକରେ ଜିଲ୍ଲାରେ ୩୩ହଜାର ୨୩୬ଜଣ ଚାଷୀ ଧାନ ବିକ୍ରୀ କରିବାକୁ ପଂଜିକରଣ କରିଥିବାରୁ ଏହାକୁ ଦୃଷ୍ଟିରେ ରଖି ପ୍ରାୟ ୨୯ଲକ୍ଷ କୁଇଣ୍ଟାଲ ଧାନ କିଣିବାକୁ ଲକ୍ଷ୍ୟ ରହିଥିଲା। ସରକାର ଏହା ମଧ୍ୟରେ ପର୍ୟ୍ୟାୟକ୍ରମରେ ୨୦ଲକ୍ଷ କୁଇଣ୍ଟାଲ ଧାନ କିଣିବାକୁ ଲକ୍ଷ୍ୟ ଦେଇଥିଲେ।
ଗତ ଦୁଇ ଦିନ ତଳେ ୧୭ହଜାର କୁଇଣ୍ଟାଲ ଓ ଏବେ ୭୨ହଜାର କୁଇଣ୍ଟାଲ ଲକ୍ଷ୍ୟ ଦେଇଛନ୍ତି। ଅନ୍ୟ ପକ୍ଷରେ ପ୍ରାୟ ୧୦ଲକ୍ଷ କୁଇଣ୍ଟାଲ ଧାନ ଚାଷୀଙ୍କ ନିକଟରେ ରହିଥିବା ଚାଷୀ ପ୍ରତିନିଧି ମାନେ କହିଛନ୍ତି। ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଟାର୍ଗେଟ ବଢ଼ାଇବାକୁ ଚିଠି ଦେବା ପରେ ୭୨ହଜାର କୁଇଣ୍ଟାଲ ଧାନ କିଣିବାକୁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଟାର୍ଗେଟ ଆସିଥିବା କହିଛନ୍ତି ଜିଲ୍ଲାଯୋଗାଣ ଅଧିକାରୀ ତୁଳାରାମ ନାୟକ। ତେବେ ଏହି ଟାର୍ଗେଟ ଆସିଲେ ହିଁ ଆଗକୁ ଆଉ ମଣ୍ଡି ଚାଳିବା ମୁସ୍କିଲ ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ।
/sambad/media/post_attachments/wp-content/uploads/2021/01/jpr-mandiee-bondh-3-badajiuna-1-1024x768.jpg)
ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ୨୦ଟି ଲ୍ୟାମ୍ପ, ୨୪ଟି ମହିଳା ସ୍ବୟଂ ସହାୟକ ଦଳ, ୨ଟି ପାଣିପଂଚାୟତ କ୍ରୟକାରୀ ସଂସ୍ଥା ପକ୍ଷରୁ ୨୨ହଜାର ୦୯୮ଜଣ ଚାଷୀଙ୍କ ଠାରୁ ୧୯ଲକ୍ଷ ୬୭ହଜାର୯୫୬କୁଇଣ୍ଟାଲ ଧାନ କିଣାଯାଇଛି। ଦିନକୁ ହେଉଥିବା ୨୫ଟି ମଣ୍ଡିରୁ ୧୦ରୁ ୧୫ଟି ମଣ୍ଡି ଚାଳିଛି ତେବେ ଆଗାମୀ ଦିନରେ ଆଉ ଚାଳିବା କଷ୍ଟ ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/jpr-rmc-mandiee-bondh-1.jpg)