ଜୟପୁର : ମଣ୍ଡିରେ ଧାନ କିଣିବା ଟାର୍ଗେଟ ରାଜ୍ୟ ସରକାର ଠିକଣା ସମୟରେ ଦେଉ ନାହାନ୍ତି। ଭୁତ ଚାଷୀ ନାଁରେ ପ୍ରକୃତ ଚାଷୀଙ୍କ ସହ ସଂପ୍ରତି ଖେଳ ଚାଳିଛି। ଟୋକନ୍ ଆସିଥିଲେ ହେଁ ଲ୍ୟାମ୍ପ ଗୁଡିକୁ ଆଉ ସାସ୍ ମିଳି ନଥିବାରୁ ଜୟପୁର ଉପଖଣ୍ଡର ବିଭିନ୍ନ ମଣ୍ଡିରେ ଆଘୋଷିତ ଭାବେ ଆଜି ଧାନ କିଣା ବନ୍ଦ କରି ଦେଇଛନ୍ତି। ଅନ୍ୟ ପକ୍ଷରେ ଜୟପୁର ଉପଖଣ୍ଡର ବିଭିନ୍ନ ମଣ୍ଡିରେ ଚାଷୀଙ୍କ ନିକଟରେ ସାଢ଼େ ୨ଲକ୍ଷ କୁଇଣ୍ଟାଲ ଧାନ ଗଚ୍ଛିତ ରହିଥିବା ଚାଷୀ ପ୍ରତିନିଧି ମାନେ କହିଛନ୍ତି। ୨୦ଟି ଲ୍ୟାମ୍ପ, ୨୩ଟି ମହିଳା ସ୍ବୟଂ ସହାୟକ ଦଳ, ୨ଟି ପାଣିପଂଚାୟତ କ୍ରୟକାରୀ ସଂସ୍ଥା ପକ୍ଷରୁ ୩୪ହଜାର ୬୪୪ଜଣ ଚାଷୀଙ୍କ ଠାରୁ ୨୨ଲକ୍ଷ ୮୦ହଜାରକୁଇଣ୍ଟାଲ ଧାନ କିଣାଯାଇଛି ।
ସୂଚନା ଅନୁଯାୟୀ, ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରଥମେ ୨୨ଲକ୍ଷ କୁଇଣ୍ଟାଲ ଧାନ କିଣିବାକୁ ଲକ୍ଷ୍ୟ ଦେଇଥିଲେ। ତାହା କିଣାଯିବା ପରେ ପୁଣି ତହସିଲଦାରଙ୍କ ଟିମ୍ ସର୍ଭେ କରି ରିପୋର୍ଟ ଦାଖଲ କରିବା ଏବଂ ଡ୍ରୋନସର୍ଭେ ପରେ ପୁଣି ୮୦ହଜାର କୁଇଣ୍ଟାଲ୍ ଧାନ କିଣିବାକୁ ଟାର୍ଗେଟ ଦିଆଯାଇଥିଲା। ଜିଲ୍ଲା ଯୋଗାଣ ବିଭାଗ ୨ୟ ପର୍ଯ୍ୟାୟରେ ଆସିଥିବା ୮୦ହଜାର କୁଇଣ୍ଟାଲ ଧାନ କିଣା ସାସ୍ ଛାଡି ଥିଲେ। ଏବେ ଜିଲ୍ଲା ଯୋଗାଣ ବିଭାଗ ନିକଟରେ ଧାନ କିଣିବା ପାଇଁ ଆଉ ସାସ୍ ନଥିବା ବେଳେ ଚାଷୀଙ୍କ ନିକଟରେ ସାଢ଼େ ୨ଲକ୍ଷ କୁଇଣ୍ଟାଲ ଧାନ ରହିବା ଚିନ୍ତା ଜନକ ବିଷୟ ।
ଜିଲ୍ଲାପାଳଙ୍କ ନିର୍ଦେଶରେ ପୁଣି କେତେ ଧାନ ଚାଷୀଙ୍କ ନିକଟରେ ରହିଛି ତାହାର ସର୍ଭେ କରି ପୁଣି ରିପୋର୍ଟ ଦେବ। ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଅବଗତ କଲେ ରାଜ୍ୟ ସରକାର ତୃତୀୟ ପର୍ଯ୍ୟାୟ ଟାର୍ଗେଟ ଦେବେ ବୋଲି ଜିଲ୍ଲାଯୋଗାଣ ବିଭାଗ ଆଶାରେ ରହିଛନ୍ତି। ଧାନ କିଣା ନ ଗଲେ ମାନସିକ ଭାରକ୍ରାନ୍ତ ହୋଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବୁ ବୋଲି ଚାଷୀ କୃତିବାସ ନାୟକ, ଲବ ପରଜା ଓ ଅନ୍ୟ ଚାଷୀମାନେ କହିଛନ୍ତି। ଯଦି କ୍ରୟକାରୀ ସଂସ୍ଥାକୁ ଟାର୍ଗେଟ ନଥିଲା ତେବେ କାହିଁକି ଓ କେଉଁ ପରିସ୍ଥିତିରେ ଚାଷୀଙ୍କୁ ଟୋକେନ୍ ଇସ୍ୟୁ କରାଯାଇ ମୋବାଇଲ୍ ମେସଜ୍ ଦିଆଗଲା ବୋଲି ଚାଷୀ ମାନେ ପ୍ରଶ୍ନ କରିଛନ୍ତି। ଚାଷୀଙ୍କୁ ଏଭଳି ହଟହଟା କରି ହଇରାଣ ହରକତ କରିବା କେତେ ଦୁର ଯୁକ୍ତିଯୁକ୍ତ ବୋଲି ଚାଷୀ ମାନେ ପ୍ରଶ୍ନ କରିଛନ୍ତି। ଟୋକନ୍ ପାଇଥିବା ଚାଷୀଙ୍କ ଧାନ କିଣାଯିବ ନା ନାହିଁ ଏବେ ଚାଷୀ ସଂଦେହର ଦୋଛକିରେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/paddy-3.jpg)