ନାଁକୁ ମାତ୍ର ମଣ୍ଡି, ମିଲ୍‌କୁ ଯାଉଛି ଧାନ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ନାଁ’କୁ ମାତ୍ର ଖୋଲିଛି ମଣ୍ଡି। ବାସ୍ତବରେ ଦେଖିବାକୁ ଗଲେ ମଣ୍ଡି ବ୍ୟବସ୍ଥା ଏଠାରେ କିଛି କାମ କରୁନାହିଁ। ଚାଷୀମାନଙ୍କୁ ସିଧାସଲଖ ନିଜ ଧାନ ମିଲ୍‌କୁ ନେବାକୁ ପଡ଼ୁଛି। ଆଉ, ଧାନ ମିଲ୍‌କୁ ପହଂଚିଲା ପରେ ମିଲ୍‌ ମାଲିକଙ୍କ ଶୋଷଣର ଶିକାର ହେବାକୁ ପଡ଼ୁଛି।

ସମ୍ବଲପୁର ଜିଲ୍ଲାରେ ଗତ ଖରିଫ ଋତୁରେ ୧୩୨ଟି ମଣ୍ଡି/କ୍ରୟକେନ୍ଦ୍ର ‌ଖୋଲିଥିଲା। ରବି ଋତୁରେ ମାତ୍ର ୬୨ଟି ମଣ୍ଡି ଖୋଲିଛି। ଜିଲ୍ଲାର ମୁଖ୍ୟତଃ ସଦର ଏବଂ କୁଚିଣ୍ଡା ଉପଖଣ୍ଡରେ ରବି ଫସଲ ହୋଇଥାଏ। ରବି ଫସଲ ନିମନ୍ତେ କୁଚିଣ୍ଡାରେ ମାତ୍ର ୯୯୮ ଜଣ ଚାଷୀ ପଂଜୀକରଣ କରିଛନ୍ତି। ତେବେ, ସଦର ଉପଖଣ୍ଡର ମାନେଶ୍ବର, ଧନକଉଡ଼ା, ଯୁଯୁମୁରା ବ୍ଲକ୍‌ର ଅଧିକାଂଶ ଅଂଚଳରେ ରବି ଚାଷ ହୋଇଥାଏ। ‌ରେଂଗାଲି ବ୍ଲକ୍‌ର କିଛି ଅଂଚଳରେ ବି ଚାଷ ହୋଇଥାଏ। ରବି ଋତୁରେ ଖୋଲାଯାଇଥିବା ୬୨ଟି ମଣ୍ଡି ମଧ୍ୟରୁ କୁଚିଣ୍ଡା, ଜମନକିରା ବ୍ଲକ୍‌ର ଷଣ୍ଢପଥର, ବରେଇପାଲି ଭଳି ଅଳ୍ପ କେତୋଟି ମଣ୍ଡିକୁ ଛାଡ଼ିଦେଲେ ଅନ୍ୟ ଠାରେ ଆବଶ୍ୟକ ଭିତ୍ତି ନାହିଁ। ସମ୍ବଲପୁର ଜିଲ୍ଲାରେ ଗତ ୧୫ ତାରିଖରୁ ମଣ୍ଡି ଖୋଲିଥିବା ବେଳେ ଆରମ୍ଭରୁ ଚାଷୀମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି।

ମଣ୍ଡି/କ୍ରୟକେନ୍ଦ୍ରରେ ବିଭାଗୀୟ ଅଧିକାରୀମାନଙ୍କ ଦେଖିବାକୁ ମିଳୁ ନାହିଁ। କେବଳ ପେକ୍ସ ଓ ଆଏମ୍‌ସି କର୍ମଚାରୀମାନେ ସେଠାରେ ଉପସ୍ଥିତ ରହି କେଉଁ ମିଲ୍‌କୁ ଧାନ ଯିବ, ସେସଂକ୍ରାନ୍ତରେ ଚିଠା ଦେଉଛନ୍ତି। ଯେଉଁଠି ମହିଳା ସ୍ବୟଂ ସ୍ବହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି) ଧାନ କିଣୁଛି, ସେଠାରେ ସେହି ଏସ୍‌ଏଚ୍‌ଜିର ସଦସ୍ୟାମାନେ ଉପସ୍ଥିତ ରହୁଛନ୍ତି। ଚିଠାଧରି ଚାଷୀମାନଙ୍କୁ ନିଜ ଗାଡ଼ିରେ କଷ୍ଟମ ମିଲିଂ ପାଇଁ ନିୟୋଜିତ ଥିବା ମିଲ୍‌କୁ ଧାନ ନେବାକୁ ପଡ଼ୁଛି। ମିଲ୍‌କୁ ଧାନ ପହଂଚିଲା ପରେ ମିଲ୍‌ ମାଲିକଙ୍କ ମନମୁଖି ଆରମ୍ଭ ହୋଇଯାଉଛି। ଚାଷୀଙ୍କୁ ଘଣ୍ଟା ଘଣ୍ଟା ଧରି ମିଲ୍‌ରେ ଅପେକ୍ଷା କରିବାକୁ ପଡ଼ୁଛି। କଟ୍‌ନି ଛଟ୍‌ନିର ଶିକାର ହେବାକୁ ପଡ଼ୁଛି। ମିଲ୍‌ରେ ଧାନ ଓଜନ ହେବା ପରେ କଟ୍‌ନି ଛଟ୍‌ନି ବାବଦକୁ ମିଲ୍‌ ମାଲିକ ଧାନ କାଟି ଦେଉଛନ୍ତି। କିନ୍ତୁ, କେତେ ଧାନ କଟ୍‌ନି ଛଟ୍‌ନି ବାବଦକୁ କଟାଯାଉଛି, ତାହା ଚା‌ଷୀଙ୍କୁ ଦିଆଯାଉଥିବା କାଗଜରେ ଉଲ୍ଲେଖ ରହୁନାହିଁ। କଟ୍‌ନି ଛଟ୍‌ନି ବାବଦ ଧାନକୁ ବାଦ ଦେଇ ଯେତିକି ଧାନ ରହୁଛି, କେବଳ ସେତିକି ହିଁ ସେଥିରେ ‌ଉଲ୍ଲେଖ କରାଯାଉଛି।

କଟ୍‌ନି ଛଟ୍‌ନି ସଂପର୍କରେ ପ୍ରମାଣ ନରଖିବା ନିମନ୍ତେ ଏଭଳି ଉପାୟ ଅବଳମ୍ବନ କରାଯାଉଛି। ଚାଷୀମାନେ ପ୍ରତିବାଦ କଲେ ମଧ୍ୟ ସେମାନଙ୍କ କଥା ଶୁଣାଯାଉ ନାହିଁ। ନିୟମ ଅନୁଯାୟୀ, ମଣ୍ଡିରେ ଧାନ ଓଜନ ହେବା ପରେ ଚାଷୀ ସେଠାରେ ଧାନ ରଖି ନିଜ ବସ୍ତାଧରି ଘରୁ ଫେରିବା କଥା। ପରିବହନ ପାଇଁ ଯେଉଁ ସଂସ୍ଥା ନିୟୋଜିତ ହୋଇଥିବ କିମ୍ବା ଯେଉଁ ରାଇସ୍‌ ମିଲ୍‌କୁ କଷ୍ଟମ ମିଲିଂ ପାଇଁ ‌ଆଟାଚ୍ କରାଯାଇଥିବ, ସେହି ମଣ୍ଡିରୁ ମିଲ୍ ଧାନ ପହଞ୍ଚାଇବା ଦାୟିତ୍ବ ସେହି ମିଲ୍‌ ଉପରେ ନ୍ୟସ୍ତ ରହିଥାଏ। କିନ୍ତୁ, ଏହି ବ୍ୟବସ୍ଥା ଏଠାରେ ଆଦୌ କାର୍ଯ୍ୟ କରୁନାହିଁ। ଚାଷୀଙ୍କୁ ନିଜ ଧାନ ପରିବହନ କରିବାକୁ ପଡ଼ୁଥିବା ବେଳ ସେବାବଦକୁ ବି ଉଚିତ ପ୍ରାପ୍ୟ ଦିଆଯାଉ ନାହିଁ। ସେହିପରି ଅନେକ ମିଲ୍‌ ମାଲିକ ଚାଷୀମାନଙ୍କୁ ବସ୍ତା ବି ଫେରାଉ ନାହାନ୍ତି।‌ ଗୋଟିଏ ଚାଷୀକୁ କଟ୍‌ନି ଛଟ୍‌ନି ଶିକାର ହେବାକୁ ପଡ଼ୁଥିବା ବେଳେ ଅନ୍ୟ ପଟେ ପରିବହନ ଭଡ଼ା ଏବଂ ବସ୍ତା ବାବଦକୁ ବି ପ୍ରାପ୍ୟ ମିଳୁନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର