କୋହଲା ଓ ଝିପି ଝିପି ବର୍ଷାରେ ବେହାଲ ଚାଷୀ, ମଣ୍ଡିରେ ଅବ୍ୟବସ୍ଥା

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ କୋହଲା ଓ ଝିପି ଝିପି ବର୍ଷାରେ ମଣ୍ଡିକୁ ଧାନ ଆଣିଥିବା ଚାଷୀମାନେ ବେହାଲ ହୋଇପଡିଛନ୍ତି । ବହୁ ମଣ୍ଡି ମାନଙ୍କରେ ଆନୁଷଙ୍ଗିକ ବ୍ୟବସ୍ଥା ଓ ଛାଉଣୀ ନ ଥିବା ଯୋଗୁଁ ଚାଷୀମାନେ ଏବେ ଅଡୁଆରେ ପଡିଛନ୍ତି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୧୯ ଲକ୍ଷ ୭୫ ହଜାର ୩୦୦ କୁଇଣ୍ଟାଲ ଟାର୍ଗେଟ ପ୍ରଦାନ କରାଯାଇଛି । ୨୧୦ ଟି ଧାନକ୍ରୟ କେନ୍ଦ୍ର କରାଯାଇଥିବା ବେଳେ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ୩୪ ଟି ମଣ୍ଡି ଖୋଲିଥିବା ବେଳେ ୨୭ ଟି ମିଲର୍ସ ଧାନକ୍ରୟରେ ସାମିଲ ହୋଇଛନ୍ତି । ଗତ ତିନି ଦିନ ଧରି କୋହଲା ଓ ଝିପି ଝିପି ପାଗ ଥିବା ଯୋଗୁଁ ଚାଷୀମାନେ ଅଡୁଆ ରେ ପଡିଛନ୍ତି ।

ଯେଉଁ ଚାଷୀ ମାନଙ୍କ ଟୋକନ ଆସିଛି ସେମାନଙ୍କ ବିକ୍ରି ତାରିଖ ଡିସେମ୍ବର ମାସରେ ଥିବା ବେଳେ ବର୍ତ୍ତମାନ ଧାନ ଅମଳ ହୋଇନଥିବା ଚାଷୀଙ୍କୁ ଟୋକନ ମିଳି ନଥିବା ଯୋଗୁଁ ବହୁ ମଣ୍ଡିରେ ଅଚଳାବସ୍ଥା ଦେଖା ଦେଇଛି । ଗୋଲାମୁଣ୍ଡା ବ୍ଲକର ଶୋଷିଆ, ବେହେରାଗୁଡା, ହଳଦୀ, ଆମ୍ବଗୁଡା, ପଞ୍ଜିଆ ଓ ଘୋଟିଆ ଗ୍ରାମର ଚାଷୀ ମାନଙ୍କ ପାଇଁ ଘଟିଆ ଠାରେ ମଣ୍ଡି ଖୋଲା ଯାଇଛି । ଏହି ଚାଷୀମାନେ ମଣ୍ଡିକୁ ଧାନ ଆଣି ଜଗି ରହିଛନ୍ତି । ସେମାନଙ୍କ ଧାନ ବିକ୍ରି ପାଇଁ ଡିସେମ୍ବର ୧୨ , ଡିସେମ୍ବର ୧୫ ଓ ଅନ୍ୟ ତାରିଖ ଥିବା ବେଳେ ବର୍ତ୍ତମାନ କୋହଲା ଓ ଝିପି ଝିପି ବର୍ଷାରେ ଖୋଲା ଆକାଶ ତଳେ ପଡିରହିଛନ୍ତି ।

ବହୁ ଚାଷୀଙ୍କ ଧାନ ଅମଳ ହୋଇନଥିବା ବେଳେ ସେମାନଙ୍କ ଟୋକନ ଆସିନଥିବା ଯୋଗୁଁ ମଣ୍ଡିରେ ବିକ୍ରି କରିପାରୁନାହାନ୍ତି । ମଣ୍ଡିକୁ ଆସୁଥିବା ଧାନ ଗୁଡିକୁ ଅଗ୍ରାଧିକାର ଭିତ୍ତିରେ କ୍ରୟ କରାଯାଉନଥିବା ଯୋଗୁଁ ଚାଷୀମାନେ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି । ଝିପି ଝିପି ବର୍ଷା ଯୋଗୁଁ ଧାନରେ ଆଦ୍ରତା ଦେଖା ଦେଇଥିବା ଯୋଗୁଁ ଚାଷୀଙ୍କ ପାଇଁ ଚିନ୍ତାରକାରଣ ପାଲଟିଛି । ନିୟନ୍ତ୍ରିତ ବଜାର କିମିଟି ପକ୍ଷରୁ ଧାନରୁ ଟିକସ ଆଦାୟ କରୁଥିବା ବେଳେ ମଣ୍ଡି ଗୁଡିକର ଭିତ୍ତିଭୂମି ନିର୍ମାଣ ପାଇଁ ଆବଶ୍ୟକ ପଦକ୍ଷେପ ନେଉନଥିବା ଯୋଗୁଁ ବହୁ ମଣ୍ଡିରେ ଚାଷୀମାନେ ଖୋଲା ଆକାଶ ତଳେ ଧାନକୁ ଧରି ଜଗି ରହୁଛନ୍ତି ।

ଧାନର ଆଦ୍ରତା ଯୋଗୁଁ ମଣ୍ଡି ମାନଙ୍କରେ ୭ କେଜି ରୁ ଅଧିକ କଟନୀ ଛଟନୀ ହେଉଛି । ଚାଷୀ ମାନଙ୍କୁ କଟନୀ ଛଟନୀ ପାଇଁ ମୁଲଚାଲ ହେଉଥିବା ଯୋଗୁଁ କ୍ଷୋଭ ପ୍ରକାଶ ପାଇଛି । ଗୋଟିଏ ପଟେ ଚାଷୀଙ୍କ ଧାନ ଅଣ୍ଡର ରେଟ ରେ କିଣା ଯାଇ ଛତିଶଗଡ଼ ଚାଲାଣ ହେଉଥିବା ବେଳେ ସ୍ଥାନୀୟ ଚାଷୀଙ୍କୁ ମଣ୍ଡିରେ ହଇରାଣ ହେବାକୁ ପଡୁଛି । ମଣ୍ଡିରେ ଦିନ ଦିନ ଧରି ପଡି ରହିବା ଯୋଗୁଁ ଚାଷୀମାନେ କମ ରେଟ ରେ ଦଲାଲ କୁ ଟେକି ଦେବାକୁ ବାଧ୍ୟ ହେଉଛନ୍ତି । ଏଭଳି ଅବସ୍ଥା ଜିଲ୍ଲାର ସମସ୍ତ ମଣ୍ଡିରେ ଦେଖିବାକୁ ମିଳୁଛି । ବହୁ ସ୍ଥାନରେ ମଣ୍ଡି ଆରମ୍ଭ ହୋଇନଥିବା ବେଳେ ଯେଉଁଠ ମଣ୍ଡି ଆରମ୍ଭ ହୋଇଛି ଚାଷୀ ଶୋଷଣର ଶିକାର ହେଉଛନ୍ତି । ତୁରନ୍ତ ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରିବାକୁ ସାଧାରଣରେ ଦାବୀ ହୋଇଛି ।

ସମ୍ବନ୍ଧିତ ଖବର