ମଣ୍ଡି ଖୋଲିନି: ଦଲାଲ ଭରସାରେ ଚାଷୀ, ଜିଲ୍ଲା ପ୍ରଶାସନର ପାଗ ଭିଡୁ ଭିଡୁ କଚେରୀ ବରଖାସ୍ତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଚଳିତ ଖରିଫ ଋତୁରେ ଧାନ ଅମଳ ଆରମ୍ଭ ହୋଇଯାଇଥିବା ବେଳେ ଏପର୍ଯ୍ୟନ୍ତ ମଣ୍ଡି ଆରମ୍ଭ ହୋଇନାହିଁ । ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ନଭେମ୍ବର ୧୫ ତାରିଖ ଠାରୁ ଧାନ ମଣ୍ଡି ଖୋଲିବ ବୋଲି ନିଷ୍ପତ୍ତି ନିଆଯାଇଛି । ଫଳରେ ଚାଷୀମାନେ ବର୍ତ୍ତମାନ ଦଲାଲ ଭରସାରେ ଅଣ୍ଡର ରେଟ ରେ ଧାନ ବିକ୍ରି କରୁଛନ୍ତି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାରେ ଚଳିତ ଖରିଫ ଧାନ ବିକ୍ରି ପାଇଁ ୮୪ ହଜାର ୫୩ ଜଣ ଚାଷୀ ପଞ୍ଜିକୃତ କରିଛନ୍ତି  ।  ୧୬୬ ଟି ପେକ୍ସ ଓ ୩୫ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଧାନ କ୍ରୟ କରାଯିବ । ୫୮ଟି ମିଲର୍ସ ଧାନ କ୍ରୟ ପାଇଁ ଦାୟିତ୍ୱ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ହୋଇଛି ।
ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟରେ ୩୦୯୪୧୧.୭୬ କୁଇଣ୍ଟାଲ ଟାର୍ଗେଟ ଆସିଛି । ୫୮ ଟି ମିଲର୍ସ  ଏଗ୍ରିମେଣ୍ଟ କରିଛନ୍ତି । ସେଥିମଧ୍ୟରୁ  ୫୩ ଜଣ ମିଲର୍ସ  ବ୍ୟାଙ୍କ ଗ୍ୟାରେଣ୍ଟି ଦେଇସାରିଛନ୍ତି । ଅନ୍ୟ ୫ ଜଣ ମିଲର୍ସ ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ ସେମାନଙ୍କ ବ୍ୟାଙ୍କ ଗ୍ୟାରେଣ୍ଟି ପ୍ରଦାନ କରି ନ ଥିଲେ ।  ଫଳରେ ଆସନ୍ତା ନଭେମ୍ବର ୧୫ ତାରିଖରୁ ହେବାକୁ ଥିବା ଧାନ କ୍ରୟ ନେଇ ଅନିଶ୍ଚିତତା ଦେଖା ଦେଇଛି । ବର୍ତ୍ତମାନ ମଣ୍ଡି ଆରମ୍ଭ ହୋଇନଥିବା ଯୋଗୁଁ ଖରିଫ ଧାନ ଅମଳ ହେବା ପରେ ଚାଷୀ ମାନେ ଅଣ୍ଡରରେଟରେ  ଦଲାଲ ହାତକୁ ଟେକି ଦେବାକୁ ବାଧ୍ୟ ହେଉଛନ୍ତି । ଫଳରେ ଜିଲ୍ଲା ପ୍ରଶାସନର ମଣ୍ଡି ଖୋଲିବା ପାଗ ଭିଡୁ ଭିଡୁ କଚେରୀ ବରଖାସ୍ତ ବୋଲି ଦେଖିବାକୁ ମିଳିଛି । ନଭେମ୍ବର ୧୫ ତାରିଖ ଠାରୁ ମଣ୍ଡି ଆରମ୍ଭ ହେବ ନା ଅନ୍ୟ ବର୍ଷ ଭଳି ବିଳମ୍ବ ହେବ ସେ ନେଇ ଚାଷୀଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି ।
ଗତ ରବି ଧାନ ବେଳେ ବିଳମ୍ବରେ ମଣ୍ଡି ଆରମ୍ଭ ହେବା ଯୋଗୁଁ ବହୁ ଚାଷୀ ସେମାନଙ୍କ ଧାନ ମଣ୍ଡିକୁ ଆଣି ଦହଗଞ୍ଜ ହୋଇଥିଲେ । ଏପରିକି ମଣ୍ଡି ହଠାତ ବନ୍ଦ ହେବା ଯୋଗୁଁ ବହୁ ଚାଷୀ ଧାନ ବିକ୍ରି ମଧ୍ୟ କରିପାରି ନଥିଲେ । ଯୋଗଣ ବିଭାଗ, ମିଲର୍ସ ଓ ପ୍ୟାକ୍ସର ମଧୁଚନ୍ଦ୍ରିକା ଯୋଗୁଁ ମଣ୍ଡି ବିଳମ୍ବ ହେବା ଯୋଗୁଁ ଚାଷୀ ନିଜ କଷ୍ଟ ଉପାର୍ଜିତ ଧାନକୁ ଅଣ୍ଡର ରେଟରେ ଦଲାଲ ହାତକୁ ଟେକି ଦେବାକୁ ବାଧ୍ୟ ହୋଇଥଏ । ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ଧାନ ମଣ୍ଡି ଆରମ୍ଭ ପୂର୍ବରୁ ମିଲମାନଙ୍କର ଷ୍ଟକ ଭେରିଫିକେସନ ଓ ଅଣ୍ଡର ରେଟରେ ଧାନ କ୍ରୟ କରୁଥିବା ଦଲାଲ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁଚାଷୀ ମହଲରେ ଦାବୀ ହୋଇଛି ।
ସମ୍ବନ୍ଧିତ ଖବର