ଜଗତସିଂହପୁର: ୨୦୨୨–୨୩ ଖରିଫ ଋତୁ ପାଇଁ ଚଳିତ ମାସ ୬ରେ ଜିଲ୍ଲାରେ ତିନି ବ୍ଲକ ରଘୁନାଥପୁର, ତିର୍ତ୍ତୋଲ ଓ କୁଜଙ୍ଗରେ ମଣ୍ଡି ଖୋଲିଛି। କୁଜଙ୍ଗ ବ୍ଲକ୍ ସାଇଲୋ ଠାରେ ଖୋଲିଥିବା ମଣ୍ଡିରେ ଧାନ କିଣା ଆରମ୍ଭ ହୋଇଥିବା ବେଳେ ତିର୍ତ୍ତୋଲ ଓ ରଘୁନାଥପୁରରେ ୭ଟି ସ୍ଥାନରେ ଧାନ କିଣା ଆରମ୍ଭ ହୋଇଛି। ତେବେ କେତେକ ମଣ୍ଡିରେ ମିଲର୍ମାନେ ଚାଷୀଙ୍କ ଠାରୁ ଧାନର ଆର୍ଦ୍ରତା ନେଇ ପ୍ରଶ୍ନ ଉଠାଇ ୨ରୁ ୩ କେଜି ପର୍ଯ୍ୟନ୍ତ କଟ୍ନି ଛଟ୍ନି କରାଯାଉଥିବା ନେଇ ଚାଷୀ ଅଭିଯୋଗ କରିଛନ୍ତି। ଏ ବର୍ଷ ଧାନ ଚାଷ କୌଣସି ପ୍ରାକୃତିକ ବିପର୍ଯ୍ୟୟ ଦ୍ବାରା କ୍ଷତିଗ୍ରସ୍ତ ହୋଇନଥିବାରୁ ଧାନର ମାନ ଉନ୍ନତ ରହିଛି। ଏଫ୍ଏକ୍ୟୁ ଆଳରେ ଚାଷୀଙ୍କ ଠାରୁ ୨/୩ କେଜି କଟାଯିବା ନେଇ ପ୍ରଶ୍ନ ଉଠାଇଛନ୍ତି ପୁରୁଣାବସନ୍ତ, ଗୁଆଳିପୁର, ରେଢ଼ୁଆ ଆଦି ମଣ୍ଡିରେ ଏପରି କଟ୍ନି ଛଟ୍ନି ସମସ୍ୟା କାରଣରୁ ଟଣାଓଟରା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଧାନ ଉଠାରେ ସମସ୍ୟା ଦେଖାଦେଇଛି। ଜିଲ୍ଲା ଯୋଗାଣ ଅଧିକାରୀ ସୁଜାତା ମିଶ୍ରଙ୍କ ସୂଚନା ମୁତାବକ, ଧାନ କିଣାରେ ସମସ୍ୟା ନେଇ ତାଙ୍କ ନିକଟରେ ସେମିତି କୌଣସି ଅଭିଯୋଗ ଆସିନି। ଏଥର ଜିଲ୍ଲାରେ ମୋଟ୍ ୨୮ ଜଣ ମିଲର ଧାନ କିଣିବାକୁ ଆସିବେ। ଏଣୁ ଯଦି କେଉଁଠି ମିଲରମାନଙ୍କ ସମସ୍ୟା ଆସୁଥିବ, ସେ ସମ୍ପର୍କରେ ଆଲୋଚନା କରାଯିବ। ଏଥର ଧାନ ସଂଗ୍ରହକୁ ସୁବ୍ୟବସ୍ଥିତ କରିବା ପାଇଁ ସମସ୍ତ ଯୋଜନା କରାଯାଇଛି। ପୂର୍ବ ନିଷ୍ପତ୍ତି ମୁତାବକ, ଏଆରସିଏସଙ୍କ ପକ୍ଷରୁ ଧାନ କିଣା ପାଇଁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କର ଏକ ବୈଠକ ଡକାଯାଇଥିଲା। ସେମାନଙ୍କୁ ଠିକ୍ ଭାବେ ପ୍ରଶିକ୍ଷଣ ଦିଆଯିବା ପରେ ଜିଲ୍ଳାରୁ ୬ଟି ସ୍ବୟଂ ସହାୟକ ଗୋଷ୍ଠୀକୁ ଧାନ କିଣାରେ ନିୟୋଜିତ କରାଯାଇଛି।
ଆଜି ଏ ନେଇ ରଘୁନାଥପୁର ବ୍ଲକ୍ ଛପଡ଼ା ପଞ୍ଚାୟତରେ ସରପଞ୍ଚ ଓ ସମିତିର ଅନ୍ୟ ନେତାମାନେ ଏକାଠି ହୋଇ ଧାନ କିଣା ସମସ୍ୟା ନେଇ ଆଲୋଚନା କରିଛନ୍ତି। ଆସନ୍ତାକାଲି ବାକି ଜଗତସିଂହପୁର, ନାଉଗାଁ, ବିରିଡ଼ି, ବାଲିକୁଦା ଓ ଏରସମା ବ୍ଲକରେ ମଣ୍ଡି ଖୋଲିବ। ପ୍ରତ୍ୟେକ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ସମସ୍ତ ପ୍ୟାକ୍ସକୁ ୨ଟି ଲେଖାଏ ତାରପୋଲିନ ଯୋଗାଇ ଦିଆଯିବ। ଚଳିତ ବର୍ଷ ଜିଲ୍ଲାରେ ୯୦୮୯୭.୦୫୮ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ପାଇଁ ଧାର୍ଯ୍ୟଲକ୍ଷ୍ୟ ରଖାଯାଇଛି। ଚଳିତ ବର୍ଷ ସାଧାରଣ ଏଫ୍ଏକ୍ୟୁ ଧାନ କୁଇଣ୍ଟାଲ ପ୍ରତି ୨୦୪୦ ଟଙ୍କା ରଖାଯାଇଥିବା ବେଳେ ଗ୍ରେଡ୍–ଏ ଧାନ ୨୦୬୦ ଟଙ୍କା ସରକାରଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଛି। ଜିଲ୍ଲାରେ ୧୦୫ଟି କୃଷି ସମବାୟ ସମିତି ଓ ୬ଟି ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଧାନ ସଂଗ୍ରହ କରାଯିବ। ବାଲିକୁଦାରେ ୨ଟି, ନାଉଗାଁ, ରଘୁନାଥପୁର ଓ ଏରସମା ବ୍ଲକରେ ଗୋଟିଏ ଲେଖାଏ ସ୍ବୟଂ ସହାୟକ ଗୋଷ୍ଠୀ ନିୟୋଜିତ ହେବେ। ଚଳିତ ବର୍ଷ ୪୬,୩୦୭ ଜଣ ଚାଷୀଙ୍କଠାରୁ ଧାନ ସଂଗ୍ରହ କରାଯିବ। ଜଗତସିଂହପୁର ଓ ରାହାମା ନିୟନ୍ତ୍ରିତ ବଜାର କମିଟି ଚାଷୀମାନଙ୍କ ସଚେତନତା ନିମନ୍ତେ ଟିଭି, ରେଡିଓ, ଖବରକାଗଜ, ରଥ ପରିକ୍ରମା, ଫ୍ଲେକ୍ସ, ବ୍ୟାନର ଓ ରଥ ପରିକ୍ରମା ଜରିଆରେ ବହୁଳ ପ୍ରଚାର ପ୍ରସାର କରାଇବେ। ସୋସାଇଟିସ୍ତରୀୟ ଧାନ ସଂଗ୍ରହ କମିଟିରେ ଆରଆଇ, ଭିଏଲଡବ୍ଲ୍ୟୁ, ଇଓ ଓ ୩ରୁ ୬ ଜଣ ଚାଷୀ ସଭ୍ୟ ରହିବେ। ସେଣ୍ଟ୍ରାଲ ସର୍ଭର ମାଧ୍ୟମରେ ଅଗ୍ରୀମ ଟିକେଟ ଦିଆଯିବ। ଏହି ଟୋକନ ୩୦ ଦିନ ପର୍ଯ୍ୟନ୍ତ ବୈଧ ରହିବ। ଜଣେ ପଞ୍ଜିକୃତ ଚାଷୀ ୧୯୬୭କୁ ଡାଏଲ କଲେ ଟୋକନର ସ୍ଥିତି, ଜମି ପରିମାଣ ଓ ଟଙ୍କା ପଇଠ ସମ୍ପର୍କରେ ଜାଣିପାରିବ। ଜିଲ୍ଲାରେ ପ୍ରାୟ ୧୪ ଶହ କ୍ବିଣ୍ଟାଲ ଧାନ ଉଠିଛି। ଆଜି ତିର୍ତୋଲ ବ୍ଲକ୍ କନକପୁର କୃଷି ସମବାୟ ସମିତି ମଣ୍ଡିରୁ ୫୫୫ କ୍ବିଣ୍ଟାଲ ଧାନ କିଣାଯାଇଛି। ଗତକାଲି ୧୯୪ କ୍ବିଣ୍ଟାଲ ଧାନ ଉଠିଥିଲା ବୋଲି ସମ୍ପାଦକ ପରମାନନ୍ଦ ଦାସ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/KANAKPUR-MANDIRU-DHAN-JAUCHI104550.jpg)