ସରି ଆସିଲାଣି ଖରିଫ ମଣ୍ଡି: ବାକି ଅଛନ୍ତି ୧୬୮୬ଜଣ ଚାଷୀ

ଜୟପୁର: ସରି ଆସିଲାଣି ଖରିଫ ମଣ୍ଡି । ୨୦ଟି ଲ୍ୟାମ୍ପ, ୨୨ଟି ମହିଳା ସ୍ୱୟଂ ସହାୟକ ଦଳ, ୨ଟି ପାଣି ପଂଚାୟତ ଦ୍ବାରା ଜୟପୁର ଉପଖଣ୍ଡରେ ୭୭ ଓ କୋରାପୁଟ ଉପଖଣ୍ଡରେ ୨୭ଟି ଏଭଳି ୧୦୪ଟି ମଣ୍ଡିରେ ଧାନ କିଣାଯାଇଥିଲା। ତେବେ ଏଥିରୁ ଏବେ ୯୦ଟି ମଣ୍ଡିରେ ଧାନ କିଣା ବନ୍ଦ ହୋଇଯାଇଛି। ରାଜ୍ୟ ସରକାର ଜିଲ୍ଲା ଯୋଗାଣ ବିଭାଗକୁ ପ୍ରଥମ ପର୍ଯ୍ୟାୟରେ ୨୧ଲକ୍ଷ ୮୮ହଜାର କୁଇଣ୍ଟାଲ ଓ ୨ୟ ପର୍ଯ୍ୟାୟରେ ୨ଲକ୍ଷ ୪୩ହଜାର କୁଇଣ୍ଟାଲ ଏଭଳି ସର୍ବମୋଟ ୨୪ଲକ୍ଷ ୩୧ହଜାର କୁଇଣ୍ଟାଲ ଧାନ କିଣିବାକୁ ଅନୁମତି ଦେଇଥିଲେ। ୪୦ହଜାର ୬୯୬ଜଣ ପଂଜୀକୃତ ଚାଷୀଙ୍କ ମଧ୍ୟରୁ ୩୯ହଜାର୧୦ଜଣ ଚାଷୀଙ୍କ ଠାରୁ ୨୪ଲକ୍ଷ ୧୫ହଜାର ୭୦୮.୧୮କୁଇଣ୍ଟାଲ ଧାନ କିଣା ସରିଥିବା କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଦୀପ କୁମାର ପଣ୍ଡା। ୨୦ଟି କ୍ରୟକାରୀ ସଂସ୍ଥା ଲ୍ୟାମ୍ପରେ ପଂଜୀକୃତ ୨୮ହଜାର ୯୭୦ଜଣ ଚାଷୀଙ୍କ ମଧ୍ୟରୁ ୨୭ହଜାର ୫୦୭ଜଣ ଚାଷୀଙ୍କ ଠାରୁ ୧୬ଲକ୍ଷ ୪୯ହଜାର ୨୫୫.୬୮କୁଇଣ୍ଟାଲ ଧାନ କିଣାଯାଇଛି। ୨୨ଟି ମହିଳା ସ୍ବୟଂ ସହାୟକ ଦଳ ୧୦ହଜାର ୭୦୩ଜଣ ଚାଷୀ ପଂଜୀକରଣ କରିଥିବାବେଳେ ସେମାନଙ୍କ ମଧ୍ୟରୁ ୧୦ହଜାର ୫୧୩ଜଣ ଚାଷୀ ୭ଲକ୍ଷ ୧ହଜାର ୪୩୦.୫୬କୁଇଣ୍ଟାଲ ଓ ୨ଟି ପାଣିପଂଚାୟତ ଜରିଆରେ ୧୦୨୩ଜଣ ଚାଷୀ ପଂଜୀକୃତ କରିଥିବା ବେଳେ ୯୯୦ଜଣ ୬୫ହଜାର ୦୨୧.୯୪କୁଇଣ୍ଟାଲ ଧାନ ବିକ୍ରି କରିଛନ୍ତି ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଦୀପ କୁମାର ପଣ୍ଡା।

ସେଭଳି ୧୬୮୬ଜଣ ଚାଷୀ ଧାନ ବିକ୍ରି କରି ନଥିବା ବେଳେ ମିଳିଥିବା ଟାର୍ଗେଟରୁ ଆହୁରି ବଳକା ୧୫ହଜାର ୨୯୧.୮୨କୁଇଣ୍ଟାଲ ଧାନ କିଣିବା ପାଇଁ କ୍ରୟକାରୀ ସଂସ୍ଥା ନିକଟରେ ସାସ୍ ଓ ମିଲର୍ସଙ୍କ ନିକଟରେ ମାସ୍ ସେଭଳି ବଳକା ରହିଛି। ଅପର ପକ୍ଷରେ ବହୁ ଚାଷୀ ପଂଜୀକରଣ ତ୍ରୁଟି ହେଉ କିମ୍ବା ସର୍ଭେ ଠିକରେ ହୋଇ ନଥିବା ଅଭିଯୋଗ କରିଥିଲେ ହେଁ ମଣ୍ଡିର ଶେଷ ଯାଏଁ ସଜଡାଯାଇପାରିଲା ନାହିଁ। ଟୋକନ୍ ଓ ସର୍ଭେ ସମସ୍ୟା ଯୋଗୁଁ ବହୁ ଚାଷୀ ଧାନ ଦଲାଲ, ବ୍ୟବସାୟୀ ଆଦିଙ୍କୁ କୁଇଣ୍ଟାଲ ପିଛା ୧୪ଶହ ଲେଖାଏଁ ବିକ୍ରି କରି ସରକାରୀ ଧାର୍ଯ୍ୟ ଏମଏସପି ୨୦୪୦ଟଙ୍କାରୁ ୬୪୦ଟଙ୍କା କ୍ଷତି ସହିଛନ୍ତି। ଏହାକୁ ନେଇ ଦକ୍ଷିଣାଂଚଳ କୃଷି ମହୋତ୍ସବ ଓ ଜିଲ୍ଲା କୃଷି ଯନ୍ତ୍ରପାତି ମେଳାରେ ଅତିଥି ଭାବେ ଯୋଗଦେଇଥିବା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ରାଜ୍ୟ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କର ଦୃଷ୍ଟିକୁ ବି ନେଇଥିଲେ। ପ୍ରାୟ ୯୦ମଣ୍ଡିକୁ ଆଉ ଧାନ ବିକ୍ରି ପାଇଁ ଆସୁନଥିବାରୁ ଏକରକମର ବନ୍ଦ ହୋଇ ଯାଇଛି, ବଳକା ୧୪ଟିରେ କାଁ ଭାଁ ଧାନ ଆସୁଛି , ଏହି ସ୍ଥିତି ଲାଗି ରହିଲେ ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ପେବୃଆରୀ ଶେଷ ସପ୍ତାହ କିମ୍ବା ମାର୍ଚ୍ଚ ପ୍ରଥମ ସପ୍ତାହରେ ସମ୍ପୂର୍ଣ୍ଣ ରୁପେ ମଣ୍ଡିକୁ ବନ୍ଦ କରି ଦେବୁ ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ।

ସମ୍ବନ୍ଧିତ ଖବର