ଯୋଡ଼ା: ଯୋଡ଼ା ସହରର ହୁଡ଼ିସାହିରୁ ବେଆଇନ ଭାବେ ଉତ୍ତୋଳନ କରାଯାଇ ଚୋରା ଚାଲାଣ ହେଉଥିବା ବେଳେ ପୁଲିସ ଦୁଇଟି ମାଙ୍ଗାନିଜ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଓ ଗୋଟିଏ ବାଇକ୍‌ ଜବତ କରିବା ସହ ୪ଜଣକୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ରୁଗୁଡ଼ି ଥାନା ଚୋରମାଲଦା ଅଞ୍ଚଳର ଡେଭିଡ କଚ୍ଚା, ମୁନା ଲୋହାର, ମଙ୍ଗଳୁ ମୁଣ୍ଡା ଓ କୁଶଲ କଚ୍ଛପ।

Advertisment

ପୁଲିସ ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ବନ୍ଦ ପଡ଼ିଥିବା ଟିସ୍କୋ ଖଣିର ଲିଜ୍‌ ଏରିଆ କୁହାଯାଉଥିବା ହୁଡ଼ିସାହି ନିକଟ ମହୁଲଗୁଡ଼ାରୁ ବେଆଇନ ଭାବେ ମାଙ୍ଗାନିଜ ଉତ୍ତୋଳନ କରାଯାଇ ପ୍ଲାଷ୍ଟିକ ଅଖାରେ ଭର୍ତ୍ତି କରାଯାଇ ଝାଡ଼ଖଣ୍ଡ ରାଜ୍ୟକୁ ଚୋରା ଚାଲାଣ କରିବାକୁ ଉଦ୍ୟମ କରାଯାଉଥିଲା। ଖବର ପାଇ ଯୋଡ଼ା ପୁଲିସ ଚଢ଼ଉ କରିଥିଲା। ଘଟଣାସ୍ଥଳରୁ ଦୁଇଟି ପିକ୍ଅପ୍‌ ଭ୍ୟାନ୍‌ (ଓଆର୍‌-୧୧-ଜି-୫୮୩୭ ଓ ଓଆର୍‌-୧୧-ଏଫ୍‌-୯୪୯୫) ଜବତ କରାଯାଇଛି। ଦୁଇଟି ପିକ୍‌ଅପ୍‌ ଭ୍ୟାନ୍‌ରେ ୧୦୦ ବସ୍ତା ପ୍ରାୟ ୪ ଟନ୍‌ ଓଜନର ଉଚ୍ଚମାନର ମାଙ୍ଗାନିଜ ବୋଝେଇ ହୋଇଥିଲା। ଏହାର ବଜାର ମୂଲ୍ୟ ପ୍ରାୟ ଦେଢ଼ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି। ସେହିପରି ଚୋରା ଚାଲାଣ ବେଳେ ପିକ୍‌ଅପ୍‌ ଭ୍ୟାନ୍‌ ଗୁଡ଼ିକୁ ଏସ୍‌କର୍ଟ କରିବା ପାଇଁ ଥିବା ଏକ ବାଇକ୍‌ (ଓଆର୍‌-୦୯-ଏଫ୍‌-୩୩୮୬) ମଧ୍ୟ ପୁଲିସ ଜବତ କରିଛି। ଏହି ଘଟଣାରେ ୪ଜଣ ଗିରଫ‌ ହୋଇଥିବା ବେଳେ ଅନ୍ୟଜଣେ ଫେରାର ଅଛି। ଖୁବଶୀଘ୍ର ତାକୁ ଗିରଫ କରାଯିବ ବୋଲି  ପୁଲିସ କହିଛି।