କୋଇଡ଼ା: ମାଙ୍ଗାନିଜ ଓ ଲୁହାପଥର ଚୋରଙ୍କ ପାଇଁ କୋଇଡ଼ା ଖଣିମଣ୍ଡଳ ଭୂସର୍ଗ ପାଲଟିଛି। ଟାର୍ଗେଟ୍‌ରେ ରହିଛି ବନ୍ଦ ପଡ଼ିଥିବା ଖଣି ଓ ଜମା ରହିଥିବା ଷ୍ଟାକ୍। ଦୁଇବର୍ଷ ଧରି ଏ ଚୋରି ବେଧଡ଼କ ଚାଲିଛି। ଏମିତିକି ଦିନ ଦ୍ୱିପହରେ ଚୋରା ଗାଡ଼ି ଲୋଡ୍‌ ହୋଇ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗକୁ ଯାଉଛି। ଏଥିପାଇଁ ମୁଣ୍ଡ ବି ଗଡ଼ିଲାଣି ବୋଲି କୁହାଯାଉଛି। ଏଥିପାଇଁ ଜନୈକ ଢାବାମାଲିକଙ୍କୁ ଗୁଳିକରି ହତ୍ୟା ମଧ୍ୟ କରିଥିଲେ ଦୁର୍ବୃତ୍ତ। ହେଲେ ଚୋରାଚାଲାଣ ପାଇଁ ମୁଣ୍ଡ ଗଡୁଥିଲେ ହେଁ ବେଫିକର ଚାଲିଛି ମାଙ୍ଗାନିଜ ଚୋରାଚାଲାଣ।

Advertisment

ବିଶେଷକରି ମାଲଦା ଅଞ୍ଚଳର କଳମଙ୍ଗ, ପାନପୋଷିଆ, ଗିଡ଼େଇ, ସର୍ଗୀଗଡ଼ ବନାଞ୍ଚଳରୁ ଚାଲିଛି ଚୋରି। ବହୁ ସମୟରେ ଅସ୍ତ୍ରଶସ୍ତ୍ର ଧରି ଏହି ଚୋରାଗାଡ଼ିଗୁଡ଼ିକୁ ଏସ୍କର୍ଟ ଦିଆଯାଉଛି। ପ୍ରତ୍ୟେକ ଦିନ ଚୋରି ହେଉଥିଲେ ହେଁ ଗାଡ଼ି ସହଜରେ ଖସି ଯାଉଥିବା ନେଇ ବନବିଭାଗର କାର୍ଯ୍ୟ ସନ୍ଦେହ ସୃଷ୍ଟିକରୁଛି। ଏବେ ନୂଆ ଯୋଗ ଦେଇଥିବା କୋଇଡ଼ା ଖଣି ଉପନିର୍ଦେଶକ ଅସିତ କୁମାର ବେହେରା ଗତ ତିନିଦିନ ମଧ୍ୟରେ ୩ଟି ଚୋରା ମାଙ୍ଗାନିଜ ବୋଝେଇ ଟ୍ରକ୍‌ ବିଆର୍‌ ୧୧ ଏସ୍ ୮୬୭୯, ଜେଏଚ୍ ୦୯ ଏଏଫ୍ ୪୬୨୦, ଓଆର୍‌ ୧୪ଆର୍ ୦୯୭୪ ଜବତ କରିଛନ୍ତି। ଏଥିରୁ ପାଖାପାଖି ୬୦ ଟନ୍ ମାଙ୍ଗାନିଜ୍ ଜବତ ହୋଇଛି ଯାହାର ବଜାରମୂଲ୍ୟ ହାରାହାରି ୪୦ ଲକ୍ଷ ଟଙ୍କା। ହେଲେ ଏଥିରେ କୌଣସି ଅଭିଯୁକ୍ତ ଧରା ପଡ଼ିନାହାନ୍ତି। ପୂର୍ବରୁ ମଧ୍ୟ ଯେତେବେଳେ ପର୍ଯ୍ୟନ୍ତ ଚୋରା ଗାଡ଼ି ବ୍ରେକ୍ ଡାଉନ୍‌, କାଦୁଅ ରାସ୍ତାରେ ନ ଫସିଛି ସେତେବେଳେ ପର୍ଯ୍ୟନ୍ତ ଚୋରାଗାଡ଼ି ବନବିଭାଗ ଧରିବାରେ ସଫଳ ହୋଇନାହିଁ। ହେଲେ ୯୦ ପ୍ରତିଶତ କେସ୍‌ରେ ଅଭିଯୁକ୍ତ ଧରା ପଡ଼ିନାହିଁ। ଯାହା ବନବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟିକରୁଛି।