ଅମ୍ବାଭୋନା: ଘରେ ବିଧବା ବୃଦ୍ଧା ମା' ଅନୁଛାୟା ପଧାନ। ରୋଜଗାର ପାଇଁ ଅଣ୍ଟା ଭିଡିଛନ୍ତି ଭିନ୍ନକ୍ଷମ ବାଳମତି ପଧାନ ଓ ସ୍ବାମୀ ପରିତ୍ୟକ୍ତା ସୁମତି ପଧାନ। ଖରା, ବର୍ଷା, ଶୀତରେ ହାର ମାନି ନାହାନ୍ତି ଏ ଦୁଇ ଭଉଣୀ। ପୁରୁଷଶୂନ୍ୟ ପରିବାରରେ ବିଧବା ବୃଦ୍ଧା ମା'ଙ୍କ ସହ ଦୁଇ ଭଉଣୀ ସଂଘର୍ଷମୟ ଜୀବନରେ କାଳାତିପାତ କରୁଛନ୍ତି। ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ସୀମାନ୍ତ ବଡ଼ଧରା ଗ୍ରାମର ଏହି କରୁଣ କାହାଣୀ। ୪୦ ବର୍ଷ ପୂର୍ବେ ଅନ୍ତର୍ଯ୍ୟାମୀ ପଧାନଙ୍କ ମୃତ୍ୟୁ ପରେ ବିଧବା ପତ୍ନୀ ଅନୁଛାୟା ବହୁ ସଂଘର୍ଷ କରି ବାପଛେଉଣ୍ଡ ଝିଅମାନଙ୍କୁ ବଡ଼ କରିଛନ୍ତି।

Advertisment

ଅବଶ୍ୟ କିଛି ବର୍ଷ ପୂର୍ବେ ରାଜ୍ୟ ସରକାରଙ୍କ ମୋ କୁଡିଆ ଯୋଜନାରେ ଭିନ୍ନକ୍ଷମ ବାଳମତିଙ୍କୁ ମିଳିଛି ଏକ ପକ୍କାଘର। ବିଧବା ଭତ୍ତା, ଭିନ୍ନକ୍ଷମ ଭତ୍ତା ଓ ସ୍ବାମୀ ପରିତ୍ୟକ୍ତା ଭତ୍ତା ହେଉଛି ମାସିକ ଧାର୍ଯ୍ୟ ରୋଜଗାର। ଏଥି ସହିତ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ରୋଷେଇ କରି ସୁମତିଙ୍କ ସେଥିରୁ ମାସିକ କିଛି ପାରିଶ୍ରମିକ ବଳରେ ଚଳୁଛନ୍ତି ଏ ପରିବାର। କିଛି ଜମିବାଡ଼ି ରହିଥିଲେ ମଧ୍ୟ ପରିବାର ପୁରୁଷଶୂନ୍ୟ ହୋଇଥିବାରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ବନ୍ଧହିଡ଼ ରୟତି ଜମିରେ ଥିବା ବାପ ଅଜା ଅମଳର ଆମ୍ବଗଛରୁ ଆମ୍ବ ସଂଗ୍ରହ କରି ଖରାଦିନେ ଏକ ତିନିଚକିଆ ସାଇକେଲରେ ବଡ଼ଧରା ଗ୍ରାମରୁ ଦୀର୍ଘ ୭କିମି ଦୂରତାରେ ଥିବା ପ୍ରକାଶପୁର ବସ୍‌ଷ୍ଟାଣ୍ଡ ନିକଟରେ ଆମ୍ବ ବିକି ପେଟ ପୋଷୁଛନ୍ତି ଦୁଇ ଭଉଣୀ।