ଦାସରୀ ଓ ଆମ୍ରପଲ୍ଲୀ ଆମ୍ବ ଉତ୍ପାଦନ ହ୍ରାସ ପାଇଲା: ଆମ୍ବ ଚାଷ କରି ସ୍ବାବଲମ୍ବୀ ହୋଇଥିବା ଚାଷୀ ହତାଶ

ମାଲକାନଗିରି: ଏକଦା ମାଲକାନଗିରି ଜିଲ୍ଲାର ଦାସରୀ ଏବଂ ଆମ୍ରପଲ୍ଲୀ ଆମ୍ବ ସାରା ରାଜ୍ୟ ସହ ବିଦେଶକୁ ମଧ୍ୟ ରପ୍ତାନୀ କରାଯାଉଥିଲା। ଚଳିତ ବର୍ଷ ଆମ୍ବ କମ୍ ଉତ୍ପାଦନ ହେବା ଯୋଗୁଁ ବଜାରରେ ଆଉ ପୂର୍ବ ଭଳି ଆମ୍ବ ମିଳୁନାହିଁ। ପ୍ରଶାସନ ତରଫରୁ ଜିଲ୍ଲାରେ ଶହ ଶହ ଏକର ଜମିରେ ଚଷୀଙ୍କୁ ଆମ୍ବ ଗଛ ଲଗାଯାଇ ସ୍ବାବଲମ୍ବୀ କରାଯାଇଥିଲା।ଏହି ଆମ୍ବ ଚାଷ କରି ଚାଷୀ ବେଶ ଲାଭବାନ ହେଉଥିଲେ। ତେବେ ଚଳିତ ବର୍ଷ ଆମ୍ବ ବଗିଚାଗୁଡିକରେ ଆମ୍ବ କମ୍ ଉତ୍ପାଦନ ହେବା ଯୋଗୁଁ ଆମ୍ବ ବଗିଚାକୁ ଚାଷୀ ଯାଇପାରୁନଥିବାରୁ ବହୁ କ୍ଷତି ସହିଥିବା ଚାଷୀମାନେ ପ୍ରକାଶ କରିଛନ୍ତି। ପ୍ରତିବର୍ଷ ହଜାର ହଜାର କ୍ବିଣ୍ଟାଲ ଆମ୍ବ ବାହାରକୁ ରପ୍ତାନୀ କରାଯାଇଥାଏ।

ପ୍ରକାଶ ଥାଉକି ଦାସରୀ ଆମ୍ବ ହେଉଛି ଆମ୍ବମାନଙ୍କର ରାଜା। ତେଣୁ ବାହାର ରାଜ୍ୟର ଦଲାଲମାନେ ମାଲାକନଗିରିରେ ପହଞ୍ଚି ଆମ୍ବକୁ କମ ଦରରେ ଖରିଦ କରି ବାହାରେ ଚଢା ଦରରେ ବିକ୍ରି କରୁଥିବାର ନଜିର ରହିଛି।କିନ୍ତୁ ଚଳିତ ବର୍ଷ ଆମ୍ବ ଫଳିନଥିବାରୁ ଚାଷୀ ହତାଶ ହୋଇଛନ୍ତି। ପ୍ରତିବର୍ଷ ଭୁବନେଶ୍ବରରେ ଅନୁଷ୍ଠିତ ଆମ୍ବ ପ୍ରଦର୍ଶନୀ ମେଳାରେ ଦାସରୀ ଏବଂ ଆମ୍ରପଲ୍ଲୀ ଆମ୍ବକୁ ଲୋକେ ପସନ୍ଦ କରି ଖରିଦ କରୁଥିବା ଦେଖିବାକୁ ମିଳିଥିଲା। ତେବେ ଚଳିତ ବର୍ଷ ଜିଲ୍ଲାବାସୀ ଏହି ଆମ୍ବ ନପାଇ ଝୁରିଥିଲେ।କାଁ ଭାଁ ଦାସରୀ ଏବଂ ଆମ୍ରପାଲୀ ଆମ୍ବ ବଜାରକୁ ଆସିଥିଲେ ମଧ୍ୟ ଏହାର ଦାମ ଆକାଶ ଛୁଆଁ ହୋଇଥିଲା। ଆମ୍ବ କିଲୋ ପ୍ରତି ପ୍ରଥମେ ଦୁଇ ଶହ ଓ ଏବେ ଶହେରୁ ତଳକୁ ଦର ଖସୁନାହିଁ।ଯାହାକି ସାଧାରଣ ଲୋକଙ୍କ ପ୍ୟାକେଟରୁ ବାହାରିବା କଷ୍ଟ ହେଉଛି। କେବଳ ଆନ୍ଧ୍ରରୁ ଆମ୍ବ ମାଲକାନଗିରି ବଜାରରେ ବିକ୍ରି ହେଉଥିବା ଲକ୍ଷ୍ୟ କରାଯାଇଥିଲା। ପ୍ରତିବର୍ଷ ଜିଲ୍ଲାରେ ୧୫ ଶହରୁ ୨ ହଜାର କ୍ବିଣ୍ଟାଲ ପର୍ଯ୍ୟନ୍ତ ଆମ୍ବ ଉତ୍ପାଦନ କରାଯାଉଥିବା କୁହାଯାଇଛି।ଚଳିତ ବର୍ଷ ଶହେ କ୍ବିଣ୍ଟାଲ ମଧ୍ୟ ଆମ୍ବ ଫଲିନଥିବା କୁହାଯାଇଛି।

ସେହିପରି ଆମ୍ବରୁ ପ୍ରସ୍ତୁତ ହେଉଥିବା ବିଭିନ୍ନ ଜିନିଷ ମଧ୍ୟ ଚଳିତ ବର୍ଷ ହୋଇପାରୁନଥିବା ଦେଖିବାକୁ ମିଳିଛି। ଆମ୍ବ ଶିଳ୍ପରେ ବହୁ ମହିଳା ପୁରୁଷ ନିୟୋଜିତ ହୋଇ ନିଜର ଆର୍ଥିକ ସ୍ଥିତି ସୁଦୃଢ କରିପାରୁଥିଲେ। କିନ୍ତୁ ଚଳିତ ବର୍ଷ ଆମ୍ବ ନଥିବାରୁ ଆମ୍ବ ଆଚାର କିମ୍ବା ଆମ୍ବୁଲ ପ୍ରସ୍ତତ କରାଯାଇପାରୁନଥିବା ଦେଖିବାକୁ ମିଳିଛି। ପ୍ରତି ବର୍ଷ ଆମ୍ବ ଆଚାର ପ୍ରସ୍ତୁତ କରାଯାଇ ବାହାରକୁ ରପ୍ତାନୀ କରାଯାଉଥିଲା। ସେଥିପାଇଁ ଶତାଧିକ ମହିଳା ପୁରୁଷ ଏହି କାମରେ ନିୟୋଜିତ ହୋଇପାରୁଥିଲେ। ଆମ୍ବ କମ୍ ଫଳିବା ଯୋଗୁଁ ଚାଷୀଙ୍କର କ୍ଷତିକୁ ଭରଣ କରାଯାଇପାରିବ ନାହିଁ। ସେହିପରି ବଜାରକୁ ମଧ୍ୟ ଏହି ଦୁଇ ଜାତିର ଆମ୍ବ ସ୍ବପ୍ନ ହୋଇଯାଇଛି ବୋଲି ଚାଷୀ କହିଛନ୍ତି। ବଗିଚାରେ ଆମ୍ବ ନଥିବା ଯୋଗୁଁ ଚାଷୀ ଆଉ ବଗିଚାକୁ ଖୋଲାମେଲାରେ ଛାଡ଼ି ଦେଇଥିବା ଦେଖିବାକୁ ମିଳିଥିଲା। ପ୍ରତିବର୍ଷ ଉତ୍ପାଦନ ପ୍ରଚୁର ହେଉଥିବାରୁଏହି ଦୁଇ ପ୍ରକାର ଆମ୍ବର ଦାମ ସର୍ବନିମ୍ନ ରହିଥିଏ। ଏବେ ଲୋକେ ବଜାରକୁ ଆସି ଏହି ଦୁଇ ପ୍ରକାରର ଆମ୍ବ ନପାଇ ଖାଲି ହାତରେ ଘରକୁ ଫେରୁଥିବା ଦେଖିବାକୁ ମିଳିଥିଲା।

 

ସମ୍ବନ୍ଧିତ ଖବର