ମାଣିକ ପାଇଁ ବାଜିଲା ସାହାନାଇ, ଅନାଥର ହାତ ଧରିଲେ ଶ୍ରୀନିବାସ

କୋରାପୁଟ (ପତିତପାବନ ସାହୁ): ତା’ ପାଇଁ ଦିନେ ବେଦୀ ବନ୍ଧା ହେବ। ସାହାନାଇ ବାଜିବ, ଆଉ ଦୋଳ ମୁକୁଟ ପିନ୍ଧି ସେ ବେଦୀରେ ବସିବ। ସ୍ୱପ୍ନରେ ବି ଏତିକି ଭାବିବାକୁ ଦିନେ ସାହସ କୁଳାଇ ପାରୁ ନ ଥିଲା ମାଣିକ। ଭାଗ୍ୟ ତା’ ପ୍ରତି ନିଷ୍ଠୁର ହୋଇ ପରିବାରକୁ ଛଡାଇ ନେବା ପରେ ସେ ପୂରା ଭାଙ୍ଗି ଯାଇଥିଲା। କିନ୍ତୁ ସେହି ଭାଗ୍ୟ ଆଜି ପୁଣି ତାକୁ ଏକ ଭରିଲା ପୁରିଲା ସଂସାର ଫେରାଇ ଦେଇଛି। ୩ ବର୍ଷ ତଳେ ଏତେ ବଡ ଦୁନିଆରେ ଏକଲା ହୋଇ ଯାଇଥିବା ମାଣିକ ପଛରେ ଆଜି ସାରା ଦୁନିଆ ଠିଆ ହୋଇଛି। ଜାକଜମକରେ ଆଜି ତା’ ବିବାହ ସମ୍ପର୍ଣ୍ଣ କରିଛି ପ୍ରଶାସନ ଓ ପୁଲିସ।

କୋରାପୁଟ ଜିଲ୍ଲା ବୋରିଗୁମ୍ମା ନକୁଳଗୁଡା ଗାଁର ମାଣିକ ଆଜି ହାତକୁ ଦି’ ହାତ ହୋଇଛନ୍ତି। ଶହ ଶହ ଲୋକ ଭୋଜି ଖାଇଛନ୍ତି। ନାଚଗୀତରେ କମ୍ପି ଉଠିଛି ସାରା ପରିବେଶ। ହସଖୁସି ଭିତରେ ବିବାହ ଶେଷ ହୋଇଛି। କିନ୍ତୁ ଏହି ଖୁସି ପଛରେ ଥିବା ଦୁଃଖର କାହାଣୀ ଅତି ହୃଦୟ ବିଦାରକ। କିଛି ବର୍ଷ ତଳେ ଏହି ମାଣିକଙ୍କ ଜୀବନରେ ଘୋଟି ଆସିଥିଲା ଦୁଃଖର କଳା ବାଦଲ। ବାପା, ମା’ଙ୍କ ମୃତ୍ୟୁ ପରେ ମାଣିକ ଓ ତାଙ୍କ ଦୁଇ ସାନ ଭାଇ ଭଉଣୀ ଏତେବଡ ଦୁନିଆରେ ପୁରା ଏକଲା ହୋଇ ଯାଇଥିଲେ। ବଂଚିବା ପାଇଁ ନିତି ଜୀବନ ସହ ସଂଘର୍ଷ କରୁଥିଲେ। କିନ୍ତୁ ଭାଗ୍ୟର ଦାଉ ଏତିକିରେ ଶେଷ ହୋଇ ନ ଥିଲା। ଦୁଇ କୁନି ଭାଇଭଉଣୀଙ୍କ ଦେହ ଖରାପ ହେବାରୁ ମାଣିକକୁ ଦୁଃଖ ମାଡି ବସିଥିଲା। ତଥାପି ପର ଘରେ ବାସନ ମାଜି ଓ ଇଟା ଭାଟିରେ କାମ କରି ଭାଗ୍ୟ ଓ ଭଗବାନଙ୍କ ବିରୋଧରେ ଲଢେଇ ଜାରି ରଖିଥିଲା।

ଏହି ସମୟରେ ତାଙ୍କ ଦେହ ଖରାପ ହୋଇ ଯାଇଥିଲା। ମୃତ୍ୟୁ ସହ ଲଢେଇ କରୁଥିଲା ବେଳେ ଖବର ପ୍ରଶାସନ ପାଖରେ ପହଞ୍ଚି ଥିଲା। ପରେ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କଟକ ବଡ ଡାକ୍ତରଖାନାରେ ସୁସ୍ଥ ହୋଇ ମାଣିକ ଫେରିବା ପରେ ୩ ଭାଇ ଭଉଣୀଙ୍କୁ ଆଣି ଦଶମନ୍ତପୁରରେ ଥିବାତ ଆଇଡିଏସ ଶିଶୁ ଯତ୍ନ କେନ୍ଦ୍ରରେ ରଖିଥିଲା ପ୍ରଶାସନ। ଆଉ ଏହା ପରେ ବଦଳି ଯାଇଥିଲା ମାଣିକ ଓ ତା’ ଭାଇ ଭଉଣୀଙ୍କ ଠିକଣା। ଏହି ଶିଶୁ ଯତ୍ନ କେନ୍ଦ୍ର କେବଳ ସେମାନଙ୍କ ଠିକଣାକୁ ବଦଳାଇ ଦେଇଥିଲା ତା’ ନୁହେଁ, ବରଂ ସେମାନଙ୍କ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ସୁଯୋଗ ଦେଇଥିଲା। ୩ ଭାଇ ଭଉଣୀ ଏଇଠି ରହି ପଢିଲେ, ବଢିଲେ। ଦିନ କେଇଟାରେ ସମସ୍ତଙ୍କୁ ଆପଣାର ବି କରିନେଲେ। ଆଉ ଆଜି ଏହି ମାଣିକର ବିବାହ ଅତି ଜାକଜମକରେ ଶେଷ ହୋଇଛି।

ବୋରିଗୁମ୍ମା ବ୍ଲକ ନକୁଳଗୁଡା ଗ୍ରାମର ଶ୍ରୀନିବାସଙ୍କ ସହ ବେଦିକ ରୀତିରେ ତାଙ୍କ ବିବାହ କରାଯାଇଛି। ଆଉ ଏହି ବିବାହରେ ସାମିଲ ହୋଇଛନ୍ତି ପ୍ରଶାସନିକ ଅଧିକାରୀଙ୍କ ସମେତ ପୁଲିସ ଅଧିକାରୀ। ପୁଲିସ କନ୍ୟାର ମାମୁଁ ହୋଇଥିଲା ବେଳେ ଆଇଡିଏସର ସଂପାଦକ ଡି.କେ. ବେହେରା କନ୍ୟାଦାନ କରିଥିଲେ। ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ ଓ ଜିଲ୍ଲାପାଳ ମଧୁସୂଦନ ମିଶ୍ର ବିବାହରେ ଯୋଗ ଦେଇ ବରକନ୍ୟାକୁ ଆଶୀର୍ବାଦ ଦେଇଥିଲା ବେଳେ ଦଶମନ୍ତପୁରର ବିଭିନ୍ନ ବର୍ଗର ଲୋକେ ବିବାହରେ ସାମିଲ ହୋଇଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାଶଙ୍କ ସମେତ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଗାୟତ୍ରୀ ଦେବୀ, ଏସଡିପିଓ ବଳଭଦ୍ର ଦୀପ ବିବାହରେ ଯୋଗ ଦେଇଥିଲେ।

ବିବାହ ପାଇଁ ଆଜି ଦଶମନ୍ତପୁର ଥାନାରୁ ମାମୁଁ ଘର ଭାର ଆସିଥିଲା ବେଳେ ଢେମସାରେ ରାସ୍ତା ରଙ୍ଗୀନ ହୋଇ ଯାନଇଥିଲା। ନେତା, ଅଧିକାରୀ, ପୁଲିସ, ଡାକ୍ତର, ସାମ୍ବାଦିକ, କର୍ମଚାରୀଙ୍କ ଗହଣରେ କମ୍ପିଥିଲା ବିବାହ ମଣ୍ଡପ। ଆଉ ଏହା ଦେଖି ଖୁସିରେ ଆତ୍ମହରା ହୋଇ ଯାଇଥିଲା ମାଣିକ। ବୈଶାଖର ତତଲା ପବନ ଜଳିପୋଡି ଯାଇଥିବା ତାଙ୍କ ଜୀବନକୁ ପୁଣି ଥରେ ଫଗୁଣ ଫେରାଇ ଦେଇଥିବାରୁ ସେ ଭଗବାନଙ୍କୁ କୃତଜ୍ଞତା ଜଣାଇଥିଲେ। ଆଉ କହିଥିଲେ, ଆଜି ତାଙ୍କୁ ଲାଗୁଛି ଦୁନିଆରେ ସେ ବିଲକୁଲ ଏକା ନୁହଁନ୍ତି। ତାଙ୍କ ସହ ସାରା ଦୁନିଆ ଅଛି। ଲୋକଙ୍କ ଏତେ ଭଲ ପାଇବା ଆଜି ତାଙ୍କ ପୁରୁଣା ଦିନର ଦୁଃଖକୁ ହଜାଇ ଦେଇଛି ବୋଲି ସେ କହିଥିଲେ। ଏପଟେ ତାଙ୍କ ହାତ ଧରିଥିବା ଶ୍ରୀନିବାସ କହିଛନ୍ତି ଯେ, ମାଣିକଙ୍କୁ ସବୁବେଳେ ସେ ଖୁସିରେ ରଖିବାକୁ ଚେଷ୍ଟା କରିବେ। ତାଙ୍କ ପରିବାରରେ ସେ ବୋହୁ ନୁହେଁ, ବରଂ ଝିଅ ହୋଇ ରହିବ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର