ସୁନ୍ଦରଗଡ଼/ରାଉରକେଲା: ମଣିପୁରରେ ଦୁଇ କୁକି ଆଦିବାସୀ ମହିଳାଙ୍କୁ ସମ୍ପୂର୍ଣ୍ଣ ନିବସ୍ତ୍ର କରି ସହସ୍ର ପୁରୁଷଙ୍କ ଗହଣରେ ପ୍ୟାରେଡ୍ ଓ ଗଣଦୁଷ୍କର୍ମ କରାଯିବା ସାରା ବିଶ୍ବକୁ ସ୍ତବ୍ଧ କରିଛି। ଯେଉଁଠି ନାରୀକୁ ଦେବୀ ରୂପେ ପୂଜା କରାଯାଏ, ସେଠି ମହିଳାଙ୍କ ଉପରେ ଏପରି ବର୍ବର ନର୍ଯାତନା ଦୁର୍ଭାଗ୍ୟଜନକ। ହେଲେ ମାନବିକତା ଓ ମହିଳା ସମ୍ମାନକୁ ଅତି ବର୍ବର ଭାବେ ଦଳିମକଚି ଦେଇଥିବା ଏହି ଘଟଣା ଏକ ଜାତୀୟ ଲଜ୍ଜା ହୋଇଥିଲେ ମଧ୍ୟ ମଣିପୁର ଓ କେନ୍ଦ୍ର ସରକାର ନିରବ। ବରଂ ନିଜ ଅପରାଗତା, ଦାୟିତ୍ବହିନତାକୁ ଲୁଚାଇବାକୁ ଘଟଣାକୁ ଗୌଣ କରିବାର ଅପଚେଷ୍ଟା କରୁଛନ୍ତି। ଏସବୁ ଅଭିଯୋଗ ଆଣି ଆଜି ସୁନ୍ଦରଗଡ଼ ମହିଳା ଫୋରମ ଏକ ବିଶାଳ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ଦେଇ ପୀଡିତାମାନଙ୍କୁ ନ୍ୟାୟ ସହ ମଣିପୁରରେ ଶାନ୍ତି ପ୍ରତିଷ୍ଠା ପାଇଁ ଦାବି କରାଯାଇଥିଲା। ଆୟୋଜିତ ପ୍ରତିବାଦ ସଭାରେ ମହିଳା ନେତ୍ରୀ ଶିଳ୍ପା ଏକ୍କା, ମେରୀ ମମତା, ଲୁଗିନା ଡୁଙ୍ଗଡୁଙ୍ଗ, ଗେରୋଟି ଖେସ, ଆଲର୍ବଟ କିଣ୍ଡୋ ପ୍ରମୁଖ ବକ୍ତବ୍ୟ ରଖି ସରକାର ଓ ପୁଲିସ ପ୍ରଶାସନର ଆଭିମୁଖ୍ୟକୁ କଡା ସମାଲୋଚନା କରିଥିଲେ। ସର୍ବ ସମ୍ମୁଖରେ ମହିଳାଙ୍କୁ ନିବସ୍ତ୍ର ବୁଲାଯିବା ଓ ଗଣଦୁଷ୍କର୍ମ କରୁଥିବାବେଳେ ସେଠାରେ ଉପସ୍ଥିତ ପୁଲିସ ଚୁପଚାପ ତାମସା ଦେଖୁଥିଲେ। ଏସ୍ଥିତିରେ ମଣିପୁର ଘଟଣା ଘଟିଛି ବୋଲି ପ୍ରକାଶ କରି ନିଜ ଅପାରଗତା ଓ ସମ୍ବେଦନହିନତାର ପରିଚୟ ଦେଇଛନ୍ତି ବୋଲି ମହିଳା ପ୍ରତିବାଦକାରୀ କହିଥିଲେ। ଏ ଘଟଣାରେ ସୁନ୍ଦରଗଡ଼ ଜିଲ୍ଲାର ମହିଳା ଲଜ୍ଜିତ ଓ ମର୍ମାହତ ବୋଲି କହିବା ସହ ଏହି ବର୍ବରକାଣ୍ଡ ଭିଆଇଥିବା ଅମନବୀୟ ତତ୍ତ୍ବମାନଙ୍କୁ ଫାଶୀ ଏବଂ ନାରୀ, ଆଦିବାସୀ, ସଂଖ୍ୟାଲଘୁ ସମ୍ପ୍ରଦାୟକୁ ସମ୍ମାନ, ସୁରକ୍ଷା ଦେବାକୁ ଦାବି କରିଥିଲେ।।
ସେହିପରି ମଣିପୁର ହିଂସା ବନ୍ଦ ଦାବିରେ ରାଉରକେଲାରେ ଆଦିବାସୀ ସମାଜ ପକ୍ଷରୁ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଶ୍ରା ଛକରୁ ବିଶାଳ ରାଲି ବାହାରି ଏଡିଏମ ଅଫିସ ରେ ପହଂଚି ଥିଲା। ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରୁ ଶହ ଶହ ଯୁବକ, ମହିଳା ସାମିଲ ହୋଇଥିଲେ। ରାଜଗାଙ୍ଗପୁର ବିଧାୟକ ଡାକ୍ତର ରାଜନ ଏକ୍କା, ବୀରମିତ୍ରପୁର ର ପୂର୍ଵତନ ବିଧାୟକ ଜର୍ଜ ତୀର୍କୀ ନେତୃତ୍ୱ ହେଇଥିଲେ।