ସମ୍ବାଦ ପ୍ରଭାବ : କଟକ ବଡ଼ ମେଡିକାଲରେ ମଞ୍ଜୁଲତାଙ୍କ ବ୍ରେନ ଟ୍ୟୁମର ଚିକିତ୍ସା ଆରମ୍ଭ

ବାଲିଅନ୍ତା:ବ୍ରେନ ଟ୍ୟୁମର ରୋଗରେ ପୀଡ଼ିତ ନିଃସହାୟ ମହିଳା ମଞ୍ଜୁଲତା ବେହେରା(୨୮)ଙ୍କ ଚିକିତ୍ସା ନେଇ ପ୍ରଶାସନ ପକ୍ଷରୁ ଏବେ ତତ୍ପରତା ପ୍ରକାଶ ପାଇଛି। ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ କଟକ ସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ମଞ୍ଜୁଲତାଙ୍କ ଚିକିତ୍ସା ଆରମ୍ଭ ହୋଇଛି। ଗତ ୧୦ ତାରିଖରେ ସ୍ତ୍ରୀଙ୍କ ବ୍ରେନ୍ ଟ୍ୟୁମର ଚିକିତ୍ସା ଚିନ୍ତାରେ ସ୍ବାମୀ ଧରଣୀଧର ଶୀର୍ଷକ ଏକ ମର୍ମସ୍ପର୍ଶୀ ଖବର ପ୍ରକାଶ ପାଇଥିଲା। ଖବର ପ୍ରକାଶ ପାଇବା ପରେ ତତ୍କାଳ ମୁଖ୍ୟଶାସନ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ମଞ୍ଜୁଲତାଙ୍କ ଚିକିତ୍ସା ପାଇଁ  ତାଙ୍କର ସ୍ବାମୀ ଧରଣୀଧର ବେହେରାଙ୍କ ସହ ଯୋଗାଯୋଗ କରାଯାଇଥିଲା। ତାଙ୍କର ଚିକିତ୍ସା ନେଇ ସରକାରୀସ୍ତରରେ ଉପଲବ୍ଧ ସୁବିଧାସୁଯୋଗ ସଂପର୍କରେ ଅଧିକାରୀ ଧରଣୀଧରଙ୍କ ସହ ଆଲୋଚନା କରିଥିଲେ। ପ୍ରଶାସନ ସହଯୋଗର ହାତ ବଢ଼ାଇବା ପରେ ଆଜି ଧରଣୀଧର ସ୍ତ୍ରୀଙ୍କୁ ନେଇ ହସ୍ପିଟାଲରେ ଆଡ଼ମିସନ କରାଇଛନ୍ତି। ବର୍ତ୍ତମାନ ମଞ୍ଜୁଲତା ନ୍ୟୁରୋଲୋଜି ବିଭାଗ ୱାର୍ଡ଼ର ୧ ନମ୍ବର ବେଡ଼ରେ ଚିକିତ୍ସିତ ହେଉଛନ୍ତି। ଏବେ ତାଙ୍କର ବିଭିନ୍ନ ପରୀକ୍ଷାନିରୀକ୍ଷା କାର୍ଯ୍ୟ ଚାଲିଛି। ନିର୍ଦ୍ଧାରିତ ଦିନରେ ତାଙ୍କର ଅସ୍ତ୍ରୋପଚାର କରାଯିବ ବୋଲି ସୂଚନା ମିଳିଛି। ଆର୍ଥିକ ଅନଟନ ଯୋଗୁ ସବୁ ଆଶା ଭରସା ହରାଇଥିବା ଦିନ ମଜୁରିଆ ସ୍ବାମୀ ଧରଣୀଧର ଆଶ୍ବସ୍ତ ହୋଇଛନ୍ତି। ଅନ୍ୟପକ୍ଷରେ ତାଙ୍କ ପରିବାର ସଦସ୍ୟଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତଭୁର୍କ୍ତ କରାଯାଇ ରାସନ ସାମଗ୍ରୀ ଯୋଗାଇ ଦିଆଯାଉଛି। ବିଜୁ କୃଷକ କଲ୍ୟାଣ ଯୋଜନା ସମେତ କାଳିଆ ଯୋଜନାରେ ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି। ମନରେଗା ଯୋଜନାରେ ବର୍ଷକୁ ୧୦୦ ଦିନ କାମ ଯୋଗାଇ ଦେବା ପାଇଁ ଜବକାର୍ଡ଼ ପ୍ରଦାନ କରାଯାଇଛି। ମହାବାତ୍ୟା ଏବଂ ଫନିରେ ତାଙ୍କର ଘର ସଂପୂର୍ଣ୍ଣ ଭାଙ୍ଗିଯାଇଥିଲେ ହେଁ ୯୫ ହଜାର ଟଙ୍କା ସହାୟତା ମିଳିପାରିନି। ତଦନ୍ତ କରାଯାଇ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ହେଲେ  ଏଯାଏ  ପ୍ରଧାନମନ୍ତ୍ରୀ ଆବାସ କିମ୍ବା ବିଜୁ ପକ୍କାଘର ଯୋଗାଇ ଦିଆଯାଇନଥିବା ସମାଜସେବୀ ବିଷ୍ଣୁପ୍ରିୟା ଦେଠୀ କହିଛନ୍ତି। ଏକମାତ୍ର ୭ ବର୍ଷର ଦିବ୍ୟାଙ୍କ ପୁଅ ଶକ୍ତିରଞ୍ଜନ ଓ ୭୦ ବର୍ଷୀୟ ବୃଦ୍ଧା ଶାଶୁ କାଞ୍ଚନବାଳାଙ୍କ ସେବା ସୁଶ୍ରୁସା କରୁଥିବା ମଞ୍ଜୁଲତା ବ୍ରେନ ଟ୍ୟୁମରରେ ପୀଡ଼ିତ ହେବା ପରେ ପରିସ୍ଥିତି ଦୁର୍ବିସହ ହୋଇପଡ଼ିଥିଲା।

 

ସମ୍ବନ୍ଧିତ ଖବର