ବେଆଇନ ମାଙ୍କଡ଼ା ପଥର ଖଣିକୁ ନେଇ କାଜୁ ନିଗମ- ରାଜସ୍ୱ ବିଭାଗ ମଧ୍ୟରେ ବିବାଦ ଘନେଇଲା

ଖୋର୍ଦ୍ଧା: ମାଙ୍କଡ଼ା ପଥର ଓ ମୋରମ ଆଦି ଲଘୁ ଖଣିଜ ଦ୍ରବ୍ୟର ବେଆଇନ ଚାଲାଣ ନେଇ ଖୋର୍ଦ୍ଧା ଗ୍ରାମାଂଚଳ ଚର୍ଚ୍ଚାରେ ରହିଛି । ଏବେ ମଳିପଡ଼ା ନିକଟ ଲହଙ୍ଗାଠାରେ ଥିବା କାଜୁ ନିଗମର ଜମି ନିକଟରେ ମାଙ୍କଡ଼ା ପଥର ଖଣି ଖନନର ନିଲାମ ନେଇ କାଜୁ ନିଗମ ଓ ରାଜସ୍ୱ ବିଭାଗର ବିବାଦ ଘଟଣାକୁ ଭିନ୍ନ ମୋଡ଼ ଦେଇଛି । ଗୋଟିଏ ପଟେ ଗ୍ରାମାଂଚଳରେ ଥିବା ଶତାଧିକ ଏକର କାଜୁ ଜଙ୍ଗଲରେ ବେଆଇନ ଖଣି ଖୋଳାଯାଉଥିବା ଓ ଅଭିଯୋଗ ପରେ ମଧ୍ୟ ରାଜସ୍ୱ ବିଭାଗ କିମ୍ବା ପୁଲିସ ପଦକ୍ଷେପ ନେଉନଥିବା କାଜୁ ନିଗମ ଅଭିଯୋଗ କରିଛି, ଆରପଟେ ମାଙ୍କଡ଼ା ପଥର ଖନନର ଅନୁମତି ସଂପୂର୍ଣ୍ଣ ଆଇନଗତ ବୋଲି ରାଜସ୍ୱ ବିଭାଗ ସଫେଇ ଦେଇଛି । ତେବେ ଘଟଣା ଯାହା ହେଉନା କାହିଁକି ଉଭୟ ବିଭାଗର ବିବାଦ ଖଣି ମାଫିଆଙ୍କୁ ସୁହାଉଥିବା ବେଳେ ଏହାଦ୍ୱାରା ଶତାଧିକ ଏକର ଜଙ୍ଗଲ ଓ ରାଜସ୍ୱ ହାନୀ ହେଉଛି ।

୨୦୧୯ରେ ଖୋର୍ଦ୍ଧା ଜିଲ୍ଲାରେ ବେଆଇନ ଲଘୁ ଖଣିଜ ଦ୍ରବ୍ୟ ଚାଲାଣକାରୀଙ୍କ ବିରୋଧରେ ରାଜ୍ୟର ସ୍ୱତନ୍ତ୍ର ଟାସ୍କ ଫୋର୍ସ (ଏସ୍ଟିଏଫ୍) ଲଗାତାର ଚଢ଼ଉ କରିଥିଲା । ଖଣି ମାଫିଆଙ୍କ ମଧ୍ୟରୁ କେତେକଙ୍କୁ ଗିରଫ କରିବା ସହ ଏନ୍କାଉଂଟରରେ ମଧ୍ୟ ଥୋକାଏ ଆହତ ହୋଇଥିଲେ । କେବଳ ଏହାନୁହେଁ ଖଣି ମାଫିଆଙ୍କୁ ସହାୟତା କରୁଥିବା ଅଭିଯୋଗରେ ସଦର ଥାନାର ଜଣେ ପୁଲିସ୍ କନ୍ଷ୍ଟେବଲ୍ ଗିରଫ ହୋଇଥିବା ବେଳେ ତତ୍କାଳୀନ ସଦର ଥାନା ଅଧିକାରୀ ବିକ୍ରମ କେଶରୀ ଜେନା ଓ ତତ୍କାଳୀନ ତହସିଲଦାର ଶୁଭେନ୍ଦୁ ସାମଲଙ୍କୁ ଏସ୍ଟିଏଫ୍ ଏକାଧିକ ଥର ଜେରା କରିଥିଲା । ଘଟଣା ପରେ ସଦର ଥାନା ଆଇଆଇସି ଶ୍ରୀ ଜେନା ଫେରାର୍ ହୋଇଯାଇଥିଲେ ଓ ତାଙ୍କୁ ଦିଆଯାଉଥିବା ପୁଲିସ ପଦକ ଫେରାଇ ନେବା ସହ କାର୍ଯ୍ୟରୁ ନିଲମ୍ବନ କରାଯାଇଥିଲା । ଏହି ଘଟଣାପରେ ହଠାତ୍ ବେଆଇନ ଖଣି ଉପରେ ଏସ୍ଟିଏଫ୍ର ଚଢ଼ଉ ବନ୍ଦ ହୋଇଯାଇଥିଲା ।
ବର୍ତମାନ ପୁଣିଥରେ ତତ୍କାଳୀନ ତହସିଲଦାର ଶ୍ରୀ ସାମଲ ମଳିପଡ଼ା-ଲହଙ୍ଗା ଠାରେ ନିଲାମ ପାଇଁ ଅନୁମତି ଦେଇଥିବା ଏକ ମାଙ୍କଡ଼ା ପଥର ଖଣିକୁ ନେଇ ରାଜସ୍ୱ ବିଭାଗ ଓ କାଜୁ ନିଗମ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି । ଏହି ଘଟଣାରେ ରାଜସ୍ୱ ବିଭାଗର ଚଚଂକତା କରୁଛି ଓ ଖଣି ମାଫିଆଙ୍କୁ ରାଜସ୍ୱ ବିଭାଗ ସହାୟତା କରୁଛି ବୋଲି କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ ଅଭିଯୋଗ କରି ହାଇକୋର୍ଟର ଦ୍ୱାରସ୍ଥ ହେବି ବୋଲି କହିଛନ୍ତି ।

ନିକଟରେ ମଳିପଡ଼ା ନିକଟସ୍ଥ ଲହଙ୍ଗା ଠାରେ ବଗାୟତ କିସମର ୩୧ଏକର ଜଙ୍ଗଲ ଥିଲା । ଏହା ମଧ୍ୟରୁ ୨୧ ଏକର ଜମି ମୃତ୍ତିକା ସଂରକ୍ଷଣ ବିଭାଗ ୧୯୯୫ରେ କାଜୁ ନିଗମକୁ ହସ୍ତାନ୍ତର କରିଥିଲା । ଏହାପରେ କାଜୁ ନିଗମ ସେଠାରେ କାଜୁ ବୃକ୍ଷରୋପଣ କରିଥିଲା । ଏହାପରେ ନିୟମିତ ଭାବେ ସେହି ଜଙ୍ଗଲକୁ ନିଲାମ ଡକାଯାଉଥିଲା । କିନ୍ତୁ ୨୦୧୪-୧୫ରେ ସେଠାରେ ଥିବା କାଜୁ ନିଗମର ଜଙ୍ଗଲ ନିକଟସ୍ଥ ଅଂଚଳ ଖଣି ମାଫିଆଙ୍କ ନଜରରେ ପଡ଼ିଥିଲା । ବର୍ତମାନ କାଜୁ ଜଙ୍ଗଲ ସନ୍ନିକଟ ପ୍ରାୟ ୧୫ ଏକର ଅଂଚଳରେ ବେଆଇନ ଖଣି ଖନନ ଚାଲିଛି । ଏହି ସମୟରେ, ଜିଲ୍ଲା ପ୍ରଶାସନ ସେଠାରେ ୨ ଏକର ଜମି ମାଙ୍କଡ଼ା ପଥର ଖନନ ପାଇଁ ନିଲାମ ଆହ୍ୱାନ କରିଥିଲା । ତତ୍କାଳୀନ ତହସିଲଦାର ଶୁଭେନ୍ଦୁ ସାମଲଙ୍କ ରିପୋର୍ଟ ଭିତ୍ତିରେ ସେଠାରେ କୌଣସି କାଜୁ ଜଙ୍ଗଲ ନଥିବା ଦର୍ଶାଯାଇଥିଲା । ଏହି ରିପୋର୍ଟ ଭିିତ୍ତିରେ ଜିଲ୍ଲାପାଳ ଓଡ଼ିଶା ମାଇନିଂ ରୁଲ୍ ଅନୁସାରେ ଅନୁମତି ଦେଇଥିଲେ । ପରିବେଶ (ଏନ୍ଭିରୋନ୍ମେଂଟ୍) ଓ ପରିବେଶ ପ୍ରଦୂଷଣ (ପଲ୍ୟୁସନ୍ କଂଟ୍ରୋଲ୍ ବୋର୍ଡ) ପକ୍ଷରୁ ଏନ୍ଓସି ଦିଆଯାଇଛି । ବର୍ତମାନ ସେଠାରେ ଖଣି ଖୋଳା ଆରମ୍ଭ ହେବା ବେଳେ କାଜୁ ନିଗମ ଏହି ଅଂଚଳ ନିଜର ବୋଲି ଦାବି କରିବା ସହ କାଜୁ ନିଗମର ବିନାଅନୁମତିରେ ଏଭଳି ଖନନ ଅନୁମତି ଦେବା ବେଆଇନ ବୋଲି ଦର୍ଶାଇଛି । ଏନେଇ କାଜୁ ନିଗମ ପକ୍ଷରୁ ଅଭିଯୋଗ ହେବା ପରେ ଜିଲ୍ଲାପାଳଙ୍କ ଅନୁମତିକ୍ରମେ ସେଠାରେ ଦୁଇ ଦୁଇ ଥର ସର୍ଭେ ଓ ଜିଓ ଟାଗିଂ ମଧ୍ୟ କରାଯାଇଛି ।

ଘଟଣା ସମ୍ପର୍କରେ ତହସିଲଦାର ପଦ୍ମଚରଣ ସାହୁ କହିଛନ୍ତି, ସେହି ଜଙ୍ଗଲର କିସନ ବଗାୟତ । ଏକାଧିକ ଥର ସର୍ଭେ କରିବା ପରେ ସେହି ଅଂଚଳ ରାଜସ୍ୱ ବିଭାଗର ବୋଲି ଜଣାପଡ଼ିଛି । କାଜୁ ନିଗମ ସେହି ଜମି ନିଜର ବୋଲି କୌଣସି ସଠିକ୍ ରେକର୍ଡ ଦେଖାଇପାରିନାହିଁ । ସେଠାରେ ଖଣି ଖୋଳିବା ପାଇଁ ଯେଉଁ ଅନୁମତି ପ୍ରଦାନ କରାଯାଇଛି ତାହା ଆଇନ ସମ୍ମତ । ଯଦି ଏଥିରେ କିଛି ପ୍ରତିବାଦ ଅଛି ତେବେ କାଜୁ ନିଗମ ନ୍ୟାୟାଳୟର ଦ୍ୱାରସ୍ଥ ହୋଇପାରନ୍ତି ।

ସମ୍ବନ୍ଧିତ ଖବର