କରୋନାରୁ ନିଜ ଜୀବନକୁ ବଂଚାଇବା ପ୍ରୟାସ ମଧ୍ୟରେ ରକ୍ତ ଯୋଗାଡ଼ କରାଇ ଅନ୍ୟ ଜୀବନକୁ ବି ବଂଚାଉଛନ୍ତି ମନୋହର

ଜୟପୁର:  ମହାମାରୀ କରୋନାରେ ସଂକ୍ରମିତ ହୋଇ ଅସୁସ୍ଥତା  ମଧ୍ୟରେ ଜୀବନର ମୂଲ୍ୟକୁ ବୁଝିପାରିଥିବା ମନୋହର ତ୍ରିପାଠୀ ଅନ୍ୟର ଜୀବନକୁ ବଂଚାଇବା ଦୀର୍ଘ ୨ବର୍ଷ ତଳର ପ୍ରୟାସକୁ ଏବେ ବି ଜାରି ରଖିଛନ୍ତି। ସାମାଜିକ ଗଣମାଧ୍ୟମ ୱାଟସଅଫ୍ ଏବଂ ଫେସବୁକରେ ସେ ରକ୍ତଦାନ ପାଇଁ ‘ବ୍ଲଡ୍ ଗ୍ରୁପ ଜୟପୁର’ ଗଠନ କରିଛନ୍ତି। ଏହି ଗ୍ରୁପ ମାଧ୍ୟମରେ ଗତ ୨ବର୍ଷ ହେବ ଶତାଧିକ ଜରୁରୀ ରୋଗୀଙ୍କୁ ସ୍ବେଚ୍ଛାକୃତଭାବେ ରକ୍ତ ଯୋଗାଇ ଆସିଛନ୍ତି। ।

ଗତ ୧୭ତାରିଖ ଦିନ ମନୋହର କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଥିଲେ । ବୃତ୍ତିରେ ମନୋହର ଏକ ଘରୋଇ ଟିଭି ଚାନେଲର ଭିଡିଓ ଜର୍ଣ୍ଣାଲିଷ୍ଟଭାବେ କାମ କରୁଛନ୍ତି । ୧୭ତାରିଖରୁ ସେ ଘରେ ଗୃହ ସଂଗରୋଧରେ ରହି ଚିକିତ୍ସିତ ହେଉଛନ୍ତି। ସେ ଘରେ ରହିବା ମଧ୍ୟରେ ମଧ୍ୟ ସେ ୩ଜଣ ଜରୁରୀ ରୋଗୀଙ୍କୁ ରକ୍ତ ଯୋଗଡ଼ କରି ୩ଜଣଙ୍କର ଜୀବନ ବଂଚାଇଛନ୍ତି।  ସେଭଳି ଆଜି ୩ମାସର ନବଜାତ ଝିଅକୁ ବି ଏନେଗେଟିଭ୍ ରକ୍ତ ଯୋଗାଡ଼ କରି  ଜୀବନ ବଂଚାଇବାରେ ପ୍ରମୁଖ ମାଧ୍ୟମ ପାଲଟିଛନ୍ତି।

ନବରଙ୍ଗପୁର ତୋଟାସାହି ଅଂଚଳର ଟଙ୍କଧର ନାୟକଙ୍କ ତିନି ମାସର ଝିଅକୁ ସିକିଲସେଲ୍ ବାହାରିଥିଲା। ନବରଙ୍ଗପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଝିଅର ସ୍ବାସ୍ଥ୍ୟ ସେବା ଯୋଗାଇ ହେବ ନାହିଁ  କୋରାପୁଟ ଏସଏଲଏନ୍ ମେଡିକାଲରକୁ ନେଇ ଚିକିତ୍ସା କରାଇବାକୁ ଡାକ୍ତର ମାନେ ପରାମର୍ଶ ଦେଇଥିଲେ। ଟଙ୍କଧର କୋରାପୁଟ ଆଣି ଭର୍ତ୍ତି କରିଥିଲେ। କୋରାପୁଟ ରକ୍ତଭଣ୍ଡାରରେ ନାବାଳିକା ଝିଅକୁ ଆବଶ୍ୟକ ପଡ଼ୁଥିବା ଏ ନେଗେଟିଭ୍ ରକ୍ତ ନଥିଲା। ଟଙ୍କଧର କଣ କରିବେ ଚିନ୍ତାରେ ପଡ଼ିବା ସହ ରକ୍ତର ଆବଶ୍ୟକତାକୁ ନେଇ ବ୍ଲଡ୍ ଗୃଫ ଜୟପୁର ସହ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ। ଏହାକୁ ଦେଖି ମନୋହର ରକ୍ତ ଯୋଗାଇବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ।

ଏ ନେଗେଟିଭ୍ ବର୍ଗର ରକ୍ତ ବହୁତ କମ୍ ଜଣକ ଥିବାରୁ ବହୁ ଖୋଜା ଖୋଜି ଆରମ୍ଭ କରିଥିଲେ। ସେ ପୁଲିସ ହାବିଲଦାର ଆଜିତ୍ ହୋତାଙ୍କୁ ବି ଖୋଜିବାକୁ କହିଥିଲେ। ଅଜିତ  ପୁଲିସ ହାବିଲଦାର ତରିଣୀସେନ ବିଷୋୟୀଙ୍କୁ କହିଥିଲେ। ତରିଣୀସେନ କୋରାପୁଟ ତହସିଲରେ କନିଷ୍ଠ କିରାଣୀ ଭାବେ କାର୍ଯ୍ୟକରୁଥିବା ମାନସ ରଂଜନ ରାଉତରାୟଙ୍କୁ ଅନୁରୋଧ କରିଥିଲେ। ମାନସ ତରିଣୀଙ୍କ ସହ କୋରାପୁଟ ରକ୍ତଭଣ୍ଡାରକୁ ଯାଇ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ଆସିଥିଲେ। ମନୋହର, ଅଜିତ, ତରିଣୀ ଓ ମାନସଙ୍କୁ କୃତଞତା ଜଣାଇଛନ୍ତି ଟଙ୍କଧର। ମନୋହରଙ୍କ ଏଭଳି ସାଧୁ ଉଦ୍ୟମ, ଜରୁରୀ ସମୟରେ ସହଯୋଗ ଅନ୍ୟ ଯୁବବର୍ଗଙ୍କୁ ବି ପ୍ରେରଣା ଯୋଗାଇବ ଏଥିରେ ଦ୍ବିମତ ନାହିଁ । ସେଭଳି ଅଜିତ, ତରିଣୀ ଓ ମାନସ ଜଣକର ଜୀବନ ବଂଚାଇବା କରିଥିବା ପ୍ରୟାସ ଯୁବବର୍ଗକୁ ମାର୍ଗଦର୍ଶନ ଦେବ।

ସମ୍ବନ୍ଧିତ ଖବର