ମନରେଗାରେ ମହାଦୁର୍ନୀତି, ଗାଁସାଥୀଙ୍କ କାରନାମା

ପରିବାର ସଦସ୍ୟ ନାମରେ ଖାଇଗଲେ!

ବଲାଙ୍ଗୀର: ଦୁର୍ନୀତିର ଦୁର୍ନାମରେ ଏବେ ବଲାଙ୍ଗୀର ଜିଲ୍ଲା । ଏଠି ସେଠି ସବୁ ଯୋଜନାରେ ଦୁର୍ନୀତି । ଶ୍ରମିକ ବହୁଳ ଜିଲ୍ଲାରେ ଶ୍ରମିକଙ୍କ ନାଁରେ ଏଠି ହେଉଛି ହରିଲୁଟ । ସାରା ଜିଲ୍ଲାରେ ଏବେ ମନରେଗାରେ ଚାଲିଥିବା କାମରେ ମନମାନୀ । ଜିଲ୍ଲା ସ୍ତରୀୟ ବାବୁ ଚୁପଚାପ ବସିଥିବା ବେଳେ ଗୋଟିଏ ପରେ ଗୋଟିଏ ଅଭିଯୋଗର ଫର୍ଦ୍ଦ ସାମ୍ନାକୁ ଆସିବାରେ ଲାଗିଛି । ଦାଦନପ୍ରବଣ ଉପାନ୍ତ ବ୍ଲକରେ କେହି କାହାକୁ ମାନୁ ନାହାନ୍ତି । ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ମନରେଗା ଦୁର୍ନୀତିର ତଦନ୍ତ ଫାଇଲ ସବୁ ଅଧିକାରୀଙ୍କ ପାଖରେ ଗଡୁଛି । ଆଉ ଏବେ ପୁଣି ଏକ ଅଭିଯୋଗ ମୁରିବାହାଲ ବ୍ଲକ ଚଲକି ପଞ୍ଚାୟତରୁ ଆସିଛି ।

ଚଳିତ ବର୍ଷ ଚଲକି ଗାଁର ଜାମମୁଣ୍ଡା ପୋଖରୀର ଉନ୍ନତୀକରଣ ପାଇଁ ୯ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । କିନ୍ତୁ ଉକ୍ତ କାମରେ ଶ୍ରମିକଙ୍କୁ ନିୟୋଜିତ କରାଯାଇଥିବା ବେଳେ କାମ କରି ନଥିବା ଶ୍ରମିକଙ୍କ ନାମରେ ଟଙ୍କା ଉଠାଯାଇ ହଡପ କରାଯାଇଛି । ମନରେଗା ପୋର୍ଟାଲର ତଥ୍ୟ ଅନୁସାରେ ଗାଁର ସହଦେବ, ବନିତା, ପୁଷ୍ପା, ସୁନ୍ଦର, ସୁର୍ଯ୍ୟକାନ୍ତୀ ନାଁରେ ଉଠିଛି ହଜାର ହଜାର ଟଙ୍କା । କିନ୍ତୁ ଏମାନେ କେହି ମାଟି କାମ କରି ନାହାନ୍ତି । ଏମାନେ ସବୁ ଗାଁ ସାଥୀ କୈକେୟୀ କୁମ୍ଭାରଙ୍କ ବାପା, ମାଁ, ଭାଇ, ଭଉଣୀ ଓ ସଂପର୍କୀୟ । କାମ ନକରି ପୁରା ପରିବାର ନାଁରେ ଗାଁସାଥୀ ଟଙ୍କା ଆତ୍ମସାତ କରିଛନ୍ତି । ସେହିପରି ଗାଁର କାମ କରି ନଥିବା ଅନେକ ଶ୍ରମିକ ନାଁରେ ଟଙ୍କା ଉଠିଛି । ହେଲେ ମୁଣ୍ଡଝାଳ ତୁଣ୍ଡରେ ମାରି କାମ କରିଥିବା ଶ୍ରମିକ ଟଙ୍କା ପାଇ ନାହାନ୍ତି। ଫଳରେ ସେମାନେ ସରକାରୀ ଅଫିସ ଧାଇଁଧାଇଁ ନୟାନ୍ତ ହେଲେଣି । ପୂର୍ବରୁ ୫ ବର୍ଷ ତଳେ ଏହି ପଞ୍ଚାାୟତରେ ହୋଇଥିବା ମନରେଗା ଯୋଜନାର ଦୁର୍ନୀତି ବି ଚର୍ଚ୍ଚାର ବିଷୟ ହୋଇଥିଲା । ସେ ସମୟରେ କୈକେୟୀଙ୍କ ଭାଇ ସୁନ୍ଦର କୁମ୍ଭାର ଗାଁସାଥୀ ରହିଥିଲେ ।

୨୦୧୫ ମସିହାରେ ଗାଁର ଦେବୀ ମନ୍ଦିରରୁ ଲାଫେର ରାସ୍ତା ଉନ୍ନତୀକରଣ ନାଁରେ ୯ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା । ନିମ୍ନମାନର କାମ କରାଯାଇଥିବା ବେଳେ କାମ କରି ନଥିବା ଶ୍ରମିକ ନାମରେ ଟଙ୍କା ଉଠିଥିଲା । ଏପରିକି କି ଭତ୍ତା ପାଉଥିବା, ଚାଲିବୁଲି ପାରୁ ନଥିବା ବୃଦ୍ଧବୃଦ୍ଧାଙ୍କ ନାଁରେ ଟଙ୍କା ଉଠାଯାଇ ଆତ୍ମସାତ କରାଯାଇଥିଲା । ପ୍ରଶାସନ ସେହି ଘଟଣାର ତଦନ୍ତ କରି ଗାଁସାଥୀ ସୁନ୍ଦରଙ୍କୁ ଚାକିରିରୁ ବହିସ୍କୃତ କରିଥିଲା । ତତ୍କାଳୀନ ସରପଞ୍ଚ ଓ ଇଓ ନିଳମ୍ବନ ହୋଇଥିଲେ । ବଡ ଦୁର୍ନୀତିର ୫ ବର୍ଷ ପରେ ପୁଣି ସେହି ପଞ୍ଚାୟତରୁ ଦୁର୍ନୀତି ଅଭିଯୋଗ ଆସିଛି । ବଲାଙ୍ଗୀର ଜିଲ୍ଲାପାଳ ଘଟଣାର ତଦନ୍ତ କରାଯିବ ଓ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗଣମାଧ୍ୟମକୁ ମୁରିବାହାଲ ବ୍ଲକ ଗସ୍ତ ସମୟରେ କହିଛନ୍ତି ।

ସମ୍ବନ୍ଧିତ ଖବର