ଖୋର୍ଦ୍ଧା : ଖୋର୍ଦ୍ଧା ଗ୍ରାମାଂଚଳ ବିଶେଷତଃ ବେଗୁନିଆ ବ୍ଲକରେ ବିଭିନ୍ନ ଅଂଚଳରେ ନିରୀହ ସଅର ଓ ଆଦିବାସୀଙ୍କୁ ନ୍ୟାୟ ପ୍ରଦାନ କରିବା ଆଢ଼ୁଆଳରେ ନିର୍ଯାତନା, ହତ୍ୟା, ଟଙ୍କା ଆଦାୟ କରିବା ମାମଲା ଆଜି ଏକ ନୂଆ ମୋଡରେ ପହଂଚିଛି । ସଂଗଠନର ବିଭିନ୍ନ ଅପରାଧରେ ଜଡ଼ିତ ଅଭିଯୋଗରେ ଗିରଫ ହୋଇଥିବା ମାନବବାଦୀ ସଂଗଠନର ମୁଖ୍ୟ ମାନସ ଦାସ ଓ ତାଙ୍କ ପୁଅ ମନୋରଂଜନଙ୍କ ମଧ୍ୟରୁ ମନୋରଂଜନଙ୍କୁ ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଜଜଙ୍କ ଠାରୁ ସର୍ତମୂଳକ ଜାମିନ ମିଳିବା ପରେ ଆଜି ଜେଲରୁ ମୁକୁଳିଛନ୍ତି ।
ମାନବବାଦୀ ସଂଗଠନ, ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଂଚର ମୁଖିଆ ମାନସ ଦାସଙ୍କ ବିରୋଧରେ ହତ୍ୟା, ଅପହରଣ, ନିର୍ଯାତନା, ହତ୍ୟା ଉଦ୍ୟମ ଭଳି ଦଫାରେ ୩ଟି ମାମଲା ରହିଥିବା ବେଳେ ତାଙ୍କ ପୁଅଙ୍କ ବିରୋଧରେ ହତ୍ୟା ଉଦ୍ୟମ, ଅପହରଣ, ଧମକଚମକ ଆଦି ୨ଟି ମାମଲା ରହିଥିଲା । ଉଭୟଙ୍କୁ ଚଳିତ ମାସ ୨ ତାରିଖରେ ଖୋର୍ଦ୍ଧା ପୁଲିସ ଭୁବନେଶ୍ୱରରୁ ଗିରଫ କରିଥିଲା । ଗିରଫ ହେବାର ୨୦ ଦିନ ମଧ୍ୟରେ ମନୋରଂଜନଙ୍କୁ ଜାମିନ ମିଳିଛି । ଜାମିନ ମିଳିବା ପଛରେ ପୁଲିସର ଢିଲା ତଦନ୍ତ ଓ ରିପୋର୍ଟ ଥିବା ସ୍ପଷ୍ଟ ହୋଇଛି ।
ଗତ ସପ୍ତାହରେ ଉଭୟଙ୍କ ପକ୍ଷରୁ ଏସଡିଜେଏମଙ୍କ କୋର୍ଟରେ ଜାମିନ ପାଇଁ ଆବେଦନ ହୋଇଥିଲା ଓ ଜାମିନ ନାକଚ ହେବା ପରେ ଉଭୟ ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଜଜଙ୍କ ଠାରେ ଆବେଦନ କରିଥିଲେ । ତେବେ ମନୋରଂଜନଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାରେ ପୁଲିସ କୌଣସି ଠୋସ୍ ପ୍ରମାଣ ଦେଇପାରିନଥିଲା, କିମ୍ବା ଜାମିନ ସମୟରେ ବିରୋଧ ମଧ୍ୟ କରିନଥିଲା ।
ଉଭୟଙ୍କ ମାମଲା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ଶରତ ଚନ୍ଦ୍ର ମାନସିଂହଙ୍କ ଏନେଇ କହିଛନ୍ତି ଯେ କୋର୍ଟ ମନୋରଂଜନଙ୍କୁ ସର୍ତମୂଳକ ଭାବେ ଗତକାଲି ଜାମିନ ପ୍ରଦାନ କରିଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ଦୁଇ ଜଣ ଜାମିନଦାରଙ୍କ ସହ ୫୦ହଜାର ଟଙ୍କା ଦାଖଲ କରିବା ପରେ ସେ ଜେଲରୁ ମୁକୁଳିଛନ୍ତି । କୋର୍ଟ ଦେଇଥିବା ସର୍ତ୍ତ ଅନୁସାରେ, ମନୋରଂଜନ ପ୍ରତି ୧୫ ଦିନରେ ଥରେ ଥାନାରେ ଆସି ହାଜରା ଦେବା ସହ ତଦନ୍ତରେ ସହଯୋଗ କରିବେ, କୌଣସି ଅପରାଧିକ କାର୍ଯ୍ୟରେ ଲିପ୍ତ ହେବେ ନାହିଁ କିମ୍ବା ମାମଲାରେ ସାକ୍ଷ୍ୟଙ୍କୁ ଡରାଇବା ଧମକାଇବେ ନାହିଁ କିମ୍ବା ପ୍ରମାଣକୁ ନଷ୍ଟ କରିବାକୁ ଉଦ୍ୟମ କରିବେ ନାହିଁ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/manas.jpg)