ବଲାଙ୍ଗୀରରେ ଅନେକ ଶିଶୁ ନିଖୋଜ, ସପନା ଓ ଦେବରାଜ କେଉଁଠି?

ନାଲି ଫାଇଲରେ ମାମଲା, ଚୁପଚାପ ପୁଲିସ

ବଲାଙ୍ଗୀର: ସାରା ରାଜ୍ୟରେ ପରୀ ଘଟଣା ହଇଚଇ ସୃଷ୍ଟି କରିଛି। ପରୀ ହତ୍ୟାକାରୀକୁ ଧରିବାକୁ ଏସଆଇଟି ଚଳାଇଛି ତନାଘନା। ଏପଟେ ବଲାଙ୍ଗୀର ଜିଲ୍ଲାରେ ବି ବିଗତ ଦିନରେ ଅନେକ ଶିଶୁ ନିଖୋଜ ଓ ହତ୍ୟାର ଶିକାର ହୋଇଛନ୍ତି ଯାହାର କି ପତ୍ତା ପାଇନି ପୁଲିସ। ସାଧାରଣ ପରିବାରର ଶିଶୁ ନିଖୋଜ ମାମଲାକୁ ସାଧାରଣ ଘଟଣା ଭାବେ ଗ୍ରହଣ କରିଛି ପୁଲିସ। ତଦନ୍ତ ଦୂରର କଥା ନିଖୋଜ ଶିଶୁଙ୍କ ବାପା, ମା’ଙ୍କ ଗୁହାରି ଶୁଣିବାକୁ ବି କାହା ପାଖରେ ଏଠି ସମୟ ଯେମିତି ନାହିଁ। ବଲାଙ୍ଗୀର ଜିଲ୍ଲାର ଦୁଇଜଣ ଶିଶୁ ସପନା ଓ ଦେବରାଜ ଏବେ କେଉଁଠି?

ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ବ୍ୟବସାୟିକ ପେଣ୍ଠସ୍ଥଳୀ। ହେଲେ କଣ୍ଟାବାଞ୍ଜିକୁ ଲାଗି ରହିଥିବା ଗାଁଗଣ୍ଡାରୁ ଛୁଟିଥାଏ ଦାଦନଙ୍କ ସୁଅ। ଶ୍ରମିକବହୁଳ ଅଂଚଳରୁ ଛୋଟଛୋଟ କଅଁଳ ଶିଶୁ ନିଖୋଜ ହୋଇଛନ୍ତି। ବର୍ଷ ବର୍ଷ ହେଲା ସେମାନଙ୍କ ପତ୍ତା ମିଳୁନି। ଏଫଆଇଆର ଦେଲା ପରେ ବି ସକ୍ରିୟ ହେଉନି ପୁଲିସ। କଣ୍ଟାବାଞ୍ଜି ସହର ନିକଟ କୁକୁଡ଼ାହାଡ଼ ଗାଁ। ଗାଁରେ ରୁହନ୍ତି ବିନୋଦ ସରାଫଙ୍କ ପରିବାର। ବିନୋଦ ଦିନମଜୁରି କରି ପରିବାର ପ୍ରତିପୋଷଣ କରିଥାନ୍ତି। ଗତ ୨୦୧୪ ମସିହା ଅକ୍ଟୋବର ୩ ତାରିଖ ତାଙ୍କ ପରିବାରକୁ ଆସିଥିଲା ଦୁଃଖର ବାଦଲ। ବେଶ୍‌ ଖୁସିରେ ସେମାନେ ଯାଇଥିଲେ ଦଶହରା ଦେଖିବାକୁ। ବିନୋଦଙ୍କ ସହ ତାଙ୍କ ସ୍ତ୍ରୀ ସାବିତ୍ରୀ, ଛୋଟ ଦୁଇ ଝିଅ ଓ ଗୋଟିଏ ପୁଅ ଯାଇଥିଲେ। ହେଲେ ଯାତ୍ରାର ଭିଡ଼ ଭିତରେ ହଜିଯାଇଥିଲା ତାଙ୍କ ବଡ଼ ଝିଅ ସପନା(୬ବର୍ଷ)। ଯାତ୍ରାର ଭିଡ଼ ଭିତରେ ବହୁ ଖୋଜାଖୋଜି କରିଥିଲେ। ଦାୟିତ୍ୱରେ ଥିବା ପୁଲିସ ଅଧିକାରୀଙ୍କୁ ହାରିଗୁହାରି କରିଥିଲେ। ମାଇକରେ ବି ଘୋଷଣା କରାଯାଇଥିଲା। ଝିଅ ମିଳିଥିଲା ଓ ଆଉ କେହି ଜଣେ ତାକୁ ନିଜ ସଂପର୍କୀୟ ଭାଣିଜୀ କହି ସାଙ୍ଗରେ ନେଇ ପଳାଇଥିଲା। ଏହା ପରେ ପରିବାର ଲୋକ କଣ୍ଟାବାଞ୍ଜି ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ।

ସପନାର ଫଟୋ ଦେଇ କାନ୍ଥବାଡ଼ରେ ଛାପି ବିଜ୍ଞାପନ ଦେଇଥିଲେ। ପଡ଼ୋଶୀ ରାଜ୍ୟକୁ ଯାଇ ବି ଖୋଜାଖୋଜି କରିଥିଲେ। ହେଲେ ଆଜି ଯାଏ କୌଣସି ଖୋଜଖବର ନାହିଁ। ଏହାରି ଭିତରେ ୬ ବର୍ଷ ବିତିଗଲାଣି। ୬ ବର୍ଷର ଝିଅକୁ ୧୨ ବର୍ଷ ହୋଇସାରିଥିବ। ହେଲେ ଏବେ ବି ଝିଅର ଫେରିବା ବାଟକୁ ଚାହିଁ ବସିଛନ୍ତି ବାପା, ମା’। ଥାନାଠୁ ଏସପିଙ୍କ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହେଲେ ବି କିଛି ଲାଭ ମିଳିଲାନି ବୋଲି କହିଛନ୍ତି ବିନୋଦ ଓ ତାଙ୍କ ସ୍ତ୍ରୀ ସାବିତ୍ରୀ। ଠିକ୍‌ ସେହିପରି ଆଉ ଏକ ଘଟଣା। ଗତ ଜାନୁଆରି ୧୫ ତାରିଖ କଣ୍ଟାବାଞ୍ଜି ଥାନା ଚାଉଲଶୁଖା ଗାଁର ୧୨ ବର୍ଷର ଦେବରାଜ ଭୋଇ ନିଖୋଜ ହୋଇଯାଇଥିଲେ। ଫୁଟବଲ ଖେଳିବାକୁ ଯାଇ ଆଉ ଘରକୁ ଫେରିନଥିଲେ। ବାପା ଶ୍ରୀଜିତ ଭୋଇ ବହୁ ଖୋଜାଖୋଜି କରିଥିଲେ। ତିନି ପୁଅଙ୍କୁ ନେଇ ତାଙ୍କ ପରିବାର। ସଂଧ୍ୟାରେ ଦିନମଜୁରି କାମ ସାରି ଘରକୁ ଫେରିବା ପରେ ସେ ଶ୍ରୀଜିତର ନିଖୋଜ ଘଟଣା ଜାଣିଥିଲେ। ବନ୍ଧୁ, ସଂପର୍କୀୟ ସହ ଚାରିଆଡ଼େ ଖୋଜାଖୋଜି କରିଥିଲେ।

ନିରାଶ ହୋଇ କଣ୍ଟାବାଞ୍ଜି ଥାନାରେ ଲିଖିତ ଏତଲା ଦେଇଥିଲେ। ବହୁଥର ଥାନାକୁ ଯାଇ ପୁଲିସ ଅଧିକାରୀମାନଙ୍କୁ ତାଙ୍କ ପୁଅଙ୍କୁ ଖୋଜିବାକୁ ନେହୁରା ହୋଇଥିଲେ। ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ଏସ୍‌ପିଙ୍କ ନିକଟକୁ ଆସି ଦେଖା କରିଥିଲେ। ଦିନ ଗଡ଼ାଇ ଚାଲିଥିଲା କଣ୍ଟାବାଞ୍ଜି ପୁଲିସ। ଆଉ ଘଟଣାକୁ ବର୍ଷେ ପୂରିବ ହେଲେ ତାଙ୍କ ପୁଅଙ୍କ କୌଣସି ଖବର ନାହିଁ। ବଲାଙ୍ଗୀର ଜିଲ୍ଲାରେ ଏଭଳି ଅନେକ ଶିଶୁ ଗାଏବରେ ପୁଲିସ ତଦନ୍ତ ସେଭଳି ଆଗଉନଥିବା ଅଭିଯୋଗ ହୁଏ। ଏ ନେଇ ବଲାଙ୍ଗୀର ପୁଲିସ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ସିଡବ୍ଲୁସି ଉଦବେଗ ପ୍ରକାଶ କରିଛି। ସିଡବ୍ଲୁସି ଅଧ୍ୟକ୍ଷ ଯୋଗେଶ୍ୱର ମହାନ୍ତି କହିଛନ୍ତି, ଏକ ଟାସ୍କଫୋର୍ସ ଗଠନ କରାଯାଇ ଯାହା ଶିଶୁ ନିଖୋଜ ମାମଲା ରହିଛି ତାହାର ତଦନ୍ତ ଦରକାର। ସ୍ୱତନ୍ତ୍ର ତଦନ୍ତ କରାଗଲେ ଅନେକ ଶିଶୁ ନିଖୋଜ ମାମଲାର ପର୍ଦ୍ଦାଫାସ ହୋଇପାରିବ। ବାପା, ମା’ ତାଙ୍କ ଶିଶୁକୁ ଫେରିପାଇବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର