ଜୟପୁରରେ ଫେଲ୍ ମାରିଛି ବର୍ଜବସ୍ତୁ ପରିଚାଳନା: କୁଢ଼ କୁଢ଼ ମଇଳା ଜମା

୧୨ରୁ ୨ବିଓଭିର ଯନ୍ତ୍ରାଂଶ ଖରାପ, ୨ଟିରୁ ଗୋଟିଏ ଏମସିସି ଚାଳିଛି

ଜୟପୁର: ଲକ୍ଷାଧିକ ବସବାସ କରୁଥିବା ଜୟପୁର ସହରର ପରିମଳ ବ୍ୟବସ୍ଥା ସଂପ୍ରତି ବିପର୍ଯ୍ୟସ୍ତ ହୋଇ ପଡିଛି। ସାହି, ଗଳି, ମୁଖ୍ୟରାସ୍ତାଗୁଡିକରେ ମଇଳା ଅବର୍ଜନା ଜମା ହୋଇ ପଡ଼ି ରହିବା ସହ ରାସ୍ତା ଉପରେ ପଲିଥିନ୍ ଉଡ଼ୁଥିବା ଦେଖିବାକୁ ମିଳିଛି। ନାଳଗୁଡିକରେ ମଇଳା ଆବର୍ଜନା ପାଣି ଜମା ହୋଇ ଗନ୍ଦମୟ ପରିବେଶ ସୃଷ୍ଟି ହୋଇଛି। ଯେଉଁ ରାସ୍ତାରେ ଗଲେ ବି ନାକରେ ରୁମାଲ ଦେଇ ଯିବାକୁ ପଡ଼ୁଛି।
ଅନ୍ୟପକ୍ଷରେ ପ୍ରତିବର୍ଷ ସହରର ୨୮ଟି ୱାର୍ଡର ସଫେଇ ପାଇଁ ୪କୋଟି ଓ ବ୍ଲିଚିଂ, ପିନାଇଲ୍ ପକାଯିବା ପାଇଁ ୨୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହେଉଛି। ଏହା ବାଦେ ବି ମଶା ଓ ମାଛିର ପ୍ରାଦୁର୍ଭାବରୁ ଲୋକେ ହନ୍ତସନ୍ତ। ନାଳଗୁଡିକ ଠିକ୍ ଭାବେ ସଫେଇ ହେଉ ନଥିବାରୁ ପାଣି ଜମା ହୋଇ ରହି ମଶା ଓ ମାଛିର ଘର କରି ସାରିଲେଣି। ପୌରପାଳିକାର ନିୟମିତ ତଥା ସ୍ଥାୟୀ ଝାଡୁଦାରଙ୍କ ସଂଖ୍ୟା କମିବା ଏବଂ ସହରକୁ ସଫା ସୁତରା କରି ରଖିବା ପାଇଁ ୨୮ଟି ଯାକ ୱାର୍ଡକୁ ଗତ କିଛି ବର୍ଷ ହେବ ଏକ ଘରୋଇ ସଂସ୍ଥାକୁ ସଫାସୁତରା କରିବାକୁ ନିଲାମରେ ଦିଆଯାଇଥିଲା। ତାହାର ଅବଧି ସରିବା ପରେ ଏହାରି ମଧ୍ୟରେ ନୂଆ ଟେଣ୍ଡର କରାଯାଇଛି। ଟେଣ୍ଡରକୁ ନେଇ ଉପୁଜିଥିବା ବିବାଦ ପରେ ଏହାର ସମାଧାନ ପର୍ଯ୍ୟନ୍ତ ପୁରୁଣା ଠିକା ସଂସ୍ଥାକୁ ହିଁ ସଫେଇ ଦାୟିତ୍ବ ଦିଆଯାଇଛି। ଅନ୍ୟ ପକ୍ଷରେ ସହରର ମଇଳା, ନାଳ , ନର୍ଦ୍ଦମାର ପାଣି ସବୁ ଏବେ ସହରରେ ରାଜରାଜୁଡା ଅମଳର ଜଳାଶୟଗୁଡ଼ିକରେ ଭରି ଗଲାଣି। ଜଗନ୍ନାଥସାଗରର ପାଣି ସବୁ ସବୁଜ ହୋଇଗଲାଣି।

ଏହାର ଚାରିପାର୍ଶ୍ବରେ ଥିବା ଛୋଟ ବଡ ପୋଖରୀଗୁଡିକର ଅବସ୍ଥା ନ କହିବା ଭଲ। ସେଭଳି ନୀଳକଣ୍ଠସାଗର, ଖଜୁରୀବନ୍ଦରେ ମଇଳା , ଆବର୍ଜନା ଭରି ଯିବା ସହ ପୋତି ହେବାରେ ଲାଗିଲାଣି। ନୀଳକଣ୍ଠସାଗର ଏବେ ପଡ଼ିଆ ସଦୃଶ୍ୟ ଦିଶୁଛି। ଅନ୍ୟ ପକ୍ଷରେ ସହରରେ ଗତ କିଛି ମାସ ହେବ ମଇଳା, ଆବର୍ଜନ ଆଦିକୁ ନେଇ ଅତ୍ୟାଧୁନିକ ପ୍ରଣାଳୀରେ ମୋ ଖତ କରିବା ପ୍ରକ୍ରିୟା ବି ଆରମ୍ଭ ହୋଇପାରିନି। ୪ଟି ଏମସିସି (ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର) କରିବାକୁ ଯୋଜନା କରାଯାଇଥିବା ବେଳେ ମାତ୍ର ଗୋଟିଏ ଗଡ଼ିଆ ଧୋବାସାହି ମଧ୍ୟରେ ଥିବା ଏମସିସିକୁ ବାଦ୍ ଦେଲେ ଅନ୍ୟ ଏମସିସିଗୁଡ଼ିକ ଆରମ୍ଭ ହୋଇପାରିନି।

ଅନ୍ୟପକ୍ଷରେ ଅଳ୍ପ କିଛି ମଇଳା ଓଆବର୍ଜନା ଏହି ଏକା ଏମସିସିକୁ ନିଆଯାଉଥିବା ବେଳେ ବଳକା ସବୁ ମଇଳା ମକାପୁଟ ଡମ୍ପିଂୟାର୍ଡକୁ ନିଆଯାଉଛି। ତେବେ ଗତ କିଛି ଦିନ ହେବ ସହର ସାରା କୁଢ଼ କୁଢ଼ ମଇଳା ଜମା ହୋଇ ପଡ଼ି ରହିଥିବା ଦେଖିବାକୁ ମିଳିଛି। ବ୍ୟାଟେରୀ ଚାଳିତ ଗାଡିରେ ମଇଳା ସଂଗ୍ରହ ପାଇଁ ୧୨ଟି ବିଓଭି ଆସିଥିଲା। ଏଥିରୁ ଏବେ ୧୦ଟି ହିଁ ଚାଳୁଛି। ଆଉ ୨ଟିର ଯନ୍ତ୍ରାଂଶରେ ମରାମତି ଦେଖାଦେଇଥିବା ସୂଚନା ମିଳିଛି।

ଏହି ୧୦ଟିକୁ ଏବେ ପରୀକ୍ଷାମୂଳକ ଭାବେ ବିଭିନ୍ନ ୱାର୍ଡରେ ପ୍ରଦର୍ଶନ କରି ବୁଲାଇବା ସହ ଲୋକଙ୍କୁ ବୁଝାଇବା ପ୍ରକ୍ରିୟା ଜାରି ରହିଥିବା ପୌରପାଳିକା ପକ୍ଷରୁ ସୂଚନା ମିଳିଛି। ଗତ କିଛି ଦିନ ହେବ ସହରର ନାଳଗୁଡିକ ସଫେଇ ନ ହୋଇ ମଇଳା ପାଣି ସବୁ ଜମା ହୋଇରହିଥିବା ଦେଖିବାକୁ ମିଳିଛି। ନୂଆସାହି, ଧୋବାସାହି,ମହାନ୍ତିସାହି, ସୌରାସାହି, ଚନ୍ଦନବାଢ଼ , ପାର୍କ ସାହି, ଭିଆଇପି ଲାଇନରେ ଏହା ଅଧିକା ଦେଖିବାକୁ ମିଳିଛି।

ଧୋବାସାହିରେ ନାଳ ସଫେଇ ହୋଇ ନଥିଲେ ହେଁ ଏହା ଉପରେ ପକାଯିବାକୁ ଥିବା ସ୍ଲାଫ୍ ଖଣ୍ଡଗୁଡିକ ରାସ୍ତା ଉପରେ ଜମା କରି ରଖାଯାଇଛି। ଏଭଳିକି ଧୋବାସାହି ପ୍ରବେଶପଥ ସମ୍ମୁଖ ରାସ୍ତାରେ ପଥର ରଖି ସାହି ମଧ୍ୟକୁ ବଡ଼ ଗାଡି ଯିବା ବନ୍ଦ କରାଯାଇଛି। ସେଭଳି ସହରର ବିଭିନ୍ନ ରାସ୍ତା ସହ ଛକ, ମଇଳା ଆବର୍ଜନା ଜମା ଥିବା ସ୍ଥାନରେ ଗାଇ, ବଳଦ ଆଦି ରହି ଖାଉଥିବା ବି ଦେଖିବାକୁ ମିଳିଛି। ସେଭଳି ଜାତୀୟ ରାଜପଥ ଉପରେ ବି ଅବାଧରେ ଗାଇ ଗୋରୁ ବୁଲୁଥିବା ବି ଦେଖିବାକୁ ମିଳିଛି।

ପୌରପାଳିକାର ଏସବୁ ବିବିଧ ସମସ୍ୟାକୁ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି। ସହରର ସଫା ସୁତରା, ସ୍ବଚ୍ଛତା, ପରିମଳ, ନାଳ ନର୍ଦ୍ଧମା ଆଦିରେ ଦେଖାଦେଉଥିବା ସମସ୍ୟାକୁ ନେଇ ଅଭିଯୋଗ କରିବା ପାଇଁ କେନ୍ଦ୍ର ସରକାର ସ୍ବଚ୍ଛଭାରତ ମିଶନରେ ସ୍ବଚ୍ଛଭାରତ ଆପ୍ ବି ଆରମ୍ଭ କରିଛନ୍ତି। ଏଥିରେ ବି ଲୋକେ ଅଭିଯୋଗ କରିବା ସତ୍ତ୍ବେ ଯଥା ପୂର୍ବଂକୁ ତଥା ପରଂ। ତେବେ ସହରବାସୀଙ୍କ ପରିମଳ, ପୁତ୍ତିଗନ୍ଦମୟ ପରିବେଶରୁ କେବେ ମୁକ୍ତି ପାଇବେ ଏବଂ ସମସ୍ୟା ଦୁର ହେବ ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର