ବରୀ ପଞ୍ଚାୟତ ସମିତି ବୈଠକ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ତୁମୁଳ କାଣ୍ଡ

ଟେକା ପଥର ମାଡ; ଅନେକ ଗାଡି ଭାଙ୍ଗିଲା, ୩ ପ୍ଲାଟୁନ ଫୋର୍ସ ମୁତୟନ

ଯାଜପୁର: ଯାଜପୁର ଜିଲ୍ଲା ବରୀ ବ୍ଲକ୍ ପଞ୍ଚାୟତ ସମିତି ବୈଠକରେ ଆଜି ଦୁଇ ରାଜନୈତିକ ଦଳ ବିଜେଡି ଓ ବିଜେପି ମଧ୍ୟରେ ବିବାଦ ଦେଖିବାକୁ ମିଳିଛି। ପଞ୍ଚାୟତ ବୈଠକ ପୂର୍ବରୁ ଦୁଇ ଗୋଷ୍ଠୀର ସଦସ୍ୟମାନଙ୍କ ମଧ୍ୟରେ ଜୋରଦାର ଗଣ୍ଡଗୋଳ ଓ ଟେକାପଥର ମାଡ ହୋଇଥିବା ବେଳେ ପୁଲିସ ସୁରକ୍ଷା ଭିତରେ ବୈଠକ ଶେଷ ହୋଇଛି। ତେବେ ଆଜି ଉଭୟ ବିଜେଡିର ସମର୍ଥିତ ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲା ପରିଷଦ ସଦସ୍ୟଙ୍କ ସହ ବିଜେପି ସମର୍ଥିତ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଅନ୍ୟ ଲୋକ ପ୍ରତିନିଧି ବୈଠକରେ ସାମିଲ ହୋଇଥିଲେ। ତେବେ ଭିତରେ ବୈଠକରେ ଉଭୟ ଦଳ ପକ୍ଷରୁ ବାକ୍ ଯୁଦ୍ଧ ଚାଲିଥିବା ବେଳେ ବାହାରେ କର୍ମୀମାନଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି। ଟେକାପଥର ମାଡ ଯୋଗୁଁ ଜଣଙ୍କ ମୁଣ୍ଡ ଫାଟିଥିବା ବେଳେ ଅନେକ ଆହତ ହୋଇଛନ୍ତି।

ଗଣ୍ଡଗୋଳ ଫଳରେ ଗାଡିମଟର ଭଙ୍ଗାରୁଜା କରାଯାଇଛି।  ୨୫ରୁ ଅଧିକ ବାଇକ ଓ ୩/୪ଟି ଚାରିଚକିଆ ଗାଡି ଭାଙ୍ଗିରୁଜି ହୋଇଯାଇଛି। ତେବେ ଆଜିର ବୈଠକ ପୂର୍ବରୁ ଏହାକୁ ଭଣ୍ଡୁର କରିବାକୁ କେହି ଦୁବୃର୍ତ୍ତ ବ୍ଲକ ପାଚେରୀ ଉପରକୁ ବୋମାମାଡ ମଧ୍ୟ କରିଥିଲେ ବୋଲି ଅଭିଯୋଗ ହୋଇଛି । ସୁରକ୍ଷା ଦୃଷ୍ଟିରୁ ୩ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବା ବେଳେ ଅତିରିକ୍ତ ଏସପି ବିବି ବେହେରା ଘଟଣାସ୍ଥଳେ ଉପସ୍ଥିତ ଅଛନ୍ତି। ବୈଠକ ପରେ ବିଜେପି ସମର୍ଥିତ ଲୋକ ପ୍ରତିନିଧି ପଳାଇ ଥିବା ବେଳେ ବିଜେଡି ସମର୍ଥିତ ଲୋକ ପ୍ରତିନିଧ, ସାଂସଦ ପ୍ରତିନିଧି, ବିଧାୟିକା ପ୍ରତିନିଧି ବାହାରକୁ ବାହାରିବାକୁ ସାହସ କରିପାରୁନାହାନ୍ତି। ବାହାରେ ବିଜେପି ସମର୍ଥିତ ସଦସ୍ୟମାନେ ଉତ୍ତ୍ୟକ୍ତ ଅବସ୍ଥାରେ ଥିବାରୁ ପୁଲିସ ପକ୍ଷରୁ ତାଙ୍କୁ ସୁରକ୍ଷିତ ବାହାର କରିବାକୁ ଉଦ୍ୟମ ଜାରି ରହିଛି।

ସମ୍ବନ୍ଧିତ ଖବର