ଗଣତନ୍ତ୍ର ଦିବସ ପୂର୍ବରୁ ମାଓ ବିସ୍ଫୋରକ ଜବତ..ସ୍ବାଭିମାନ ଅଂଚଳରୁ ୭ଟି ଲ୍ୟାଣ୍ଡମାଇନ ଓ ମାଓ ସାମଗ୍ରୀ ଜବତ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ବାଭିମାନ ଅଂଚଳରୁ ଗଣତନ୍ତ୍ର ଦିବସର ଦିନକ ପୂର୍ବରୁ ଘନବେଡା ଠାରେ ଅବସ୍ଥାପିତ ୯ ବିଏସଏଫ ବାଟାଲିୟନର ଯବାନ ଏବଂ ଜିଲ୍ଲା ପୁଲିସ ମିଳିତ ଭାବେ ଚଢାଉ କରି ୭ଟି ଲ୍ୟାଣ୍ଡମାଇନ ଏବଂ ମାଓ ସାମଗ୍ରୀ ଜବତ କରିଛନ୍ତି।ଆନ୍ଧ୍ର ଓଡିଶା ସୀମାକୁ ଲାଗି ରହିଥିବା ସଦାରାମ,ତୋଟାଗୁଡା ଏବଂ ସନ୍ୟାସୀଗୁଡା ଗ୍ରାମ ନିକଟସ୍ଥ ଜଂଗଲରେ ନକ୍ସଲ ଗାତ କରି ଲ୍ୟାଣ୍ଡମାଇନ ଏବଂ ମାଓ ସାମଗ୍ରୀ ଲୁଚାଇ ରଖିଥିଲେ।ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ଏବଂ ବିଏସଏଫ ଯବାନ ଏହି ଅଂଚଳକୁ ଘେରିଥିଲେ।

ଏଥିସହ ବିଏସଏଫର ବୋମା ନିଷ୍କ୍ରିୟ ଦଳ ଘଟଣାସ୍ଥଳରେ ପହଞ୍ଚି ବୋମାର ସନ୍ଧାନ ନେଇଥିଲା । ଦୀର୍ଘ ସମୟ ପରେ ପାହାଡ ଉପରେ ନକ୍ସଲ ଗାତ କରି ଲ୍ୟାଣ୍ଡମାଇନକୁ ଲୁଚାଇ ରଖିଥିଲେ । ବିଏସଏଫ ଏହି ଲ୍ୟାଣ୍ଡମାଇନକୁ ଉଦ୍ଧାର କରି ନିଷ୍କ୍ରିୟ କରିଥିଲା।ଗୋଟିଏ କିଲୋ ଠାରୁ ଆରମ୍ଭ କରି ୫ କିଲୋ ପର୍ଯ୍ୟନ୍ତ ଲ୍ୟାଣ୍ଡମାଇନ ରହିଥିଲା।ଏହି ବିସ୍ଫୋରକଗୁଡିକକୁ ସୁରକ୍ଷାକର୍ମୀ ଏବଂ ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରିବା ପାଇଁ ବ୍ୟବହାର କରିଥାନ୍ତେ ନକ୍ସଲ।ସ୍ବାଭିମାନ ଅଂଚଳରେ ଯେପରି ଗଣତନ୍ତ୍ର ଦିବସ ଶାନ୍ତି ଏବଂ ସୁନ୍ଦର ଭାବେ ସମାପ୍ତ ସେନେଇ ବିଏସେଫ ଏବଂ ପୁଲିସ ସଜାଗ ରହିଥିବା କୁହାଯାଇଛି।ଗଣତନ୍ତ୍ର ଦିବସକୁ ଭଣ୍ଡୁର କରିବାକୁ ନକ୍ସଲ ଏହି ବୋମାକୁ ବ୍ୟବହାର କରିଥାନ୍ତେ ବୋଲି କୁହାଯାଇଛି।ତେବେ ଯବାନଙ୍କ ତତ୍ପରତା ଯୋଗୁଁ ଏକ ବଡ ଧରଣର ଅଘଟଣକୁ ଏଡାଇ ଦିଆଯାଇପାରିଥିବା କୁହାଯାଇଛି ।

 

ସମ୍ବନ୍ଧିତ ଖବର