ମାଓ ସଂଗଠନର ଗୁମର ଖୋଲିଲେ ମଙ୍କୁ, ଲଛୁ…ମିଳୁନି ଜନ ସମର୍ଥନ, ଦୁର୍ବଳ ହେଉଛି ସଂଗଠନ

ଛତିଶଗଡ଼-ଆନ୍ଧ୍ର କ୍ୟାଡରଙ୍କ ମଧ୍ୟରେ ବଢ଼ୁଛି ବିବାଦ

ରାୟଗଡ଼ା (ନବୀନ ଚନ୍ଦ୍ର ସାହୁ): ମାଓ ସଂଗଠନରେ ସଦସ୍ୟଙ୍କ ସଂଖ୍ୟା କମୁଛି। ଘରକୁ ଯାଇ ଫେରୁନାହାନ୍ତି କ୍ୟାଡର୍। ଗ୍ରାମାଞ୍ଚଳରେ ଜନ ସମର୍ଥନ ମିଳୁନଥିବାରୁ ନିଯୁକ୍ତି ବି ହୋଇପାରୁନି। କମ ସଦସ୍ୟଙ୍କୁ ନେଇ କଳାହାଣ୍ଡି-କନ୍ଧମାଳ-ରାୟଗଡ଼ା ଅଞ୍ଚଳ ବୁଲିବା ସମ୍ଭବ ହେଉନି। ବାରମ୍ବାର ପାହାଡ଼ ଚଢ଼ିବାକୁ ପଡୁଛି। ଶୋଇବା ତ ଦୂରର କଥା ପାଣି ଟୋପାଏ ମିଳିବା କଷ୍ଟକର ହେଉଛି। ପିନ୍ଧିବା ପାଇଁ ପୋଷାକ, ଜୋତା ମିଳୁନଥିବା ବେଳେ ଛତିଶଗଡ଼-ଆନ୍ଧ୍ର କ୍ୟାଡରଙ୍କ ମଧ୍ୟରେ ବିବାଦ ବଢ଼ୁଥିବାରୁ ଦୁର୍ବଳ ହେବାରେ ଲାଗିଛି କେକେବିଏନ୍, କଳାହାଣ୍ଡି ଏଲଓଏସ୍, ସୁନାବେଡା ଏରିଆ କମିଟି ଓ ବାଘୁନା ଡିଭିଜନ୍।

ରାୟଗଡ଼ା ପୁଲିସ୍ ନିକଟରେ ଆତ୍ମ ସମର୍ପଣ କରିବା ପରେ ମାଓ ସଂଗଠନର ଗୁମର ଖୋଲିଛନ୍ତି ଦୁଇ ଛତିଶଗଡ କ୍ୟାଡର ହାର୍ଡକୋର୍ ମାଓବାଦୀ ମଙ୍କୁ ଓ ଲଛୁ। କଳାହାଣ୍ଡି ଲୋକାଲ୍ ଅପରେସନ୍ ସ୍କ୍ବାର୍ଡର ଏରିଆ କମିଟି ସଦସ୍ୟ ଭାବେ କାମ କରୁଥିବା ମଙ୍କୁ କହିଛନ୍ତି, ବହୁ ମାଓ ଡିଭିଜନ ଏବେ ୧୨/୧୩ ସଦସ୍ୟଙ୍କୁ ନେଇ ଚାଲିଛି। ସଂଗଠନରେ ଖାଦ୍ୟାଭାବ ସହ ଟପ୍ କ୍ୟାଡର ମାଓବାଦୀଙ୍କ ଅତ୍ୟାଚାର, ଶୋଷଣ ବଢ଼ୁଥିବାରୁ ଘରକୁ ଛୁଟିରେ ଯାଇ ସଂଗଠନକୁ ନ ଫେରିବା ସହ ପାର୍ଟି ଛାଡ଼ୁଛନ୍ତି କ୍ୟାଡର୍। ପୂର୍ବ ଭଳି ଅଧିକାଂଶ ସ୍ଥାନରେ ଗ୍ରାମବାସୀଙ୍କ ସହଯୋଗ ବି ମିଳୁନି। ବର୍ଷା ହେଲେ ଶୋଇବାକୁ ଜାଗା ମିଳୁନି। ପୁଲିସ୍ ପକ୍ଷରୁ ଘନ ଘନ ଏନକାଉଣ୍ଟର ହେଉଥିବା ବେଳେ ସାମନା କରିବାକୁ ଆବଶ୍ୟକ ପାର୍ଟି ସଦସ୍ୟ ନାହାନ୍ତି। ସଂଗଠନ ଛାଡ଼ି ଘରକୁ ଯିବା ପାଇଁ ବହୁ ଚେଷ୍ଟା କରିଥିଲେ ମଧ୍ୟ ଟଙ୍କା ଅଭାବରୁ ଯାଇପାରିନଥିବା ମଙ୍କୁ ପ୍ରକାଶ କରିଛନ୍ତି। ୨୦୧୧ ମସିହାରେ ସିପିଆଇ ମାଓ ସଂଗଠନର ନେତା ଘରକୁ ଆସି ମାଓ ସଂଗଠନରେ ଯୋଗଦେବା ପାଇଁ ବାପା ସୁନାକୁ ଓୟାମଙ୍କୁ ପ୍ରବର୍ତ୍ତାଇ ଥିଲେ। ଗ୍ରାମର ଅନ୍ୟ କିଛି ଯୁବକ ସଂଗଠନରେ ଯୋଗଦେଉଥିବାରୁ ବାପାଙ୍କ ପରାମର୍ଶରେ ମାଓ ସଂଗଠନକୁ ଆସିଥିବା କହିଛନ୍ତି ମଙ୍କୁ। କିନ୍ତୁ ଆଉ ଘରକୁ ଫେରି ପାରିନାହାନ୍ତି। ଏରିଆ କମିଟି ସଦସ୍ୟ ଭାବେ କାମ କରୁଥିବା ବେଳେ ଇନସାସ୍ ବନ୍ଧୁକ ମିଳିଥିଲା। ଏବେ ତାହା ମାଓ ସଂଗଠନ ପ୍ରତ୍ୟାହାର କରି ନେଇଛି। କଳାହାଣ୍ଡି ଡିଭିଜନକୁ ମାଓ ନେତା ପ୍ରଦୀପ, ଲାଲସୁ, ବାରାତୁ, ଯୋଗା, ଭୀମା, ମାନସି, ସିଦ୍ଧାନ୍ତ, ରଜନୀ, ରନିତା ସମ୍ଭାଳୁଛନ୍ତି। ସେହିପରି ବଂଶଧାରା-ଘୁମୁସର-ନାଗାବଳୀ ଡିଭିଜନକୁ ମାଓ ନେତା ନିଖିଲ୍, ବଣ୍ଟି, ଦାସୁରୁ, ମମତା ସମ୍ଭାଳୁଛନ୍ତି। ଭାଷାଗତ ସମସ୍ୟା, ବିଭିନ୍ନ କାରଣ ଯୋଗୁ ଧୀରେ ଧୀରେ ଛତିଶଗଡ଼-ଆନ୍ଧ୍ର କ୍ୟାଡରଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଯାହାର ପ୍ରଭାବ ତଳ ସ୍ତରରେ କାମ କରୁଥିବା କ୍ୟାଡରଙ୍କ ଉପରେ ପଡୁଛି। ବିଭିନ୍ନ ସମୟରେ ମାଓ ସଂଗଠନକୁ ଚାନ୍ଦା ବାବଦକୁ ଆସୁଥିବା ଅର୍ଥକୁ ଟପ୍ କ୍ୟାଡର୍ ହଡ଼ପ କରି ନେଉଥିବା ମଙ୍କୁ କହିଛନ୍ତି। ଗ୍ରାମବାସୀଙ୍କ ସହାୟତାରେ ଠିକାଦାର, ବିଶିଷ୍ଟ ବ୍ୟକ୍ତିଙ୍କ ନିକଟରୁ ମାଓବାଦୀ ଚାନ୍ଦା ଆଦାୟ କରୁଛନ୍ତି। ଚାନ୍ଦା ଟଙ୍କା ଆସିବା ପରେ ମାଓ ସଂଗଠନ ସଦସ୍ୟଙ୍କ ଅଜାଣତରେ ଟପ୍ କ୍ୟାଡର ଉକ୍ତ ଟଙ୍କାକୁ ହଡ଼ପ କରି ନେଉଛନ୍ତି। ତଳ କ୍ୟାଡରଙ୍କୁ ଟଙ୍କା ମିଳୁନଥିବାରୁ ବହୁ ସଦସ୍ୟ ଦୁର୍ଦିନରେ ଦିନ କାଟୁଛନ୍ତି। ପରିବାର ଲୋକଙ୍କୁ ସହଯୋଗ କରିବାକୁ ଇଚ୍ଛା ଥିଲେ ମଧ୍ୟ ଟଙ୍କାଟିଏ ପଠାଇ ପାରୁନାହାନ୍ତି। ମାଓ ସଂଗଠନରେ ଯୋଗ ଦେଇଥିବା ସମୟ ଭିତରେ ଟଙ୍କା ନ ପାଇବା ଯୋଗୁ ବହୁ ଅସୁବିଧାର ସମ୍ମୁଖୀନ ହେବା ସହ ଶେଷରେ ଘରକୁ ମଧ୍ୟ ଫେରିପାରିନଥିବା ମଙ୍କୁ କହିଛନ୍ତି। ସମାଜର ମୁଖ୍ୟସ୍ରୋତକୁ ଫେରିବା ପରେ ସରକାରଙ୍କ ବିକାଶ ଧାରାରେ ସାମିଲ୍ ହେବା ସହ ମାଓ ସଂଗଠନରେ ସାମିଲ୍ ନ ହେବାକୁ ଉଭୟ ମଙ୍କୁ ଓ ଲଛୁ ଯୁବପିଢ଼ିଙ୍କୁ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର