ତୁମୁଡ଼ିବନ୍ଧ: କିଛି ଦିନରେ ନିରବତା ପରେ କନ୍ଧମାଳରେ ପୁଣି ଲାଲବାହିନୀ ଉପସ୍ଥିତି ଜାହିର କରିଛି। ଆଜି ବେଲଘର-ମାତୃଗାଁ ରାସ୍ତା ଗୁମା ଛକ ନିକଟସ୍ଥ ଗୁଚୁକା ଠାରେ ଶୁଖିଲା ଗଛ କାଟି ରାସ୍ତାରେ ପକାଇ ପୋଷ୍ଟର ଲଗାଇଛନ୍ତି। ପୋଷ୍ଟରରେ ସିପିଆଇ (ମାଓବାଦୀ) ପୂର୍ବ ସବ୍ଜୋନାଲ ବ୍ୟୁରୋ ବୋଲି କମ୍ପ୍ୟୁଟର ପ୍ରିଣ୍ଟ୍ ହୋଇଥିବା ପୋଷ୍ଟର ମାରିଛନ୍ତି। ଏଥିରେ ୧୨ଟି ଦାବି ଉଲ୍ଲେଖ କରିଥିବା ବେଳେ ଆସନ୍ତା ମେ’ ୮ରୁ ୧୪ ଜନଅଧିକାର ଅଭିଯାନ ଓ ମେ’ ୧୫ରେ କନ୍ଧମାଳ, କଳାହାଣ୍ଡି, ରାୟଗଡା, ବୌଦ୍ଧ, ନୟାଗଡ଼, ଗଜପତି ଓ ଗଞ୍ଜାମ ଆଦି ୭ଟି ଜିଲ୍ଲାରେ ୨୪ଘଣ୍ଟିଆ ବନ୍ଦକୁ ସଫଳ କରିବା ପାଇଁ ଆହ୍ବାନ ଦେଇଛନ୍ତି। ଆଦିବାସୀ ଓ ଦଳିତ ଶ୍ରେଣୀର ପିଲାମାନଙ୍କୁ ଉଚିତ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ଜମି ପ୍ରଦାନ ସହ ପ୍ରଧାନମନ୍ତ୍ରୀ ଓ ବିଜୁ ପକ୍କାଘର ଦେବା ପାଇଁ ଉଲ୍ଲେଖ ରହିଛି। ଏହାସହ ଶିକ୍ଷକ, ଅଙ୍ଗନବାଡ଼ି ଓ ଆଶାଦିଦିଙ୍କ ଦାବିକୁ ସରକାର ମାନିନେବା ପାଇଁ ଦାବି ରହିଛି। ଦୀର୍ଘଦିନ ପରେ ମାଓ ପୋଷ୍ଟର ଦେଖି ସ୍ଥାନୀୟ ଅଞ୍ଚଳରେ ପୁଣି ଭୟର ବାତାବରଣ ସୃଷ୍ଟି ହୋଇଛି।
ଆଜି ସକାଳୁ ଖବର ପାଇ ନିକଟରେ କ୍ୟାମ୍ପ କରିଥିବା ସିଆରପିଏଫ ଯବାନ ପହଞ୍ଚି ରାସ୍ତାରୁ ଗଛକୁ ହଟାଇଛନ୍ତି। ସେ ପର୍ଯ୍ୟନ୍ତ ବେଲଘରରୁ ଫୁଲବାଣୀ, କୋଟଗଡ଼ ଓ ବାଲିଗୁଡ଼ା ଭଳି ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯାତାୟାତ କରୁଥିବା ଗାଡ଼ିମୋଟର ଓ ବସ ଅଟକି ରହିଥିଲା। ସୂଚନାଯୋଗ୍ୟ, ୨୦୨୧ ଜାନୁଆରୀ ୩୦ରେ ବେଲଘର ଥାନା ଭଣ୍ଡରଙ୍ଗି ଓ ଗୋଚ୍ଛାଗୁଡ଼ା ଗ୍ରାମରେ ମାଓ ଇନଫର୍ମର ସନ୍ଦେହରେ ଘରୁ ଡାକିନେଇ ଦୁଇଜଣଙ୍କୁ ହତ୍ୟା କରିଥିଲେ ମାଓବାଦୀ। ଏହାସହ ଗ୍ରାମରେ ପୋଷ୍ଟର ଓ ବ୍ୟାନର ମଧ୍ୟ ଲଗାଇଥିଲେ। ଏହାପରେ ପୁଲିସ ପ୍ରଶାସନ ପକ୍ଷରୁ ଏଠାରେ ସିଆର୍ପିଏଫ୍ର କ୍ୟାମ୍ପ ପ୍ରତିଷ୍ଠା କରାଯିବା ସହ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖା ଯାଇଥିଲା। ଏହାପରେ ବେଲଘର ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ସେତେଟା ଦେଖିବାକୁ ମିଳିନଥିବା ବେଳେ ଆଜି ପୁଣି ପୁଲିସ ଉପସ୍ଥିତିକୁ ଭୟ ନକରି ମାଓବାଦୀ ନିଜ ଉପସ୍ଥିତ ଜାହିର କରିଥିବା ଦେଖିବାକୁ ମିଳିଛି।