ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡାରେ ମାଓବାଦୀ ପୋଷ୍ଟର 

ରାଉରକେଲା: ମାଓବାଦୀ ନେତା ପ୍ରଶାନ୍ତ ବୋଷ ଓରଫ କିସନଜୀଙ୍କ ଗିରଫ ପରେ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ବେଶ୍‌ ସକ୍ରିୟ ହୋଇଛି ମାଓବାଦୀ ସଙ୍ଗଠନ। ସୀମାନ୍ତରେ ନିଜର ଉପସ୍ଥିତି ଜାହିର କରିବାକୁ ଗୋଟିଏ ପରେ ଗୋଟିଏ ହିଂସାକାଣ୍ଡ ଘଟାଇ ଚାଲିଛି। ଆଗାମି ଡିସେମ୍ବର ୨ରୁ ୮ ତାରିଖ ପର୍ଯ୍ୟନ୍ତ ପିଏଲ୍‌ଜିଏ ସପ୍ତାହ ପାଳନ କରିବାକୁ ଆହ୍ବାନ ଦେଇଛି। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ କିରିବୁର ଥାନା ଅଞ୍ଚଳରେ ବହୁ ସଂଖ୍ୟାରେ ପୋଷ୍ଟର ଲଗାଇ ନିଜର ଉପସ୍ଥିତି ଜାହିର କରିଛନ୍ତି। ଫଳରେ ବେଶ୍‌ କିଛି ଦିନ ଧରି ଶାନ୍ତ ରହିଥିବା ସରଣ୍ଡା ଜଙ୍ଗଲ ପୁଣି ଅଶାନ୍ତ ହୋଇ ପଡ଼ିଛି।

ଗତକାଲି ବିଳମ୍ବିତ ରାତିରେ ଛୋଟାନାଗରା ସାପ୍ତାହିକ ହାଟରୁ ଝାରବେଡ଼ା ପର୍ଯ୍ୟନ୍ତ ମାଓବାଦୀ ପୋଷ୍ଟର ମାରିଛନ୍ତି। ଆଗାମୀ ପିଏଲ୍‌ଜିଏ ସପ୍ତାହ ଦୋକାନ ବଜାର ଓ ଅନ୍ୟାନ୍ୟ ଅନୁଷ୍ଠାନ ବନ୍ଦ ରଖିବାକୁ ପୋଷ୍ଠରରେ ଧମକ ଦିଆଯାଇଛି। ଆଜି ‌ସକାଳୁ ସ୍ଥାନୀୟ ପୁଲିସ ମାଓ ପୋଷ୍ଟରଗୁଡ଼ିକ ଜବତ କରି ତଲାସି ଅଭିଯାନକୁ ଜୋରଦାର କରିଛି। ମାଓବାଦୀଙ୍କ ଗତିବିଧିକୁ ଦୃଷ୍ଟିରେ ରଖି ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଉଭୟ ଓଡ଼ିଶା ଓ ଝାଡ଼ଖଣ୍ଡ ପୁଲିସ ପକ୍ଷରୁ କୁମ୍ବିଂ ଅପରେସନ୍‌କୁ ଜୋରଦାର କରାଯାଇଛି।

ସମ୍ବନ୍ଧିତ ଖବର