ମାଓବାଦୀଙ୍କ ଭୂସ୍ୱର୍ଗ ପାଲଟିଛି କଳାହାଣ୍ଡି-କନ୍ଧମାଳ ସୀମାନ୍ତ ଅଂଚଳ, ୪ବର୍ଷ ହେଲା ପୁଲିସକୁ ଦେଉଛନ୍ତି ଖୋଲା ଚ୍ୟାଲେଞ୍ଜ

ଦୁଇମାସରେ ନିହତ ହେଲେଣି ୧୨ ମାଓବାଦୀ

ଭବାନୀପାଟଣା: କଳାହାଣ୍ଡି ଓ କନ୍ଧମାଳ ସୀମାନ୍ତରେ ଗତ ୯ ତାରିଖରେ ହେଇଥିବା ମାଓବାଦୀ ଓ ପୁଲିସର ଗୁଳିବିନିମୟ ସିର୍କି ନିକଟରେ ଥିବା ଅଠାଲ ଡ଼ଙ୍ଗରରେ ହେଇଥିଲା ।  ଗତ ଦୁଇ ମାସ ମଧ୍ୟରେ କଳାହାଣ୍ଡି କନ୍ଧମାଳ ଅଂଚଳରେ ୧୨ଜଣ ମାଓବାଦୀ ନିହତ ହେବା ପରେ ମାଓ କ୍ୟାମ୍ପ ଏକ ପ୍ରକାର ଦୁର୍ବଳ ହେଇପଡ଼ିଥିବା ଜଣାଯାଇଛି ।  କଳାହାଣ୍ଡି-କନ୍ଧମାଳ ସୀମାନ୍ତରେ ଯାହାକି ଏବେ ମାଓବାଦୀଙ୍କ ଭୂସ୍ୱର୍ଗ ପାଲଟିଛି । ସେହି ସ୍ଥାନରେ ମାଓବାଦୀଙ୍କ କ୍ୟାମ୍ପଥିବା ଖବର ପାଇ କଳାହାଣ୍ଡି ପୁଲିସର ଉଦ୍ୟମକ୍ରମେ ଏସଓଜି ଏବଂ  ଡ଼ିଭିଏଫ୍ ଯାଇ ଗତ ବୁଧବାର ଦିନ ପ୍ରାୟ ଦିନ ୧୧ଟାବେଳେ ମାଓ ଏବଂ ପୁଲିସ ମଧ୍ୟରେ ଗୁଳିବିନିମୟ ଫଳରେ ୪ ଜଣ ମହିଳା ମାଓବାଦୀ ସମେତ ୫ ଜଣ ମାଓବାଦୀ ପ୍ରାଣ ହରେଇଥିବାବେଳେ ଦୁଇ ଜବାନ ସହୀଦ ହେଇଥିଲେ ।
କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ବାରବନ୍ଧା ପଂଚାୟତ ଯାହାକି ମଦନପୁର ରାମପୁରଠାରୁ ୧୬ କିଲୋମିଟର ଦୂରରେ ରହିଥିବାବେଳେ ବାରବନ୍ଧା ପଂଚାୟତଠାରୁ ଏହି ପଂଚାୟତ ତଥା କଳାହାଣ୍ଡି ଜିଲ୍ଲାର ସୀମାନ୍ତ ଗାଁ ଲୁଣ୍ଡ୍ରୁବାରୁ ରହିଛି ୭ କିଲୋମିଟର ଦୂରରେ । ସେଠାରୁ ୨ କିଲୋମିଟର ପରେ ପଡ଼େ କନ୍ଧମାଳ ଜିଲ୍ଲାର ପ୍ରଥମ ଗାଁ ସିନ୍ଦେରପଡ଼ା । ସିନ୍ଦେରପଡ଼ାରୁ ଏକ କିଲୋମିଟର ପଡ଼େ ଚାଉଳଧୁଆ ନଦୀ ପାରିହେଇ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକର ଭଣ୍ଡରଙ୍ଗୀ ପଂଚାୟତ ଯିବାକୁ ପଡିଥାଏ । ଏହିଠାରୁ ଜଙ୍ଗଲୀ ରାସ୍ତାରେ ତିନି କିଲୋମିଟର ପରେ ରହିଛି ସିର୍କି ଗାଁ ଏବଂ ଏହି ଗାଁକୁ ଲାଗି ରହିଛି ଅଠାଲ ଡ଼ଙ୍ଗର । ଅଠାଲ ଡ଼ଙ୍ଗର ଆରପାଖରେ ଲାଗି ରହିଛି ଡ଼ିଙ୍ଗୁଲ ଡ଼ଙ୍ଗର । ଅଠାଲ ଡ଼ଙ୍ଗର ମଝିରେ ମାଓ କ୍ୟାମ୍ପ ରହିଥିଲା ଏବଂ ପୁଲିସ ପାଖରେ ଗୁଇନ୍ଦା ବିଭାଗର ସୂଚନା ପରେ ସର୍ଚ୍ଚ ଅପରେସନ ସହିତ ମାଓବାଦୀ ଓ ପୁଲିସ ମଧ୍ୟରେ ଗୁଳି ବିନିମୟ ହେଇଥିଲା । କିଛି କ୍ଷଣ ଲାଗି ରଣକ୍ଷେତ୍ର ପାଲଟିଥିଲା ଅଠାଲ ଡଙ୍ଗର ।  ଆଜି କିନ୍ତୁ ସେହି ଡ଼ଙ୍ଗର ନୀରବ ପ୍ରାୟ । ସିକ୍ରୀର କାଠୁଲପଡ଼ାରେ ସମୁଦାୟ ୧୮ଗୋଟି ଆଦିବାସୀ ପରିବାର ରହୁଥିବାବେଳେ ସଂଜବେଳେ ଗାଁ ଦାଣ୍ଡ ଶୂନଶାନ ହେଇଯାଉଛି ବୋଲି କହିଥିଲେ । ଏକ ଅଜଣା ଆତଙ୍କ ଦେଖାଯାଉଥିଲା ଅଂଚଳବାସୀଙ୍କ ମୁହଁରେ । 
ଏଠାରେ ଉଲ୍ଲେଖଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନାର ସୀମାନ୍ତ ଅଂଚଳରେ ଏବେ ମାଓ ସଂଗଠନ ସକ୍ରିୟ ହୋଇଛି । ସବୁବେଳେ ମାଓବାଦୀଙ୍କ ବିଭିନ୍ନ କାର୍ଯ୍ୟକଳାପକୁ ନେଇ ଆତଙ୍କରେ ଜନସାଧାରଣ । ଏବେ ମାଓବାଦୀଙ୍କ ପାଇଁ ଏଇ ଅଂଚଳ ପାଲଟିଛି ଭୂସ୍ୱର୍ଗ । ଏହି ବ୍ଲକର ଉର୍ଲାଦାନୀ, ବାରବନ୍ଧା, ଡ଼ୁଡ଼ୁକାରଂଜା, ଲୁବେନଗଡ଼, ମୋହନଗିରୀ, ସିଂପୁର,ମାଣିକେରା ଇତ୍ୟାଦି ଅଂଚଳରେ ଆଜକୁ ପ୍ରାୟ ପାଂଚ ବର୍ଷରୁ ଉର୍ଦ୍ଧ୍ୱ ହେଲା ମାଓବାଦୀମାନେ ନିଜର ଉପସ୍ଥିତି ବଜାୟ ରଖିଛନ୍ତି । ଏହି ସବୁ ଅଂଚଳ କନ୍ଧମାଳ, ବଉଦ, ରାୟଗଡ଼ାର ଜିଲ୍ଲାର ସୀମାନ୍ତ ଅଂଚଳ ହେଉଥିବାରୁ ତଥା ଘଂଚ ଜଙ୍ଗଲ ରହିଥିବାରୁ ନିଜ ପାଇଁ ଏକ ସୁରକ୍ଷାର ବଳୟ ସୃଷ୍ଟି କରିବାରେ ଏବଂ ପୁୁଲିସକୁ ଚକମା ଦେଖାଇବାରେ ସଫଳ ହେଉଥିବା ଯୋଗୁଁ ମାଓବାଦୀମାନେ ରହିଆସୁଛନ୍ତି ଏହି ସବୁ ଅଂଚଳରେ ।
୨୦୧୬ ମସିହା ଅକ୍ଟୋବର ୧୫ ତାରିଖ ବିଳମ୍ବିତ ରାତିରେ  ମ.ରାମପୁରଥାନା ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ବାରବନ୍ଧା ପଂଚାୟତର ପିପାଡ଼ି ଗ୍ରାମରେ ଥିବା ଦେଶୀ ମଦଭାଟିକୁ ପୋଡ଼ି ଦେବାଥିଲା ମାଓବାଦୀଙ୍କ ପ୍ରଥମ ନାର କୀୟକାଣ୍ଡ।  ଘଟଣା ଦିନ ପ୍ରାୟ ୪୦ରୁ ୫୦ଜଣ ସଶସ୍ତ୍ର ମାଓବାଦୀ ଉକ୍ତ ଦେଶୀ ଭାଟିରେ ପହଂଚି ପ୍ରଥମେ ମ୍ୟାନେଜରଙ୍କୁ କବାଟ ଖୋଲିବାକୁ ଡ଼ାକିଥିଲେ କିନ୍ତୁ କବାଟ ନଖୋଲିବାରୁ ସେମାନେ ପଛପଟୁ ପଶି କର୍ମଚାରୀମାନଙ୍କୁ ସେଠାରୁ ଘଉଡ଼ାଇବା ସହ ସଂପୂର୍ଣ୍ଣ ଭାବରେ ଭାଟିଟିକୁ ଉଡ଼ାଇଦେଇ ସେଠାରେ କିଛି ମାଓ ପୋଷ୍ଟର ଛାଡ଼ିଯାଇଥିଲେ । ଏହି ପ୍ରଥମ ଘଟଣା ପରେ ମ.ରାମପୁର ଅଂଚଳରେ ମାଓବାଦୀଙ୍କ ଉପସ୍ଥିତିକ ପୁଲିସ ପ୍ରଶାସନ ପାଇଁ ଗୋଟେ ବଡ଼ ଚ୍ୟାଲେଂଜ ହୋୋଇପଡ଼ିଥିଲା । ଗତ ୨୦୧୯ ମସିହା ମଇ ମାସ ୧୫ ତାରିଖ ଦିନ ୪୦ରୁ ଉର୍ଦ୍ଧ୍ୱ ସଶସ୍ତ୍ର ମାଓବାଦୀ ଉର୍ଲାଦାନୀ ନୂଆମୁଣ୍ଡାରେ ଥିବା ଠିକା କମ୍ପାନୀର କ୍ୟାମ୍ପରେ ବ୍ୟାପକ ପୋଡ଼ାଜଳା କରିବା ପରେ ଅଂଚଳବାସୀଙ୍କ ମନରେ ଭୟ ପଶିଛି ।
ତତକାଳୀନ କଳାହାଣ୍ଡି ଏସପି ମଧ୍ୟ ଗତ ୨୦୧୮ ମସିହାରେ   ଉର୍ଲାଦାନୀର ତେଲେନ ସଂରକ୍ଷିତ ଜଙ୍ଗଲରେ ମାଓବାଦୀଙ୍କ ସହ ଗୁଳି ବିନିମୟ କରି କିଛି କ୍ୟାମ୍ପକୁ ଧ୍ୱଂସ କରି ବହୁପରିମାଣରେ ବିସ୍ଫୋରକ ସହ ବିଭିନ୍ନ ସାମଗ୍ରୀ ଜବତ କରିଥିଲେ ।  ଏହି ଘଟଣାରେ କେହି ମୃତାହତ ହେଇନଥିଲେ ଏବଂ ମାଓବାଦୀ ନେତା ଦମ୍ପତ୍ତି  ଜମ୍ମାନ୍ନା ଓ ଜୟା  ଯାହାଙ୍କ ମୁଣ୍ଡ ଜାମିନରେ ଥିଲା ସେ ଏହି ଅଂଚଳରେ ମାଓ ସଂଗଠନକୁ ସୁଦୃଢ କରିବାକୁ ଲାଗିପଡ଼ିଥିଲେ । କନ୍ଧମାଳ ଜିଲ୍ଲା  ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ସିର୍ଲା ପଂଚାୟତ  ସଫେଲି ଜଙ୍ଗଲଠାରେ ଗତ ଜୁଲାଇ ୨୪ ତାରିଖରେ ମାଓବାଦୀ ପୁଲିସ ମୁହାଁମୁହିଁ ହେବା ଫଳରେ ସମୁଦାୟ ୫ ଜଣ ନକ୍ସଳ ନିହତ ହେବା ସହିତ ଅନ୍ୟ ଦୁଇଟି କୁମ୍ବିଂରେ ଦୁଇଜଣ ମାଓବାଦୀ  ଏବଂ  ଗତ ବୁଧବାର ଦିନ  ପୁଣିଥରେ ୫ ଜଣ ମାଓବାଦୀଙ୍କୁ ପୁଲିସ ମାରିବାରେ ସଫଳ ହେବା ସହିତ ମାଓ କ୍ୟାମ୍ପ ଧ୍ୱଂସ କରି ବିଭିନ୍ନ ମାଓ ସାମଗ୍ରୀ ଜବତ ପରେ ଏବେ ମାଓ ସଂଗଠନକୁ ଏକ ବଡ଼ ଝଟକା ଲାଗିଥିବାବେଳେ ପୁଲିସକୁ ମିଳିଛି ବଡ଼ ସଫଳତା । ଗତ ଦୁଇ ମାସ  ମଧ୍ୟରେ ସମୁଦାୟ ୧୨(୭ମହିଳା ମାଓବାଦୀ ଏବଂ ୫ ପୁରଷ ମାଓବାଦୀ)ଜଣ ମାଓବାଦୀଙ୍କ ନିହତ ହେଇଥିବାବେଳେ ମାଓ କ୍ୟାମ୍ପରେ ଛନକା ପଶିଥିବ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି ।
ସମ୍ବନ୍ଧିତ ଖବର