ଫୁଲବାଣୀ: କନ୍ଧମାଳ ଜିଲ୍ଲା ରାଇକିଆ ଥାନା ବାଇବାଲି ଜଙ୍ଗଲରେ ଗତ ୩୦ ଓ ୩୧ ତାରିଖ ଦୁଇ ଦିନ ଧରି ଗୁଳି ବିନିମୟ ପରେ ପଛକୁ ହଟିଛନ୍ତି ମାଓବାଦୀ। ସମୟରେ ଅପରେସନ କରି ଏକ ଦେଶୀ ବନ୍ଧୁକ,ଗୋଟେ ରାଉଣ୍ଟ ଜୀବନ୍ତ ଗୁଳି,ବ୍ୟାଟେରୀ ଓ ପୁସ୍ତକ ଯବାନମାନେ ଠାବ କରିଛନ୍ତି। ଓଡିଶା ରାଜ୍ୟ କମିଟି ସଂଗଠନର ୨୦ରୁ ୨୫ ଜଣ ମାଓବାଦୀ ଜଙ୍ଗଲରେ ଥିଲେ। ବଡଧରଣର ଅଘଟଣ ଘଟାଇବାକୁ ଯୋଜନା କରୁଥିଲେ। କୁମ୍ବି ଅପରେସନ ସମୟରେ ମାଓବାଦୀମାନେ ପ୍ରଥମେ ଯବାନଙ୍କ ଉପରକୁ ଗୁଳି ମାଡ କରିଥିଲେ। ପାଲଟା ଜବାବରେ ମାଓବାଦୀ ସେ ଜାଗା ଛାଡି ପଳାଇ ଯାଇଥିଲେ ବୋଲି ଏସବି ବିନୀତ ଅଗ୍ରୱାଲ କହିଛନ୍ତି। ସଂପୃକ୍ତ ଜଙ୍ଗଲରେ ମାଓବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଥିବା ବେଳେ କୁମ୍ବି ଅପରେସନ ଚାଲିଛି ବୋଲି ସେ ଗଣମାଧ୍ୟକୁ କହିଛନ୍ତି।
ଆଇପିଏସ ପ୍ରୋବେସନର ନିତେଶ ୱାଧିଆନ୍ ଏବଂ ରିଜର୍ଭ ଇନସପେକ୍ଟର ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଗତ ଜୁଲାଇ ମାସରେ ପୁଲିସ ଗୁଳିରେ ୭ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ସେହିଭଳି ଗତ ସେପ୍ଟେମ୍ବର ୯ ତାରିଖରେ କନ୍ଧମାଳ ଓ କଳାହାଣ୍ଡି ସୀମାନ୍ତ ଜଙ୍ଗଲରେ ଯବାନଙ୍କ ଗୁଳିରେ ୫ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି। ୩ ମାସ ମଧ୍ୟରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବାରୁ ରକ୍ତମୁଖା ହୋଇ ପଡିଛନ୍ତି ମାଓବାଦୀ। ହେଲେ କନ୍ଧମାଳରେ ଅପାରେସନରେ ଥିବା ଯବାନଙ୍କୁ ଟକର ଦେବାକୁ ସାହସ କରି ପାରୁ ନଥିବାରୁ ପୋଷ୍ଟର ଓ ବ୍ୟାନର ମାରି ନିଜର ଉପସ୍ଥିତି ଜାହିର କରିବାକୁ ସେମାନେ ଉଦ୍ୟମ ଚଳାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/plbnov2-mao-gun-seized.jpg)