ସୀମାନ୍ତରେ ପୁଣି ନକ୍ସଲ ହିଂସା: ୩ଟି ଗାଡି ପୋଡିଦେଲେ ନକ୍ସଲ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ନକ୍ସଲ ହିଂସା ଥମିବାର ନାମ ନେଉ ନାହିଁ। ଗତ ତିନିଦିନ ହେଲା ପୁଲିସ ଏନକାଉଣ୍ଟରରେ ୬ ଜଣ ନକ୍ସଲ ମୃତ୍ୟୁବରଣ କରିଥିବା ବେଳେ ନକ୍ସଲ ଜଣେ ଏହି ଘଟଣା ପରେ ହିଂସାତ୍ମକ ହୋଇପଡିଛନ୍ତି। ଆଜି ବିଜାପୁର ଜିଲ୍ଲାରେ ନକ୍ସଲ ରାସ୍ତା କାମରେ ନିୟୋଜିତ ଥିବା ୩ଟି ଗାଡିକୁ ନିଆଁ ଲଗାଇ ପୋଡି ଦେଇଛନ୍ତି। ଆଜି ସକାଳେ ଚେରିକୋଣ୍ଟି ଗ୍ରାମରେ ସଶସ୍ତ୍ର ନକ୍ସଲ ପହଞ୍ଚିଥିଲେ। ଏହି ସମୟରେ ଜୋରସୋରରେ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ରାସ୍ତା କାମ ଚାଲୁଥିଲା। ରାସ୍ତା କାମରେ ନିୟୋଜିତ ଥିବା ସମସ୍ତ ଶ୍ରମିକ ଏବଂ କ୍ୟାମ୍ପର ଲୋକଙ୍କୁ ନକ୍ସଲ ବନ୍ଧକ ରଖିଥିଲେ।

ପରେ ରାସ୍ତା କାମରେ ନିୟୋଜିତ ଥିବା ପକଲିନ, ଜେସିବି ଏବଂ ମିସ୍କଚର ମେସିନକୁ ନିଆଁ ଲଗାଇ ପୋଡି ଦେଇଥିଲେ। ସମସ୍ତ ବନ୍ଧକଙ୍କୁ ଏହି କାମ ଛାଡି ଘରକୁ ଫେରିଯିବାକୁ ଧମକ ଦେଇଥିଲେ। ଯଦି ପୁଣି କାମ ଆରମ୍ଭ ହୁଏ ତେବେ ଏଥିପାଇଁ ତୁମେ ନିଜେ ଦାୟୀ ରହିବ ବୋଲି ଚେତାବନୀ ଦେଇ ଛାଡି ଦେଇଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଏସପି କମଳଲୋଚନ କଶ୍ୟପ ପ୍ରକାଶ କରିଛନ୍ତି। ଏହି ଅଞ୍ଚଳକୁ ଯବାନ ଘେରି କୁମ୍ବିଂ କରୁଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର