କରୋନା ପଜିଟିଭ ମାଓ ଦମ୍ପତି କଲେ ଆତ୍ମସମର୍ପଣ

ମାଲକାନଗିରି/କାଂକେର: ଛତିଶଗଡ କାଂକେର ଜିଲ୍ଲାରେ ମାଓ ଦମ୍ପତି କରୋନା ଭୟରେ ଆତ୍ମସମର୍ପଣ କରିଥିଲେ । ଗତକାଲି କାଂକେର ଜିଲ୍ଲା କୋୟାବାଡି ଥାନା ଅନ୍ତର୍ଗତ କାମତେଡା ବିଏସଏଫ କ୍ୟାମ୍ପରେ ମାଓନେତା ଅର୍ଜୁନ ତାତି ଓ ତାଙ୍କ ପତ୍ନୀ ଲକ୍ଷ୍ମୀ କରୋନାର ଲକ୍ଷଣ ଥିବା ଅନୁଭବ କରିବା ପରେ ଆତ୍ମସମର୍ପଣ କରିଥିଲେ ।

ଏହାପରେ  ସେମାନଙ୍କ କରୋନା ପରୀକ୍ଷା କରାଯାଇଥିଲା। ଏହି ପରୀକ୍ଷାରେ  ଅର୍ଜୁନ ତାତି ଓ  ତାଙ୍କ ପତ୍ନୀ ଲକ୍ଷ୍ମୀ କରୋନା ସଂକ୍ରମିତ ଥିବା ଜଣାପଡିଥିଲା । ଗତ କିଛି ଦିନ ଧରି ମାଓବାଦୀଙ୍କୁ କରୋନା ନେଇ ଚର୍ଚ୍ଚା ହେଉଥିଲା । ଅନେକ ମାଓବାଦୀ କରୋନା ଓ ଫୁଡ ପଏଜନ ଯୋଗୁଁ ପ୍ରାଣ ହରାଇବା ସହ ଅନେକ ଆକ୍ରାନ୍ତ ଥିବା ଜଣାପଡିବା ପରେ ଆତ୍ମସମର୍ପଣ କରି ଚିକିତ୍ସା ସୁବିଧା ପାଇବା ପାଇଁ ପୁଲିସ ଆହ୍ୱାନ ଦେଇଥିଲା ।

ଏହି କ୍ରମରେ ମାଓ ଦମ୍ପତି ଆତ୍ମସମର୍ପଣ କରିଥିଲେ । ଏମାନଙ୍କୁ କୋଭିଡ ହସ୍ପିଟାଲରେ ଚିକିତ୍ସା ପାଇଁ  ଭର୍ତି କରାଯାଇଛି । ସୁସ୍ଥ ହେବା ପରେ ଏମାନଙ୍କ ଆତ୍ମସମର୍ପଣ ପ୍ରକ୍ରିୟା କରାଯିବ ବୋଲି ବସ୍ତର ଆଇଜି ସୁନ୍ଦରରାଜ ପି. ସୁଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର