ସୀମାନ୍ତରେ ନକ୍ସଲ ପୁଲିସ ଗୁଳିବିନିମୟ, ଜଣେ ହାର୍ଡକୋର ମାଓବାଦୀ ମୃତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେଵାଡା ଜିଲ୍ଲାରେ ପୁଲିସ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ଜଣେ ହାର୍ଡକୋର ନକ୍ସଲର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବିଶେଷ ସୂତ୍ରରୁ ଖବର ପାଇ ଦନ୍ତେଵାଡା ଜିଲ୍ଲା ପୁଲିସ, ଏସଟିଏଫ, ସିଆରପିଏଫ ଯବାନ କଟେକଲ୍ୟାଣ ଥାନା ଅନ୍ତର୍ଗତ ଚିକପାଲ ଜଙ୍ଗଲରେ ଚଢାଉ କରିଥିଲେ। ନକ୍ସଲ ଏଠାରେ କ୍ୟାମ୍ପ କରି ରହିଥିବା ପୁଲିସ ଖବର ପାଇଥିଲା। ଯବାନଙ୍କୁ ଦେଖି ନକ୍ସଲ ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ଦୀର୍ଘ ସମୟ ଧରି ଗୁଳିବିନିମୟ ହେବା ପରେ ନକ୍ସଲ ଜଙ୍ଗଲରେ ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରେ ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଣେ ହାର୍ଡକୋର ନକ୍ସଲର ମୃତ ଦେହକୁ ପୁଲିସ ଉଦ୍ଧାର କରିଛି।

ମୃତ ନକ୍ସଲ ଜଣକ ସିନାଖତି ଏରିଆ କମିଟିର ମୁଖ୍ୟ ମୁୟା ମାଡକମ ବୋଲି ଜଣାପଡିଛି। ଲଗତାର ଗତ ତିନିଦିନ ହେଲା ଛତିଶଗଡର ଦନ୍ତେଵାଡା, ସୁକମା ଏବଂ ବିଜାପୁର ଜିଲ୍ଲାରେ ନକ୍ସଲ ସହ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ଜଣେ ମହିଳା ନକ୍ସଲ ସହ ୫ ଜଣ ନକ୍ସଲ ମୃତ୍ୟୁବରଣ କରି ସାରିଲେଣି। ଗତକାଲି ସୁକମାରେ ନକ୍ସଲ ସହ ପୁଲିସର ମୁହାଁମୁହିଁ ହେବା ପରେ ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ନକ୍ସଲର ମୃତ୍ୟୁ ହୋଇଥିଲା। ସୀମାନ୍ତରେ ନକ୍ସଲ ଅଘଟଣ ଘଟାଇ ଓଡିଶା ମୁହାଁ ହେଉଛନ୍ତି। ତେବେ ନୂଆବର୍ଷରେ ସୀମାନ୍ତରେ ଯବାନ ନକ୍ସଲଙ୍କୁ ଟାର୍ଗେଟ କରି ସଫଳ ହେବାରେ ଲାଗିଛନ୍ତି।

ସମ୍ବନ୍ଧିତ ଖବର