ମାଲକାନଗିରିରେ ଏନକାଉଣ୍ଟର, ଜଣେ ମାଓବାଦୀ ମୃତ

ମାଲକାନଗିରି: ଆଜି ଭୋର ଭୋରରୁ ମାଲକାନଗିରି ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳରେ ମାଓବାଦୀ- ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ଜଣେ ମାଓବାଦୀ ନିହତ ହୋଇଥିବା ବେଳେ ଏସଏଲଆର ବନ୍ଧୁୁକ, ଗୁଳି ସହିତ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ ଆଜି ସକାଳେ ଏସଓଜି- ଭିଡିଏଫ ଜବାନମାନେ ଚିତ୍ରକୋଣ୍ଡାର ବଡ଼ପଦା ପଞ୍ଚାୟତ ଅନ୍ତର୍ଗତ ଲୁଚାପାଣି ଜଙ୍ଗଲରେ କମ୍ବିଂ ଅପରେସନ କରୁଥିବା ବେଳେ ଜଙ୍ଗଲ ଭିତରେ ଏକ ମାଓ କ୍ୟାମ୍ପ ଚାଲିଥିିବା ଜାଣି ପାରିଥିଲେ। ତେଣୁ ମାଓ ଶିବିର ଆଡକୁ ସୁରକ୍ଷା କର୍ମୀମାନେ ଆଗେଉ ଥିବା ବେଳେ ମାଓବାଦୀମାନଙ୍କ ପକ୍ଷରୁ ସୁରକ୍ଷା କର୍ମୀମାନଙ୍କ ଉପରକୁ ପ୍ରଥମେ ଗୁଳି ମାଡ଼ କରାଯାଇଥିଲା। ପ୍ରତି ଜବାବରେ ସୁରକ୍ଷା କର୍ମୀମାନେ ଗୁଳି ଚଳାଇବାରୁ ଜଣେ ମାଓବାଦୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟି ଥିବା ଜଣା ପଡ଼ିଛି। ମାଓବାଦୀମାନେ କ୍ୟାମ୍ପ ଛାଡ଼ି ଦୂରକୁ ହଟି ଯାଇଥିଲେ ମଧ୍ୟ ଏବେ ବି ଲୁଚାପାଣି ଜଙ୍ଗଲ ମଧ୍ୟରେ ମାଓବାଦୀ- ପୁଲିସ ଗୁଳି ବିନିମୟ ଜାରି ରହିଛି। ଏହି ମାଓ କ୍ୟାମ୍ପରୁ ଗୋଟିଏ ଏସଏଲଆର ବନ୍ଧୁୁକ, ଗୁଳି, ମାଓବାଦୀମାନେ ବ୍ୟବହାର କରୁଥିବା ବହୁ ପରିମାଣର ସାମଗ୍ରୀ ଜବତ କରାଯାଇଛି।


ସୂଚନାଯୋଗ୍ୟ ଯେ ୨୦୧୬ ଅକ୍ଟୋବର ମାସରେ ମାଲକାନଗିରିର ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳରେ ପୁଲିସ- ମାଓବାଦୀ ଗୁଳିି ବିନିମୟରେ ୩୦ ଜଣ ମାଓବାଦୀ ପ୍ରାଣ ହରାଇଥିଲେ। ସେହିପରି ୨୦୧୬ ଡିସେମ୍ବର ମାସରେ ମଧ୍ୟ ଜଣେ ମାଓବାଦୀ ପୁଲିସ ଏନକାଉଣ୍ଟରରେ ପ୍ରାଣ ହରାଇଥିଲେ।
ତେବେ ଗତକାଲି ମାଲକାନଗିରି ସୀମାନ୍ତ ତେଲେଙ୍ଗାନା ଭଦ୍ରାଦି ଜିଲ୍ଲାରେ ପୁଲିସ ଏକନକାଉଣ୍ଟରରେ ୮ ଜଣ ନକ୍ସଲ ମୃତ୍ୟୁବରଣ କରିବା ପରେ ନକ୍ସଲ ମାନେ ସେଠାରୁ ଓଡ଼ିଶା ସୀମାନ୍ତ ଆଡକୁ ଖସି ଆସିଥିବେ ବୋଲ ଆଶଙ୍କା କରି ଆଜି ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳ ଅଞ୍ଚଳରେ କମ୍ବିଂ ଅପରେସନ ଆରମ୍ଭ ହୋଇଥିଲା। ମାତ୍ର କମ୍ବିଂ ବେଳେ ସେଠାରେ ଏକ ମାଓ ଶିବିର ଥିବା ଦେଖି ଏହାକୁ ସୁରକ୍ଷା କର୍ମୀମାନେ ଧ୍ୱଂସ କରି ଦେଇଛନ୍ତି।

ସମ୍ବନ୍ଧିତ ଖବର