କନ୍ଧମାଳରେ ଉପସ୍ଥିତି ଜାହିର କରୁଛନ୍ତି ମାଓବାଦୀ, ଗଛ ପକାଇ ରାସ୍ତା ଅବରୋଧ,ପୋଷ୍ଟରରେ ଚେତାବନୀ

ଫୁଲବାଣୀ/କୋଟଗଡ : କନ୍ଧମାଳର ମାଓ ପ୍ରଭାବିତ ଅଞ୍ଚଳରେ ପୁଲିସ ତାର କୁମ୍ବି ଅପରେସନ ଜାରି ରଖିଛି। ବିଭିନ୍ନ ସମୟରେ ମାଓ କ୍ୟାମ୍ପ ଠାବ କରାଯାଇଛି। ଆଉ ପୁଲିସ ଗୁଳିରେ ମାଓବାଦୀ ବି ମରୁଛନ୍ତି। ହେଲେ ପଛକୁ ନ ହଟି ଉପସ୍ଥିତି ଜାହିରି କରି ଚାଲିଛନ୍ତି ମାଓବାଦୀ । ଗତକାଲି ତୁମୁଡବନ୍ଧର କୁର୍ତ୍ତମଗଡରେ ପୋଷ୍ଟର ମାରି ଜିଲ୍ଲାରେ ହେବାକୁ ଯାଉଥିବା ସିଆରପିଏଫ କ୍ୟାମ୍ପକୁ ବିରୋଧ କରାଯାଇଥିଲା । ଆଜି ପୁଣି କୋଟଗଡ ବ୍ଳକରେ ପୋଷ୍ଟର ମାରିବା ସହ ଗଛ କାଟି ରାସ୍ତାକୁ ଅବରୋଧ କରିଛନ୍ତି ମାଓବାଦୀ । ଯାହା ଫଳରେ ଯାନବାହାନ ଚଳଚଳ ବନ୍ଦ ହୋଇ ଯାଇଛି ।

କେକେବିଏନ ମାଓ ସଂଗଠନ ପକ୍ଷରୁ ପୋଷ୍ଟର ମରାଯାଇ ଥିବା ଉଲ୍ଲେଖ ରହିଛି। ପୁଲିସ ଇନଫରମର ହୁଅ ନାହିଁ। ପୁଲିସର ଚାମଚାଗିରି କର ନାହିଁ। ନ ହେଲେ ପରିସ୍ଥିତି ଭୟା‌ବହ ହେବ ବୋଲି ପୋଷ୍ଟରରେ ସତର୍କ କରାଯାଇଛି। ମାଓବାଦୀଙ୍କ ଉପସ୍ଥିତି ଜାହିରରେ ପୁଲିସ ଆ‌ଦୌ ଭୟଭୀତ ନାହିଁ। ଉଚିତ ମୁକାବିଲା କରିବାକୁ ପୁଲିସ ସବୁ ସମୟରେ ପ୍ରସ୍ତୁତ ରହିଛି ବୋଲି ଏସପି ବିନୀତ ଅଗ୍ରୱାଲ କହିଛନ୍ତି। ପୂର୍ବଭଳି କୁମ୍ବ ଅପରେସନ ଚାଲିଛି। ମାଓବାଦୀଙ୍କ ଗତିବିଧି ଉପରେ କଡା ନଜର ରଖାଯାଇଛି ବୋଲି ସେ କହିଛନ୍ତି। ଗତ ୬ ମାସ ମଧ୍ୟରେ ପୁଲିସ ଗୁଳିରେ ୧୩ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଛି। ଯାହା ଫଳରେ ମାଓବାଦୀ ରକ୍ତମୁଖା ହୋଇ ପଡିଛନ୍ତି। ସାହସ ଜୁଟୁ ନଥିଲେ ବି ଦମ୍ ଦେଖାଇ ଉପସ୍ଥିତି ଜାହିର କରିବାକୁ ମାଓବାଦୀ ଉଦ୍ୟମ ଚଳାଇଛନ୍ତି। ଏ ଦିଗରେ ପୁଲିସ ଆହୁରି ଅଧିକ ସତର୍କ ଓ ସଜାଗ ହେବା ଜରୁରୀ ହୋଇ ପଡିଛି।

ସମ୍ବନ୍ଧିତ ଖବର