ପୁଲିସ୍‌କୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ ଖଞ୍ଜୁଥିବା ବେଳେ ହେଲା ବିସ୍ଫୋରଣ, ମାଓବାଦୀ ନିହତ

ମାଲକାନଗିରି:  ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଅଂଚଳରେ ମାଓବାଦୀ ଲ୍ୟାଣ୍ଡମାଇନ ଖଞ୍ଜୁଥିବା ବେଳେ ନିଜେ ଫସିଥିବା ଜଣାପଡିଛି। ପୁଲିସକୁ ଟାର୍ଗେଟ କରିବା ପାଇଁ ମାଓବାଦୀ ଲ୍ୟାଣ୍ଡମାଇନ ଖଞ୍ଜିବା ମହଙ୍ଗା ପଡିଲା। ଲ୍ୟାଣ୍ଡମାଇନ ବିସ୍ଫୋରଣରେ ନିଜେ ମାଓବାଦୀର ମୃତ୍ୟୁ ହୋଇଛି। ମୃତ ମାଓବାଦୀ ଜଣକ ହେଲା ସୁନୀଲ ପଦାମ। ସୁନୀଲ ହେଉଛି ଭେରମଗଡ ଏରିଆ କମିଟିର ଲ୍ୟାଣ୍ଡମାଇନ ଖଞ୍ଜିବା ବିଶେଷଜ୍ଞ।

ଛତିଶଗଡର ବିଭିନ୍ନ ସ୍ଥାନରେ ସୁନୀଲ ହିଁ ଲ୍ୟାଣ୍ଡମାଇନ ଖଞ୍ଜିଥାଏ। ବିଜାପୁର ଜିଲ୍ଲାର ବେଚାପାଲ ନିକଟରେ ରାସ୍ତା କାମ ଚାଲିଛି। ରାସ୍ତା କାମକୁ ବିରୋଧ କରିବା ସହ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ନକ୍ସଲ ସଂଗଠନ ପକ୍ଷରୁ ସୁନୀଲକୁ ସେଠାରେ ଲ୍ୟାଣ୍ଡମାଇନ ଖଞ୍ଜିବା ପାଇଁ ନିର୍ଦେଶ ଦିଆଯାଇଥିଲା।

ତେବେ ସୁନୀଲ ସେଠାକୁ ଆସି ରାସ୍ତାରେ ଲ୍ୟାଣ୍ଡମାଇନ ଖଞ୍ଜୁଥିବା ବେଳେ ହଠାତ୍ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା। ଘଟଣାସ୍ଥଳରେ ହିଁ ସୁନୀଲର ମୃତ୍ୟୁ ହୋଇଯାଇଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ସୁନୀଲ ଶବକୁ ଜବତ କରିବା ସହ ବ୍ୟବଛେଦ କରାଇଥିବା ଏସପି କମଳଲୋଚନ କଶ୍ୟପ ପ୍ରକାଶ କରିଛନ୍ତି। ତେବେ ଜଣେ ଆଗଧାଡିର ନକ୍ସଲକୁ ହରାଇଥିବା ସଂଗଠନ ତରଫରୁ କୁହାଯାଇଛି। ଅନ୍ୟ ପାଇଁ ଗାତ ଖୋଳୁ ଖୋଳୁ ନିଜେ ନକ୍ସଲ ଫସିଥିବାରୁ ଏହି ଅଂଚଳରେ ଏବଂ ଯବାନଙ୍କ ମହଲରେ ଖୁସି ଖେଳିଯାଇଛି।

ସମ୍ବନ୍ଧିତ ଖବର