ମାଓବାଦୀଙ୍କ ପିଏଲଜିଏ ସପ୍ତାହ: ସୁରକ୍ଷା ବ୍ୟବସ୍ଥା କଡାକଡ଼ି, ୮ ରୁଟରେ ବସ୍ ଚଳାଚଳ ବନ୍ଦ

ରାୟଗଡ଼ା: ଆରମ୍ଭ ହୋଇଛି ମାଓବାଦୀଙ୍କ ପିଏଲଜିଏ ସପ୍ତାହ। ୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପିଏଲଜିଏ ସପ୍ତାହ ପାଇଁ ପୁଲିସ୍ ଓ ସୁରକ୍ଷା ବାହିନୀ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି। ଆନ୍ଧ୍ର-ଓଡ଼ିଶା ସୀମା ସିଲ୍ ସହ କମ୍ବିଂ ଅପରେସନରେ ନିୟୋଜିତ ହୋଇଛନ୍ତି ଡିଭିଏଫ୍-ଏସଓଜି- ସିଆରପିଏଫ୍ ଯବାନ। ଜିଲ୍ଲାର କଲ୍ୟାଣସିଂହପୁର, ମୁନିଗୁଡ଼ା, ଚନ୍ଦ୍ରପୁର, ଗୁଡାରି ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ଉପରେ ପୁଲିସ ତୀକ୍ଷଣ୍ ନଜର ରଖିଛି। ପିଏଲଜିଏ ସପ୍ତାହ ପୂର୍ବରୁ ନିୟମଗିରି ପାର୍ସାଲି ଅଞ୍ଚଳରେ ମାଓବାଦୀ ପୋଷ୍ଟର ଲଗାଇ ଉପସ୍ଥିତିକୁ ଜାହିର କରିଛନ୍ତି। ସିପିଆଇ ମାଓ ସଂଗଠନର ବଂଶଧାରା- ଘୁମୁସର-ନାଗାବଳୀ (ବାଘୁନା) ଡିଭିଜନ ଗାଁ ଗାଁରେ ପିଏଲଜିଏ ସପ୍ତାହ ପାଳନ ସହ ମୁକ୍ତ ସମାଜ ଗଠନ ପାଇଁ ସ୍ଥାନୀୟ ଯୁବକ-ଯୁବତୀ ମାଓ ସଂଗଠନରେ ସାମିଲ୍ ହେବାକୁ ପୋଷ୍ଟରରେ ଉଲ୍ଲେଖ କରିଛି। କନ୍ଧମାଳ-କଳାହାଣ୍ଡି-ରାୟଗଡ଼ା ସୀମାନ୍ତରେ ମାଓ ସଂଗଠନ ସକ୍ରିୟ ଥିବାରୁ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ରାୟଗଡ଼ାରୁ ମାଓ ଅଞ୍ଚଳକୁ ଯାତାୟତ କରୁଥିବା ୬ଟି ରୁଟର ୮ଟି ବସ୍ ଚଳାଚଳକୁ ବନ୍ଦ ରଖିଛି ଓଡ଼ିଶା ରାଜ୍ୟ ସଡ଼କ ପରିବହନ ବିଭାଗ।

ରାୟଗଡ଼ା-ଚନ୍ଦ୍ରପୁର, ରାୟଗଡ଼ା-ନାରାୟଣପାଟଣା, ରାୟଗଡ଼ା-କାଶୀପୁର, ରାୟଗଡ଼ା-ବ୍ରହ୍ମପୁର, ରାୟଗଡ଼ା-ଥୁଆମୂଳରାମପୁର, ସାନ୍ଧୁବାଡ଼ି-ନାରାୟଣପାଟଣା, ରାୟଗଡ଼ା-ଡଙ୍ଗାପାଇ ଭଳି ୮ ରୁଟରେ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ବନ୍ଦ ରହିବ। ୯ ତାରିଖରୁ ବସ୍ ଚଳାଚଳ ସ୍ବାଭାବିକ ହେବ ବୋଲି ରାୟଗଡ଼ା ଡିଟିଏମ୍ ବିଜୟାନନ୍ଦ ବେହେରା ସୂଚନା ଦେଇଛନ୍ତି। କନ୍ଧମାଳ-କଳାହାଣ୍ଡି-କୋରାପୁଟକୁ ରାୟଗଡ଼ା ଜିଲ୍ଲା ସୀମା ଲାଗିଥିବାରୁ ଏହି ସବୁ ଜିଲ୍ଲା ସୀମାକୁ ପୁଲିସ୍ ସିଲ୍ କରିଛି। କନ୍ଧମାଳ-କଳାହାଣ୍ଡି ସୀମାନ୍ତରେ କମ୍ବିଂ ଓ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ନିୟମଗିରି ସମେତ ଚନ୍ଦ୍ରପୁର-ମୁନିଗୁଡ଼ାରୁ କନ୍ଧମାଳକୁ ସଂଯୋଗ ହୋଇଥିବା ଜଙ୍ଗଲରେ ମାଓବାଦୀଙ୍କ ଚଳପ୍ରଚଳ ଥିବାରୁ ଗୁଇନ୍ଦା ସୂଚନା ଆଧାରରେ କମ୍ବିଂ ଓ ସର୍ଚ୍ଚେ ଅପରେସନ୍ ଚାଲିଛି। ପିଏଲଜିଏ ସପ୍ତାହ ଦୃଷ୍ଟିରୁ ରାୟଗଡ଼ା ସହର ଭିତରକୁ ଆସୁଥିବା ବିଭିନ୍ନ ଯାନବାହନକୁ ଯାଞ୍ଚ ପରେ ପୁଲିସ ଛାଡ଼ୁଛି।

ସମ୍ବନ୍ଧିତ ଖବର