ତୁମୁଡ଼ିବନ୍ଧ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅଧୀନ କୂର୍ତ୍ତମଗଡ଼ ନିକଟ ଇମାନୁଏଲ୍ ନଗର ଛକରେ ଆଜି ମାଓ ପୋଷ୍ଟର୍ ଦେଖିବାକୁ ମିଳିଛି। କେକେବିଏନ ମାଓ ସଂଗଠନ ନାମରେ ଏକ ଗଛରେ ଏହି ପୋଷ୍ଟର୍ ମରାଯାଇଥିଲା। ସମାଜରେ ସତ୍ୟ, ନ୍ୟାୟ ଓ ସମାନତା ପ୍ରତିଷ୍ଠା ପାଇଁ ପିଏଲଜିଏ ସପ୍ତାହ ଅବସରରେ ପିଏଲଜିଏରେ ଯୋଗ ଦେବାକୁ ଯୁବକ ଯୁବତୀ ମାନଙ୍କୁ ଏଥିରେ ଆହ୍ବାନ୍ ଦିଆଯାଇଛି। ସେହିପରି କନ୍ଧମାଳ ଜିଲ୍ଲାର ୧୨୦ ସ୍କୁଲ ବନ୍ଦ ଓ ୧୭୦ ଗାଁ ଲୋକେ କାମ ଅନ୍ବେଷଣରେ ଭିଟାମାଟି ଛାଡ଼ିଥିବା ବେଳେ ଫିରିଙ୍ଗିଆ ବ୍ଲକ୍ କୋଟପଙ୍ଗା ଠାରେ ସିଆରପିଏଫ୍ କ୍ୟାମ୍ପ କଣ ପାଇଁ, ବୋଲି ପ୍ରଶ୍ନ କରାଯାଇଛି। ଆଉ ଜିଲ୍ଲାର ବିଭିନ୍ନ ସ୍ଥାନରେ ସିଆରପିଏଫ୍ କ୍ୟାମ୍ପକୁ ମଧ୍ୟ ବିରୋଧ କରାଯାଇଛି। ସେପଟେ ଗଞ୍ଜେଇ ଗଛ କଟା ଅଭିଯାନକୁ ମଧ୍ୟ ବିରୋଧ କରାଯାଇଛି।
ଓଡ଼ିଶାରେ କରୋନା ମହାମାରୀର ପ୍ରାଦୁର୍ଭାବ ସମୟରେ ବହୁ ଗରିବ ସେମାନଙ୍କ ରୋଜଗାର ହରାଇଛନ୍ତି। ସେମାନଙ୍କୁ ସରକାର କର୍ମ ସଂସ୍ଥାନ ଯୋଗାଇବା ପରିବର୍ତ୍ତେ ବିଭିନ୍ନ ଆଳ ଦେଖାଇ ହଇରାଣ କରୁଛନ୍ତି। ଏହାକୁ ବନ୍ଦ କରାଯାଉ ବୋଲି ସଂଗଠନ ପକ୍ଷରୁ ଦାବି କରାଯାଇଛି। ତେବେ ଏହି ପୋଷ୍ଟର୍ ପୁଲିସ ନଜରକୁ ଆସିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ଯାଇ ନଥିବାରୁ ଲୋକେ ଭୟଭୀତ ଅଛନ୍ତି।ସୂଚନାଯୋଗ୍ୟ ଯେ, କନ୍ଧମାଳରେ ମାଓପ୍ରବଣ ଇଲାକାରେ କମ୍ବିଂ ଅପରେସନ୍ ଜାରି ରହିଛି। ପୁଲିସ ଗୁଳିରେ ମାଓବାଦୀ ନିହତ ମଧ୍ୟ ହେଉଛନ୍ତି।
ତଥାପି ମାଓବାଦୀ ପଛକୁ ହଟୁନାହାନ୍ତି। କ୍ୟାମ୍ପ୍ କରି ବଡ଼ଧରଣର ହିଂସା ଘଟାଇବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି। ଗତ ୧୧ ତାରିଖରେ ଗୋଛାପଡ଼ା ଥାନା ପାଦରପଡା ଜଙ୍ଗଲରେ ପୁଲିସ ସହ ଗୁଳି ବିନିମୟରେ ଜଣେ ମହିଳା ମାଓବାଦୀ ନିହତ ହୋଇଥିବା ବେଳେ ୨୦ରୁ ୨୫ ଜଣ ଛତ୍ରଭଙ୍ଗ ଦେଇଥିଲେ। ସେହିପରି ଗତ ୧୭ ତାରିଖରେ ପୁଣି ପାଦରପଡା ନିକଟ ବିରେଣି ଜଙ୍ଗଲରେ ପୁଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ପୁଲିସକୁ ଉପରକୁ ମାଓବାଦୀ ଗୁଳି ସହ ଗ୍ରେନେଡ଼୍ ମାଡ କରିଥିଲେ। ପୁଲିସ ବି ପାଲଟା ଗୁଳି ଚାଳନା କରିଥିଲା। ଭୟରେ ମାଓବାଦୀ କ୍ୟାମ୍ପ୍ ଛାଡ଼ି ପଳାଇ ଯାଇଥିଲେ। ୮ରୁ ୧୦ ଜଣ ମାଓବାଦୀ କ୍ୟାମ୍ପରେ ଥିବା ବେଳେ କ୍ୟାଡ଼ର ମାଓନେତା ଦସୁର ଖସି ପଳାଇବାରେ ସକ୍ଷମ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/IMG-20201227-WA0024.jpg)