କୋରାପୁଟ: କୋରାପୁଟ ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ମହଲତ ସା’ ଏକ ମାମଲାର ବିଚାରକରି ଉପଯୁକ୍ତ ପ୍ରମାଣ ଅଭାବରୁ ଜଣେ ଅଭିଯୁକ୍ତଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି। ୧୦ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଏହି ରାୟ ଶୁଣାଇଛନ୍ତି ମାନ୍ୟବର ଅଦାଲତ। ଖଲାସ ହୋଇଥିବା ଅଭିଯୁକ୍ତ ହେଲେ ନାରାୟଣପାଟଣା ଥାନା ଅନ୍ତର୍ଗତ ଡୁମୁସିଲି ଗ୍ରାମର ମିନ ହିକ୍‌କା।

Advertisment

ସୂଚନା ଅନୁଯାୟୀ, ୨୦୧୧ ଅକ୍ଟୋବର ୨୯ ତାରିଖ ସକାଳେ ନାରାୟଣପାଟଣା ଥାନା ଅନ୍ତର୍ଗତ ଡୁମୁସିଲ ଗ୍ରାମ ନିକଟରେ ନକ୍ସଲ ନେତ୍ରୀ ସରିତାଙ୍କ ନେତୃତ୍ୱରେ ୫୦ରୁ ୬୦ ଜଣ ଚାଷୀ ମୂଲିଆ ଆଦିବାସୀ ସଂଘ ସଦସ୍ୟ ଏବଂ ନକ୍ସଲ ବିଭିନ୍ନ ଅସ୍ତ୍ରଶସ୍ତ୍ର ଧରି ମିଟିଙ୍ଗ କରୁଥିଲେ। ଖବରପାଇ ନାରାୟଣପାଟଣା ଥାନା ପୁଲିସ, ଏସ. ଓ. ଜି ଟିମ ଓ ଦୁଇ ପ୍ଲାଟୁନ ବିଏସଏଫ ଫୋର୍ସ ସହିତ ଘଟଣା ସ୍ଥଳରେ ଚଢ଼ାଉ କରିଥିଲେ। ପୁଲିସ ଫୋର୍ସ ପହଞ୍ଚିବା ଦେଖି ମିଟିଙ୍ଗ କରୁଥିବା ସଂଘ ସଦସ୍ୟ ଓ ନକ୍ସଲ ସଦସ୍ୟ ମାନେ ଜଙ୍ଗଲ ଭିତରକୁ ଦୌଡ଼ି ପଳାଇ ଥିବାବେଳେ ପୁଲିସ ଟିମ ଗୋଡ଼ାଇ ଜଣଙ୍କୁ ଗିରଫ କରିଥିଲା।

ଘଟଣାସ୍ଥଳରୁ ପୁଲିସ ଦୁଇଟି ଦେଶୀ ବନ୍ଧୁକ ଓ କିଟ ବ୍ୟାଗ ମଧ୍ୟ ଜବତ କରିଥିଲା। ଚଢ଼ାଉ ଟିମର ନେତୃତ୍ୱ ନେଇଥିବା ନାରାୟଣପାଟଣା ଥାନା ସବଇନ୍ସପେକ୍ଟର ଚନ୍ଦ୍ରସେଣ ପୂଜାରୀଙ୍କ ଏତଲା କ୍ରମେ ନାରାୟଣପାଟଣା ଥାନାରେ ମାମଲା ରୁଜ୍ଜୁ ହୋଇ ତଦନ୍ତ ଚାଲୁଥିଲା। ୨୦୧୪ ମସିହାରେ ମିନ ହିକ୍‌କା ଉପରୋକ୍ତ ମାମଲାରେ ଗିରଫ ହେବାପରେ ମାମଲାର କୋରାପୁଟ ଅତିରିକ୍ତ ଜିଲ୍ଲା ଦୌରା ଜର୍ଜଙ୍କ କୋର୍ଟରେ ମାମଲାର ବିଚାର ଚାଲିଥିଲା। ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ମାନ୍ୟବର ଅଦାଲତ ଅଭିଯୁକ୍ତଙ୍କୁ ନିର୍ଦୋଷରେ ଖଲାସ କରିଥିବା ଜଣାଯାଇଛି। ଖଲାସ ହୋଇଥିବା ଅଭିଯୁକ୍ତ ମିନ ହିକ୍‌କା ଅନ୍ୟ ମାମଲାରେ ବିଚାରାଧୀନ ବନ୍ଦୀ ଥିବାଯୋଗୁଁ ଜେଲରୁ ମୁକୁଳି ପାରିନଥିବା ଜଣାଯାଇଛି। ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ମନୋରଞ୍ଜନ ରାଉତରାୟ, କମଳ ଖରା ଓ ବିଘ୍ନରାଜ ବେହେରା ମାମଲାର ପରିଚାଳନା କରୁଥିବା ବେଳେ ସରକାରଙ୍କ ପକ୍ଷରୁ ଆଇନଜୀବୀ ଜିମୁତ ବାହାନ ସୁଣାଣୀ ପରିଚାଳନା କରିଥିଲେ।