ମାଲକାନଗିରି: ମାଲକାନଗିରି ପୁଲିସକୁ ମିଳିଛି ବଡ ସଫଳତା। ମାଲକାନଗିରି ପୁଲିସ ନିକଟରେ ଆତ୍ମସମର୍ପଣ କରିଛି ଛତିଶଗଡର ହିଡମା ସଂଗଠନର ପୁରସ୍କାର ଘୋଷିତ ମାଓବାଦୀ। ଆଜି ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଛତିଶଗଡର ହିଡମା ବାଟାଲିୟନର ପାର୍ଟି ମେମ୍ବର ମୁକେଶ କୋର୍ସେ ଅରଫ ସୁର୍ଯ୍ୟମ୍ ଦକ୍ଷିଣପଶ୍ଚିମଞ୍ଚାଳ ଡିଆଇଡି ଚରଣ ସିଂ ମୀନା ଏବଂ ଏସପି ନୀତିଶ ଵାଧଵାନୀଙ୍କ ସମ୍ମୁଖରେ ଆତ୍ମସର୍ପଣ କରିଛି। ମୁକେଶ ନାମରେ ସରକାର ୨ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ। ମୁକେଶର ଘର ସୁକମା ଜିଲ୍ଲା ଅନ୍ତର୍ଗତ ଜଗରଗୁଣ୍ଡା ଥାନା ଅଂଚଳର ସିରଗେର ଗ୍ରାମରେ।ଗତ ବର୍ଷ ସେ ପାର୍ଟିରେ ନିଯୁକ୍ତି ପାଇଥିଲା। ପିଏଲଜିଏରେ ସେ ମେମ୍ବର ରହିଥିଲା। ମୁକେଶର ବୟସ ୧୮ ବର୍ଷରୁ ମଧ୍ୟ କମ୍ ହେବ ବୋଲି କୁହାଯାଉଛି। ଚଳିତ ବର୍ଷ ମେ ମାସରେ ଝିରମ ଠାରେ ପୁଲିସ ଉପରେ ଆକ୍ରମଣରେ ସାମିଲ ଥିଲା। ଏହି ଆକ୍ରମଣରେ ୪ ଜଣ ପୁଲିସ ସହିଦ ହୋଇଥିଲେ।

Advertisment

୨୦୨୩ ନଭେମ୍ବର ମାସରେ ତ୍ରିପୁରାମ ଟାରେ ପୁଲିସ ଉପରେ ଗୁଳି ଚଳାଇବାରେ ସାମିଲ ଥିଲା।ସେହପରି ୨୦୨୩ ଡିସେମ୍ବରରେ ଦରମ-ଵାରମ ଠାରେ ମୁକେଶ ସହ ଅନ୍ୟ ୪୯ ନକ୍ସଲ ପୁଲିସ ଉପରେ ଗୁଳି ଚଳାଇଥିଲେ। ଏହି ଗୁଳିବିନିମୟରେ ୫ ଜଣ ଯବାନ ଏବଂ ୩ ଜଣ ନକ୍ସଲ ମୃତ୍ୟୁବରଣ କରିଥିଲେ। ମାଓ ସଂଗଠନରେ ଚାଲିଥିବା ଭେଦଭାବ ସହ ତେଲୁଗୁ କ୍ୟାଡରଙ୍କ ନିର୍ଯାତନା ବଢିବାରେ ଲାଗିଛି। ଓଡିଶା ସରକାରଙ୍କର ବିକାଶ ମୂଳକ କାର୍ଯ୍ୟରେ ପ୍ରଭାବିତ ହୋଇ ପୂର୍ବରୁ ବହୁ ନକ୍ସଲ ଆତ୍ମସମର୍ପଣ କରିଥିବା ବେଳେ ମୁକେଶ ମଧ୍ୟ ପ୍ରଭାବିତ ହୋଇଥିବା କହିଛି। ମାଲକାନଗିରି ପୁଲିସ ତରଫରୁ ଘନ ଘନ ଚଢାଉ ଯୋଗୁଁ ନକ୍ସଲ ସଂଗଠନ ଦୁର୍ବଳ ହେବାକୁ ଲାଗିଲାଣି। ସଂଗଠନରେ ଆଉ ପୂର୍ବ ଭଳି ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ କାର୍ଯ୍ୟ କରାଯାଉ ନାହିଁ।ନିରୀହ ଲୋକଙ୍କୁ ହତ୍ୟା କରିବା,ଛାତ୍ରଙ୍କୁ ହତ୍ୟା କରିବା ଭଳି ହିଂସାତ୍ମକ କାର୍ଯ୍ୟ କରାଯାଉଛି। ଯାହାଫଳରେ ଆଗକୁ ଆହୁରି ନକ୍ସଲ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଅପେକ୍ଷା କରି ରହିଥିବା ମୁକେଶ କହିଛି। ସରକାରଙ୍କ ତରଫରୁ ମୁକେଶକୁ ସମସ୍ତ ପ୍ରକାର ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି କୁହାଯାଇଛି।