ମାଲକାନଗିରି ପୁଲିସ ନିକଟରେ ଦୁର୍ଦ୍ଦାନ୍ତ ମାଓବାଦୀର ଆତ୍ମସମର୍ପଣ

ମାଲକାନଗିରି : ମାଲକାନଗିରି ପୁଲିସକୁ ମିଳିଛି ବଡ ସଫଳତା।ଜଣେ ହାର୍ଡକୋର ମାଓବାଦୀ ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛି।ଆଜି ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ନିତିଶ ଵାଧଵାନି ଏବଂ ବିଏସଏଫ ଡିଆଇଜି ଏସ.କେ.ସିହ୍ନାଙ୍କ ସମ୍ମୁଖରେ ବିଶାଖା ଡିଭିଜନର ପେଦାବାୟଲୁ କୋରକୋଣ୍ଡା ଏରିଆ କମାଣ୍ଡର ଭାନ୍ତଲା ରାଜୁ ଅରଫ ସାଗର ଆତ୍ମସର୍ପଣ କରିଛି।ସାଗର ନାମରେ ସରକାର ୧ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ।ସ୍ବାଭିମାନ ଅଂଚଳରେ ଲଗାତାର ପୁଲିସ ଏବଂ ବିଏସେଫର ଘନ ଘନ ଚଢାଉ ଏବଂ ରାଜ୍ୟ ସରକାରଙ୍କର ବିକାଶ ଧାରା ଜୋରସୋରରେ ଚାଲିଥିବାରୁ ମାଓବାଦୀ ଆଉ ସ୍ବାଭିମାନ ଅଂଚଳକୁ ନିଜର ସୁରକ୍ଷିତ ଅଡ୍ଡା ବୋଲି ଭାବୁନାହାନ୍ତି।ତେଣୁ ଏହି ଅଂଚଳ ଛାଡି ଏବେ ମାଓବାଦୀ ଅନ୍ୟତ୍ର ଚାଲିଗଲେଣି।ତେବେ କିଛି ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିବାକୁ ପ୍ରସ୍ତୁତ ହୋଇ ରହିଛନ୍ତି।ସାଗର ସେମାନଙ୍କ ମଧ୍ୟରୁ ଅନ୍ୟତମ । ମାଓ କମାଣ୍ଡର ସାଗରର ଘର ଆନ୍ଧ୍ରପ୍ରଦେଶର ବିଶାଖାପାଟଣମ୍ ଜିଲ୍ଲାର ନାନୁବାରି ଗ୍ରାମରେ।ଲଗାତାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏବଂ ପୁଲିସ ଡିଜିଙ୍କ ଆହ୍ବାନ କ୍ରମରେ ମାଓବାଦୀ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହେଲେଣି।

ଗତ ୨ ବର୍ଷରେ ୨୦ରୁ ଉର୍ଦ୍ଧ୍ବ ମାଓ କମାଣ୍ଡରମାନେ ଆତ୍ମସମର୍ପଣ କରିଥିବା ବେଳେ ଶହେରୁ ଉର୍ଦ୍ଧ୍ବ ମିଲିସିଆମାନେ ପୁଲିସ ନିକଟରେ ଆତ୍ମସମର୍ପଣ କରିସାରିଲେଣି । ମାଓ ସଂଗଠନରେ ଲାଗି ରହିଥିବା ଭେଦଭାବ,ନିର୍ଯାତନାକୁ ସହ୍ୟ କରି ନପାରି ମାଓବାଦୀମାନେ ଏବେ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଅପେକ୍ଷା କରି ରହିଛନ୍ତି।ଆଗକୁ ଆହୁରି ଅନେକ ମାଓବାଦୀ ଆତ୍ମସମର୍ପଣ କରିବେ ବୋଲି ପୁଲିସ କହିଛି।ସ୍ବାଭିମାନ ଅଂଚଳ ଏବଂ ବଣ୍ଡାଘାଟିର  ଯନ୍ତାପାଇ, ହନ୍ତାଳଗୁଡା, ଯଡାମ୍ବ,ଗୋରାସେତୁ, ଅଣ୍ଡ୍ରାହାଲ,ମୁଦୁଲିପଡା,ଘନବେଡା,ଯନ୍ତ୍ରୀ ଭଳି ଦୁର୍ଗମ ସ୍ଥାନରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଟା ହେବାପରେ ଘନ ଘନ ଚଢାଉ ଜାରି ରହିଛି।ଏଥିସହ ଏହି ଅଂଚଳରେ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଉଥିବାରୁ ଲୋକେ ଆଉ ମାଓବାଦୀକୁ ସମର୍ଥନ କରୁନାହାନ୍ତି।ଏଥିପାଇଁ ମାଓବାଦୀ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହେଲେଣି।ଆତ୍ମସମର୍ଣ କରିଥିବା ସାଗର ଆନ୍ଧ୍ର ଏବଂ ଓଡିଶାରେ ବହୁ ହିଂସା ଘଟାଇଥିବା ପୁଲିସ କହିଛି । ଆଗାମୀ ଦିନରେ ଯେଉଁ ମାଓବାଦୀମାନେ ଆତ୍ମସମର୍ପଣ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ସରକାରଙ୍କ ତରଫରୁ ସମସ୍ତ ବ୍ୟବସ୍ଥା କରାଯିବା ସହ ଆତ୍ମନିର୍ଭରଶୀଳ କରାଯିବ।ସରକାରଙ୍କର ଯାହା ଯାହା ସୁବିଧା ରହିଛି ସେସବୁ ମଧ୍ୟ ସେମାନେ ପାଇବେ ବୋଲି ଏସପି କହିଛନ୍ତି।

ସମ୍ବନ୍ଧିତ ଖବର