ନକ୍ସଲ ନେତା ଅନମୋଲର ଘନିଷ୍ଠ ସହଯୋଗୀ ପୋଗା ସୁରିନ୍‌ ରାଉରକେଲା ଏସ୍‌ପିଙ୍କ ନିକଟରେ କଲା ଆତ୍ମସମର୍ପଣ

ରାଉରକେଲା: ଦୁର୍ବଳ ହେଉଛି ମାଓଗଡ଼। ବିଭିନ୍ନ କାରଣରୁ ଜଣେ ପରେ ଜଣେ ସଦସ୍ୟ ନକ୍ସଲ ସଙ୍ଗଠନ ଛାଡି ସାମଜର ମୁଖ୍ୟସୋତ୍ରରେ ସାମିଲ ହେଉଛନ୍ତି। ରାଉରକେଲା ଏସ୍‌ପିି ଓ ସିଆରପିଏଫ୍‌ର କମାଣ୍ଡାଣ୍ଟଙ୍କ ନିକଟରେ ଝାଡ଼ଖଣ୍ଡ ଛୋଟନାଗରା ଥାନା ଅନ୍ତର୍ଗତ ସୋନାପି ଗାଁର ପୋଗା ସୁରିନ୍‌ ଓରଫ ସୁମନ୍‌ ଆତ୍ମସମର୍ପଣ କରିଛି। ସେ ୨୦୧୩-୧୪ରେ ନକ୍ସଲ ନେତା ମିଶିର ବେଶ୍ରାଙ୍କ ନେତୃତ୍ୱରେ ନକ୍ସଲ ସଙ୍ଗଠନରେ ସାମିଲ ହୋଇ ମିଳିତ କମାଣ୍ଡର ଭାବେ କାର୍ଯ୍ୟ କରୁଥିଲା।

ତେବେ କିଛିଦିନ ପରେ ନକ୍ସଲଙ୍କ କାର୍ଯ୍ୟକଳାପରେ ସହମତ ନହୋଇ ବାପା ମା’ଙ୍କ ସେବା ପାଇଁ ୨୦୧୫ରେ ନକ୍ସଲ ସଙ୍ଗଠନ ଛାଡିଥିଲା। ପରିବାର ପ୍ରତିପୋଷଣ ପାଇଁ ସେ ରାୟଗଡ ଓ ଟାଟାନଗର କାରଖାନାରେ କାମ କରୁଥିଲା। ତେବେ ପୁଣି ତିନି ବର୍ଷ ପରେ ଦୁଇଜଣ ନକ୍ସଲ ଦର୍ଶନ ଓରଫ ବିଞ୍ଜା ହାଁସଦା ଓ ରାଜନାଥଙ୍କ ଦ୍ଵାରା ପ୍ରଭାବିତ ହୋଇ ୨୦୧୮ରେ ସେ ନକ୍ସଲ ସଙ୍ଗଠନରେ ସାମିଲ ହୋଇଥିଲା। ନକ୍ସଲ ନେତା ଅନ୍‌ମୋଲଙ୍କ ନେତୃତ୍ୱରେ ସୁନ୍ଦରଗଡ-ଦେବଗଡ-ସମ୍ବଲପୁର ଡିଭିଜନରେ ସାମିଲ ହୋଇ ନକ୍ସଲ କାର୍ଯ୍ୟକଳାପରେ ସମ୍ପୃକ୍ତ ରହିଥିଲା।

ଗତ ୨୦୧୮ ଜୁନ୍‌ ୨୦ ତାରିଖରେ ଲହୁଣିପଡ଼ା ଥାନା ଅନ୍ତର୍ଗତ ବାଉଁରକେଲା ଗୁଳିକାଣ୍ଡ ଓ ଜୁଲାଇ ୧୫ରେ ଦେବଗଡ଼ର ରୁକୁଡ଼ା ନକ୍ସଲ ହିଂସାକାଣ୍ଡ ଆଦିରେ ସେ ସମ୍ପୃକ୍ତ ଥିଲା। ନିକଟରେ ଗୁରୁଣ୍ଡିଆରେ ଘଟିଥିବା ଅନେକ ନକ୍ସଲ ହିଂସାକାଣ୍ଡର ପୋଗା ସାମିଲ ଥିଲା। ଆଜି ରାଉରକେଲା ଏସ୍‌ପିଙ୍କ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍ପି କେ.ଶିବା ସୁବ୍ରମଣି ଏହି ସୂଚନା ଦେଇଛନ୍ତି। ପୋଗା ପରି ଅନ୍ୟ ନକ୍ସଲମାନେ ନକ୍ସଲ ସଂଗଠନ ଛାଡି ସମାଜର ମୁଖ୍ୟ ସୋତ୍ରରେ ହେବାକୁ ସେ ଆହ୍ଵାନ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସିଆରପିଏଫ୍‌ କମାଣ୍ଡାଣ୍ଟ ରାଜେଶ କୁମାର, ଆଇପିଏସ୍‌ ଅଧିକାରୀ ଏସ୍‌. ସୁଶ୍ରୀ ଓ ଅତିରିକ୍ତ ଏସ୍‌ପି ସୁରେଶ ଚନ୍ଦ୍ର ପାଠୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର