ମାଓ ଉପଦ୍ରବ: ମାଲକାନଗିରିରେ ୧୦ରୁ ଅଧିକ ଘରେ ନିଆଁ ଲଗାଇଲେ ମାଓବାଦୀ, ନିୟମଗିରିରେ ଗୁଳି ବିନିମୟ

ମାଲକାନଗିରି: ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାରେ ରବିବାର ମାଓ ଉପଦ୍ରବ ଦେଖିବାକୁ ମିଳିଛି। ମାଲକାନଗିରି ଜିଲ୍ଲାରେ ମାଓବାଦୀମାନେ ୧୦ରୁ ଅଧିକ ଘରେ ନିଆଁ ଲଗାଇ ଦେଇଛନ୍ତି। ସେହିପରି ମାଓବାଦୀମାନେ ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ସୀମାରେ ଥିବା ନିୟମଗିରିରେ ଡିଭିଏଫ୍‌ ଯବାନଙ୍କ ସହ ଗୁଳି ବିନିମୟ କରିଛନ୍ତି।

ମାଲକାନଗିରି ଏସ୍‌ପି ଋଷିକେଶ ଖିଲାରୀ କହିଛନ୍ତି, ଜିଲ୍ଲାର ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ପାପରମେଟ୍‌ଲା ଫାଣ୍ଡି ଅଞ୍ଚଳରେ ଥିବା ଜନ୍ତୁରାଇ ଗାଁକୁ ପ୍ରାୟ ୨୫ ଜଣ ସଶସ୍ତ୍ର ମାଓବାଦୀ ପ୍ରବେଶ କରିଥିଲେ। ସେମାନେ ଗ୍ରାମବାସୀଙ୍କୁ ପ୍ରବର୍ତ୍ତାଇ ଥିଲେ ଯେ, ସରକାରୀ ନିର୍ମାଣ କାମକୁ ବିରୋଧ କରନ୍ତୁ। ମାତ୍ର ମାଓବାଦୀଙ୍କ ପ୍ରସ୍ତାବକୁ ଗ୍ରାମବାସୀ ସ୍ୱୀକାର କରି ନଥିଲେ। ଓଲଟା ଗ୍ରାମବାସୀ କହିଥିଲେ, ସରକାର ବିକାଶମୂଳକ କାମ କରୁଛନ୍ତି। ମାଓବାଦୀମାନେ ବିକାଶ ନାଁରେ ବିନାଶ କରୁଛନ୍ତି। ଗ୍ରାମବାସୀଙ୍କୁ କିଛି ଦେଉ ନାହାନ୍ତି। ଗ୍ରାମବାସୀଙ୍କ ଏଭଳି କଥାରେ ମାଓବାଦୀମାନେ ଉତ୍ତେଜିତ ହୋଇଥିଲେ। ଫଳରେ ଜନ୍ତୁରାଇ ଗାଁରେ ବହୁ ସମୟ ଧରି ଗ୍ରାମବାସୀ ଓ ମାଓବାଦୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।

Image Source–ndtv

ମାଓବାଦୀମାନେ ଗ୍ରାମବାସୀଙ୍କୁ ଧମକ ଦେଇ ପଥରମାଡ଼ର ଶିକାର ହୋଇଥିଲେ। ପଥରମାଡ଼ରେ ଜଣେ ମାଓବାଦୀର ମୃତ୍ୟୁ ଘଟିଥିଲା। ଫଳରେ ପ୍ରତିଶୋଧପରାୟଣ ହୋଇ ୧୦ଟି ଘରେ ନିଆଁ ଲଗାଇ ଦେଇଥିଲେ। ଏହା ପରେ ମାଲକାନଗିରିରେ ପୁଲିସ ମାଓ ଦମନ ପାଇଁ ଅପରେସନ ଆରମ୍ଭ କରିଦେଇଛି।

ସେହିପରି ଅନ୍ୟ ଏକ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ସଦର ମହକୁମା ଠାରୁ ପ୍ରାୟ ୮୦ କିଲୋମିଟର ଦୂରରେ ଥିବା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ନିୟମଗିରି ପାହାଡ଼ ଲାଖପଦର ଓ ଗୁମ୍ମା ନିକଟରେ। ଏଠାରେ ଡିଭିଏଫ ଯବାନ ଓ ମାଓବାଦୀମାନେ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାବାହିନୀର ଯବାନମାନେ କମ୍ବିଂ ଅପରେସନ ସମୟରେ ମାଓବାଦୀଙ୍କୁ ଭେଟିଥିଲେ। ରିପୋର୍ଟ ଲେଖାଯିବା ବେଳକୁ ସୁରକ୍ଷାବାହିନୀଙ୍କ ସର୍ଚ୍ଚ ଅପରେସନ ଚାଲିଛି। ମାଓବାଦୀମାନେ ଛତ୍ରଭଙ୍ଗ ଦେଇଛନ୍ତି। ସୂଚନାଯୋଗ୍ୟ ଗତ ୨୨ ତାରିଖରେ ମାଓବାଦୀମାନେ ରାସ୍ତାକାମକୁ ବିରୋଧ କରି ପୋଡ଼ାଜଳା କରିଥିଲେ।

ସମ୍ବନ୍ଧିତ ଖବର