୬ ଗାଡିକୁ ନିଆଁ ଲଗାଇ ପୋଡିଦେଲେ ନକ୍ସଲ

ମାଲକାନଗିରି: କିଛି ଦିନର ନିରବତା ପରେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ନକ୍ସଲମାନଙ୍କର ହିଂସ୍ର ରୂପ ପୁଣି ଥରେ ଦେଖିବାକୁ ମିଳିଛି। ସୁକମା ଜିଲ୍ଲା ଅନ୍ତର୍ଗତ କୁକନାର ଥାନା ଅଂଚଳର ଧନିକୋତରା ଗାଁରେ ଚାଲିଥିବା ରାସ୍ତା କାମରେ ନିୟୋଜିତ ଥିବା ୬ଟି ଗାଡିକୁ ନିଆଁ ଲଗାଇ ପୋଡି ଦେଇଛନ୍ତି। ଏହି ଗ୍ରାମର ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ କାମ ଚାଲିଥିବା ବେଳେ ନକ୍ସଲମାନେ ଏହାକୁ ବିରୋଧ କରିଆସୁଥିଲେ। କିନ୍ତୁ ନକ୍ସଲ ବିରୋଧୀ ଗତିବିଧିକୁ ଖାତିର ନକରି ପ୍ରଶାସନ ନିଜର କାମ ଆଗକୁ ବଢ଼ାଇ ଚାଲିଥିଲା।

ତେବେ ନକ୍ସଲଙ୍କ ଧମକକୁ ନଡରି ଠିକାଦାର କାମକୁ ଜୋରସୋରରେ କରୁଥିଲେ। ତେବେ ଏନେଇ ନକ୍ସଲ ଜାଣିବା ପରେ ଗତକାଲି ରାତି ପ୍ରାୟ ସାଢେ ୧୧ଟା ବେଳେ ସଶସ୍ତ୍ର ନକ୍ସଲ କାମ ନିକଟରେ ପହଞ୍ଚି ପ୍ରଥମେ ଶ୍ରମିକମାନଙ୍କୁ ସେଠାରୁ ଚାଲିଯିବାକୁ କହିଥିଲେ। ପରେ ୨ଟି ଜେସିବି, ୩ଟି ଟିପ୍ପର ଏବଂ ପ୍ରୋକଲିନ ମେସିନ ସହ ୬ଟି ଗାଡିକୁ ନିଆଁ ଲଗାଇ ପୋଡି ଦେଇଥିଲେ।

ସୂଚନାଯୋଗ୍ୟ, ପୂର୍ବରୁ ହିଁ ନକ୍ସଲମାନେ ରାସ୍ତା କାମକୁ ବିରୋଧ କରି ଆସୁଛନ୍ତି। ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରି ଲୋକଙ୍କୁ ଭୟଭିତ କରାଇବା ନକ୍ସଲଙ୍କର କାମ ବୋଲି ପୁଲିସ କହିଛି। ଏହି ଘଟଣା ପରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଅଂଚଳରେ ପୁଲିସ କୁମ୍ବିଂକୁ ଜୋରଦାର କରିଦେଇଛି।

ସମ୍ବନ୍ଧିତ ଖବର