ସ୍ବାଭିମାନ ଅଞ୍ଚଳରେ ଗଞ୍ଜେଇ ଚାଷକୁ ପ୍ରତ୍ସାହନ ଦେଉଥିଲେ ନକ୍ସଲ

ସୁରକ୍ଷାକର୍ମୀଙ୍କ କବଜା ପରେ ନକ୍ସଲ ହରାଇଲେ କୋଟି କୋଟି ଟଙ୍କା

ମାଲକାନଗିରି: ଗଞ୍ଜେଇ ଉତ୍ପାଦନର ପେଣ୍ଠସ୍ଥଳୀ ଭାବେ ମାଲକାନଗିରି ଜିଲ୍ଲା ବେଶ ପରିଚିତ। ଏଠାରେ ଉତ୍ପାଦିକ ଗଞ୍ଜେଇ ବିଭିନ୍ନ ରାଜ୍ୟ ତଥା ବିଦେଶକୁ ମଧ୍ୟ ରପ୍ତାନୀ ହେଉଛି। ପୁଲିସ, ଅବକାରୀ ଏବଂ ବନ ବିଭାଗର ଘନ ଘନ ଚଢାଉ ସତ୍ବେ ଏହା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇପାରୁ ନାହିଁ। ଜିଲ୍ଲାର ସ୍ବାଭିମାନ ଅଞ୍ଚଳରେ ଏବେ ଖୋଲାମେଲାରେ ଗଞ୍ଜେଇ ଚାଷ କରାଯାଉଛି। ଯେଉଁଠାକୁ ପୁଲିସ କିମ୍ବା ଅନ୍ୟ ବିଭାଗ ସହଜରେ ପହଞ୍ଚିବା ଏକ ପ୍ରକାର ମୁସକିଲ କହିଲେ ଅତ୍ୟୁକ୍ତି ହେବନାହିଁ। ଅନ୍ୟଦିଗରେ ନକ୍ସଲଙ୍କ ପ୍ରତ୍ୟକ୍ଷ ସମର୍ଥ ଏଥିପ୍ରତି ରହିଛି। କାରଣ ପ୍ରତିବର୍ଷ କୋଟି କୋଟି ଟଙ୍କାର ଗଞ୍ଜେଇ ଚାଷ ଏଠାରେ ହେଉଥିବା ବେଳେ ନକ୍ସଲଙ୍କ ଭାଗ ମଧ୍ୟ ଏଥିରୁ କମ୍ ନୁହେଁ। କୋଟି କୋଟି ଟଙ୍କା ଗଞ୍ଜେଇ ପ୍ରତିବର୍ଷ ବାହାର ରାଜ୍ୟ ଏବଂ ବିଦେଶକୁ ରପ୍ତାନୀ କରାଯାଉଛି। ତେଣୁ ନକ୍ସଲ ଏହାକୁ ରୋଜଗାରର ଅନ୍ୟ ଏକ ମାଧ୍ୟମରେ ପରିଣତ କରିଛନ୍ତି। ଅଥିରୁ ମିଳୁଥିବା ଅର୍ଥରେ ସଙ୍ଗଠନ ପାଇଁ ଖର୍ଚ୍ଚ କରିବା ଏବଂ ଅସ୍ତ୍ରଶସ୍ତ୍ର କିଣିବାରେ ବ୍ୟବହାର କରୁଛନ୍ତି।

ପ୍ରତିବର୍ଷ ହଜାର ହଜାର ଏକର ସରକାରୀ ଜମିରେ ଚାଷ ହେଉଥିବା ଗଞ୍ଜେଇ ଗଛକୁ ନଷ୍ଟ କରାଯାଉଥିଲେ ମଧ୍ୟ ଏହା ଚାଷର ମାତ୍ର ୩୦ ରୁ ୪୦ ପ୍ରତିଶତ ବୋଲି କୁହାଯାଇଛି। ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳ‌େରେ ରହିଥିବା ୯ଟି ପଞ୍ଚାୟତରେ ଜିଲ୍ଲାର ସବୁଠାରୁ ଅଧିକା ଗଞ୍ଜେଇ ଚାଷ ହୋଇଥାଏ। ଏହି ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ନକ୍ସଲ ନିଜ କବଜାକୁ ନେଇଥିଲେ। ତେଣୁ ବେଧଡକ ଲୋକଙ୍କୁ ଏହି ଚାଷ କରିବାକୁ ନକ୍ସଲ ଉସୁକାଉଥିଲେ। ଏବେ ସେହି ପରିସ୍ଥିତି ଆଉ ନାହିଁ। ଧୀରେଧୀରେ ସ୍ବାଭିମାନ ଅଞ୍ଚଳରେ ୬ଟି କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ପୁଲିସ ଓ ଅବକାରୀ ବିଭାଗ ଧୀରେଧୀରେ ସ୍ବାଭିମାନ ଅଞ୍ଚଳ ଭିତରକୁ ପଶିଲେଣି। ଯେଉଁଠି ପୁଲିସ ଯିବାକୁ ଦିନବେଳା ମଧ୍ୟ ଭୟ କରୁଥିଲେ, ଏବେ ସେଠାକୁ ରାତିବେଳା ବି ନିର୍ଭୟରେ ପହଞ୍ଚି ପାରୁଛନ୍ତି। ନକ୍ସଲଙ୍କ ବିନା ଅନୁମତିରେ ଏଠାରେ ପତ୍ର ବି ହଲୁ ନଥିଲା। ଯେତେ ଗଞ୍ଜେଇ ଚାଷ ହେବ ତାହାର ପଚାଶ ପ୍ରତିଶତ ନକ୍ସଲ ନେଇ ଯାଉଥିଲେ। ପ୍ରତ୍ୟେକ ଘରକୁ ଗଞ୍ଜେଇ ଚାଷ କରିବାକୁ ବାଧ୍ୟ କରାଯାଉଥିଲା।

ପ୍ରତିବର୍ଷ ନକ୍ସଲ କୋଟି କୋଟି ଟଙ୍କା ଏଥିରୁ ଉପାର୍ଜନ କରୁଥିଲେ। ଲୋକେ ମଧ୍ୟ ଏହି ଚାଷରୁ ବେଶ ଲାଭବାନ ହେଉଥିଲେ। ନିଜର ପାରମ୍ପରିକ ଚାଷରୁ ମୁହଁ ଫେରାଇ ନେଇ ଲୋକେ ଗଞ୍ଜେଇ ପ୍ରତି ମନ ବଳାଇଥିଲେ। ଏବେ କିନ୍ତୁ ପରିସ୍ଥିତି ଓଲଟା ହୋଇଯାଇଛି।ସୁରକ୍ଷାକର୍ମୀ ଭିତରେ ପଶିବା ପରେ ନକ୍ସଲ ପଛଘୁଞ୍ଚା ଦେବା ପରେ ଗଞ୍ଜେଇ ଚାଷ ପ୍ରତି ମଧ୍ୟ ଲୋକେ ଆଉ ମନ ବଳାଉନଥିବା ଲକ୍ଷ୍ୟ କରାଯାଇଛି। ଆଗକୁ ନକ୍ସଲକୁ ସମର୍ଥନ କରିବେ ନାହିଁ କି ଗଞ୍ଜେଇ ଚାଷକୁ ମଧ୍ୟ ନାଁ କରିଦେବେ। ଲୋକେ ଜାଣିଗଲେ ଏଥିରୁ ସେମାନଙ୍କର କିଛି ଲାଭ ନାହିଁ। ଏଥିରୁ କେବଳ ମାଫିଆ ଏବଂ ନକ୍ସଲଙ୍କର ହିଁ ଲାଭ ହେଉଥିଲା।

ଲୋକେ ଦିନରାତି ଏକ କରି ଗଞ୍ଜେଇ ଚାଷ କରି ଏହାକୁ ଅମଳ କରୁଥିଲେ। କିନ୍ତୁ ସେମାନଙ୍କୁ ମାଫିଆ ଏବଂ ନକ୍ସଲ ମାନେ ସବୁବେଳେ ଦାବିକି ରଖୁଥିଲେ। ନକ୍ସଲ ସ୍ବାଭିମାନ ଅଞ୍ଚଳକୁ ଏବେ କୋଟି କୋଟି ଟଙ୍କା ହରାଇବା ପରେ ଚିନ୍ତାରେ ପଡିଥିବା ଜଣାପଡିଛି। ଲୋକଙ୍କ ସମର୍ଥନ ହରାଉଥିବା ବେଳେ ଏବେ ଗଞ୍ଜେଇରୁ ମଧ୍ୟ ଟଙ୍କା ହରାଉଥିବାରୁ ନକ୍ସଲ ସଙ୍ଗଠନକୁ କିପରି ଚଳାଇବେ ସେନେଇ ଚିନ୍ତାରେ ପଡିଥିବା ସୂଚନା ମିଳିଛି। ସଙ୍ଗଠନରେ ଆଗ ଭଳି ଯୁବକଯୁବତୀ ମଧ୍ୟ ସାମିଲ ହେଉନାହାନ୍ତି। ସରକାର ଏବଂ ପୁଲିସ ପ୍ରଶାସନ ଆଗାମୀ ଦିନରେ ସ୍ବାଭିମାନ ଅଞ୍ଚଳକୁ ସମ୍ପୂର୍ଣ୍ଣ ମାଓ ମୁକ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଯାହାକି ଭବିଷ୍ୟତରେ ସତ ହେବାକୁ ଯାଉଛି। ନକ୍ସଲ ମୁଖ୍ୟ ଉତ୍ସ ଗଞ୍ଜେଇ ଚାଷ ବନ୍ଦ ହେବାକୁ ଆଉ ବେଶୀ ଦିନ ନାହିଁ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର