ମାଲକାନଗିରି: ମାଲକାନଗିରି ଜିଲ୍ଲାକୁ ଲାଗି ରହିଥିବା ସୀମାନ୍ତ ଗ୍ରାମରେ ମାଓବାଦୀ ପ୍ରତିଷ୍ଠା ଦିବସ ପାଳନ କରିଛନ୍ତି। ମାଓବାଦୀ ଏହି ପ୍ରତିଷ୍ଠା ଦିବସରେ ଓଡିଶା ଏବଂ ଆନ୍ଧ୍ରର ହଜାର ହଜାର ଲୋକ ରୁଣ୍ଡ ହୋଇଛନ୍ତି। ସୀମାନ୍ତରେ ରହିଥିବା ସହିଦସ୍ତମ୍ଭରେ ମାଓବାଦୀଙ୍କ ସହ ପ୍ରଜାମାନେ ଚାରିପଟେ ବୁଲି ଗୀତ ଗାଇ ନକ୍ସଲଙ୍କର ଗୁଣଗାନ କରିଥିଲେ।ନକ୍ସଲ ସଂଗଠନର ଗଣନାଟ୍ୟ କମିଟିର ସଦସ୍ୟ ଏବଂ ସଦସ୍ୟାମାନେ ନିଜର ପାରଂପାରିକ ପୋଷାକ ପିନ୍ଧି ଲୋକଙ୍କୁ ନକ୍ସଲଙ୍କର ଉଦେଶ୍ୟ ଓ ଲକ୍ଷ୍ୟ ସଂପର୍କରେ ବଖାଣିଥିଲେ। ନିଜର ଆଂଚଳିକ ଭାଷାରେ ଲୋକଙ୍କୁ ସରକାରଙ୍କର ଦମନ ଲୀଳା ସଂପର୍କରେ ବଖାଣିଥିଲେ।

Advertisment

ଏହି ଅବସରରେ ଏକ ବିରାଟ ପ୍ରଜାମେଳି ଅନୁଷ୍ଠିତ ହୋଇଥିଲା। ହାତରେ ଲାଲ ପତାକା ଧରି ଏବଂ ଲାଲ ବ୍ୟାନର ଧରି ତଥା ମୁଣ୍ଡରେ ଲାଲ କପଡା ବାନ୍ଧି ଲୋକେ ସହିଦସ୍ତମ୍ଭ ପରିକ୍ରମା କରୁଥିଲେ। ଏହାସହ କିଭଳି ଭାବେ ଗରିଲା ଯୋଦ୍ଧାମାନେ ଜଳ, ଜଂଗଲ ଏବଂ ଜମି ପାଇଁ ଲଢେଇ ଜାରି ରଖିଛନ୍ତି ତାହା ପଥପ୍ରାନ୍ତ ନାଟକରେ ଲୋକଙ୍କୁ ବୁଝାଉଥିବା ଦେଖିବାକୁ ମିଳିଛି।ପ୍ରଥମ ଥର ପାଇଁ ଆନ୍ଧ୍ର-ଓଡିଶା ସୀମାରେ ଏତେ ଲୋକ ରୁଣ୍ଡ ହୋଇଛନ୍ତି।

ମିଲିସିଆମାନେ ନିଜ ନିଜ ଅଂଚଳର ହଜାର ହଜାର ଲୋକଙ୍କୁ ନେଇ ଏହି ପ୍ରତିଷ୍ଠା ଦିବସ ପାଳନ କରିବାରେ ସହଯୋଗ କରିଛନ୍ତି।କିଭଳି ଭାବେ ପୁଞ୍ଜିପତି ସାହୁକାରମାନେ ଗରିବ ଆଦିବାସୀଙ୍କୁ ଶୋଷଣ କରୁଛନ୍ତି ସେ ବିଷୟରେ ମଧ୍ୟ ଲୋକଙ୍କୁ ନାଚଗୀତ ମାଧ୍ୟମରେ ପ୍ରଦର୍ଶନ କରିଛନ୍ତି। ଆସନରେ ବସି ଶାସନ କରୁଥିବା ସରକରା ଏହି ସାମ୍ରାଜ୍ୟବାଦୀ ଏବଂ ପୁଞ୍ଜିପତିମାନଙ୍କୁ ସହଯୋଗ କରିଆସୁଛନ୍ତି ବୋଲି କୁହାଯାଇଥିଲା।

publive-image

ସରକାରଙ୍କର ଅପାରଗତାକୁ ପଦାରେ ପକାଯାଇଥିଲା। ଲୋକଙ୍କ ମୌଳିକ ସୁବିଧା ଆଜି ପର୍ଯ୍ୟନ୍ତ ସରକାର ପୂରଣ କରିପାରିଲେ ନାହିଁ। ତେଣୁ ମାଓ ଆଦର୍ଶ ଏବଂ ବନ୍ଧୁକ ମୁନରେ ହିଁ ନିଜର ଅଧିକାର ମାଗିବାକୁ ପଡିବ ବୋଲି କହିଥିଲେ। ଦଶନ୍ଧି ଦଶନ୍ଧି ଧରି ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଂଚଳରେ ଲୋକେ ନିଜର ହକ୍ ପାଇଁ ଲଢେଇ କରି ଆସୁଛନ୍ତି। ଆଜି ବି ଏହି ଅଂଚଳରେ ମୌଳିକ ସୁବିଧା ପହଞ୍ଚିପାରି ନାହିଁ।ମାଓ ଦମନ ନେଇ ଏଠାରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରି ଗରିବ ଲୋକଙ୍କୁ ଭୟ ଏବଂ ଆତଙ୍କ ଖେଳାଇ ଚାଲିଛନ୍ତି ବୋଲି ନକ୍ସଲ କହିଥିଲେ। ସରକାର ଏଠାରେ ବିକାଶ ହେଉଥିବା ନେଇ ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବରେ ସ୍ଥିତି କିପରି ଅଛି ତାହା ଲୋକେ ଅଂଗେ ନିଭାଉଛନ୍ତି।କେବଳ ଓଡିଶା ସରକାର ନୁହେଁ ଆନ୍ଧ୍ର ସରକାର ମଧ୍ୟ ଲୋକଙ୍କୁ ମୌଳିକ ସୁବିଧା ପ୍ରଦାନ କରିବାରେ ବିଫଲ ହୋଇଛନ୍ତି।ବାର୍ଦ୍ଧ୍ୟକ୍ୟ ଭତ୍ତା, ପିଡିଏସ ଚାଉଳ, ଅଂଗନବାଡି, ସ୍କୁଲ ଇତ୍ୟାଦି ଆଜି ବି ପହଞ୍ଚିପାରି ନାହିଁ। ଏଣୁ ମାଓବାଦୀଙ୍କ ଲଢେଇ ଜାରି ରହିବ ବୋଲି ଲୋକେ ମଧ୍ୟ ସମର୍ଥନ କରି କହିଛନ୍ତି।

ଏହି ପ୍ରତିଷ୍ଠା ଦିବସ ଦିନ ତମାମ ହୋଇଥିଲା।ଏ ସଂପର୍କରେ ପୁଲିସ ସୁରାକ ମଧ୍ୟ ପାଇପାରିନଥିଲା।ନକ୍ସଲ ସ୍ବାଭିମାନ ଅଂଚଳରେ କମି ଯାଇଥିବା ନେଇ ଯାହା କୁହାଯାଉଛି, ତାହା ସଂପୂର୍ଣ୍ଣ ଭୁଲ।ଏବେ ବି ନକ୍ସଲ ଏହି ଅଂଚଳକୁ ନିଜର ଗଡ କରି ନିଜର ସମସ୍ତ କାର୍ଯ୍ୟକ୍ରମ ଏଠାରେ କରୁଥିବା ଲକ୍ଷ୍ୟ କରାଯାଉଛି।ସେଥିମଧ୍ୟରୁ ଏହି ପ୍ରତିଷ୍ଠା ଦିବସ ଅନ୍ୟତମ।ଲୋକଙ୍କ ନିକଟତର ହେବାକୁ ନକ୍ସଲ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରି ସରକାରଙ୍କର ବିଫଳତା ସଂପର୍କରେ ବୁଝାଉଛନ୍ତି।ନକ୍ସଲ ହିଁ ଆଗାମୀ ଦିନରେ ଲୋକଙ୍କ ସହ ରହିବ ଏବଂ ବିକାଶ ତ୍ବରାନ୍ବିତ କରିପାରିବ ବୋଲି ସଂଗଠନ କହିଛି।