ସମ୍ବଲପୁର: ଆସୁଛି ଦଶହରା। ବିଭିନ୍ନ ପୂଜାମଣ୍ଡପରେ ବିରାଜିବେ ମା’ ଦୁର୍ଗା। ମା’ଙ୍କ ଆଗମନ ପାଇଁ ସମ୍ବଲପୁର ସହରର ବିଭିନ୍ନ ପୂଜା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରାଯାଇଛି। କମିଟିଗୁଡ଼ିକ ପୂଜା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଏକ ଅପପ୍ରଚାର ଏବେ ସେମାନଙ୍କ ପ୍ରସ୍ତୁତିରେ ବାଧା ସଋଷ୍ଟି କରିଛି। ମହରମ୍‌ ସମୟରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶାନ୍ତିକମିଟି ବୈଠକ ହୋଇଥିଲା। ସେହି ବୈଠକରେ ବର୍ଷେ ଯାଏ ଉଭୟ ମହରମ୍‌ ଓ ହନୁମାନଜୟନ୍ତୀ ଶୋଭାଯାତ୍ରାକୁ ଅନୁମତି ଦିଆଯିବ ନାହିଁ ବୋଲି ଏସ୍‌ପି ମୁକେଶ ଭାମୁ ସୂଚନା ଦେଇଥିଲେ।

Advertisment

ଏବେ ଦୁର୍ଗାପୂଜା ଆସୁଥିବାରୁ ମା’ଙ୍କ ଭସାଣି ଶୋଭାଯାତ୍ରା ପାଇଁ କମିଟିଗୁଡ଼ିକ ମଧ୍ୟ ପ୍ରସ୍ତୁତ ହେଉଛନ୍ତି। ଏଥର ଦୁର୍ଗାପୂଜା ଭସାଣି ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଏକ ଗୁଜବ ସମସ୍ତଙ୍କୁ ଭୟଭୀତ କରୁଛି। ଯାହାକୁ ନେଇ ପୂଜାକମିଟି ଗୁଡ଼ିକ ଶୋଭାଯାତ୍ରା କିଭଳି ଭାବେ କରିବେ, ସେ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି। ଏସ୍‌ଏମସି ଅଧୀନ ସମସ୍ତ ଅଂଚଳର ବିଭିନ୍ନ ସାମୂହିକ ପୂଜାପାର୍ବଣ କମିଟି ଗୁଡିକର ନେତୃବନ୍ଦ ବୁଧବାର ଧାର୍ମିକ ଶୋଭାଯାତ୍ରା ଉପରେ କଟକଣା ଲଗାଯାଉଥିବା ବାବଦରେ ଏକ ଗୁଞ୍ଜରଣ ସାମାଜିକ ଅସ୍ଥିରତା ସୃଷ୍ଟି କରୁଥିବା ଅଭିଯୋଗ ଆଣିଛନ୍ତି। କିଭଳି ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକ ବିନା କଟକଣାରେ ପାଳନ ହେବ, ସେ ନେଇ ଦୃଷ୍ଟି ଦେବାକୁ କମିଟିଗୁଡ଼ିକର କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କୁ ନିବେଦନ କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରିତମ ସ୍ବାଇଁ, ମନୋଜ ରଣା, ପ୍ରଦୀପ ସୁପକାର, ମିଲନ ମହାରଣା, ମହେଶ ବହିଦାର, ଦିଲ୍ଲୀପ ମହାନନ୍ଦ, ସନ୍ତୋଷ ସାହୁ, ଇନ୍ଦ୍ରଜିତ ଡନସନା ପ୍ରମୁଖ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ।